ବଲାଙ୍ଗୀର: ବଲାଙ୍ଗୀର ନୂତନ ବସ୍ ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି। ଏହି ନୂତନ ବସ୍ ଟର୍ମିନାଲରୁ ଶୁକ୍ରବାର ଓଏସ୍ଆର୍ସିଟି ବସ୍ ଚଳାଚଳର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଚଞ୍ଚଳ ରାଣା ଭୋର୍ ୪. ୪୫ ସମୟରେ ବଲାଙ୍ଗୀର-ଫୁଲବାଣୀ ଓଏସ୍ଆର୍ସିଟି ବସ୍କୁ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବଲାଙ୍ଗୀର ଓଏସ୍ଆର୍ଟିସି ୟୁନିଟ୍ ସହିତ ବଲାଙ୍ଗୀର ଦେଇ ଯାଉଥିବା ବିଭିନ୍ନ ୟୁନିଟର ବସ୍ଗୁଡ଼ିକ ମଧ୍ୟ ଏହି ନୂତନ ବସ୍ ଟର୍ମିନାଲ ଦେଇ ଚଳାଚଳ କରିବ। ନୂତନ ବସ୍ ଟର୍ମିନାଲରୁ ୨୪ଟି ରୁଟରେ ଓଏସ୍ଆର୍ଟିସି ବସ୍ ଚଳାଚଳ ଆରମ୍ଭ ହୋଇଛି।
ଭୁବନେଶ୍ୱର ଓଏସ୍ଆର୍ଟିସି ୟୁନିଟ ଗୋଟିଏ, ଭବାନୀପାଟଣା ୟୁନିଟର ଗୋଟିଏ, ବରଗଡ଼ ୟୁନିଟର ୫ଟି, ବଲାଙ୍ଗୀର ୟୁନିଟର ୭ଟି, କେନ୍ଦୁଝର ୟୁନିଟର ଗୋଟିଏ, ପଦ୍ମପୁର ୟୁନିଟର ୪ଟି, ସମ୍ବଲପୁର ୟୁନିଟର ୩ଟି, ରାଉକେଲା ୟୁନିଟର ଗୋଟିଏ ଓ ଅନୁଗୁଳ ୟୁନିଟର ଗୋଟିଏ ରୁଟ ଦେଇ ନୂତନ ବସ୍ ଟର୍ମିନାଲ ଦେଇ ଚଳାଚଳ କରିବ। ସମସ୍ତ ରୁଟ ବସର ସମୟ ସମ୍ପର୍କରେ ରାଜ୍ୟ ପରିବହନ ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାବାସୀଙ୍କ ନିମନ୍ତେ ଏହି ନୂତନ ବସ୍ ଟର୍ମିନାଲ ଲୋକାର୍ପିତ ହୋଇଛି। ଉତ୍ତମ ସେବା ଯୋଗାଇଦେବାରେ ଓଏସ୍ଆର୍ଟିସି ଓ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ସହ ବସ୍ ଟର୍ମିନାଲକୁ ପରିଷ୍କାର ପରିଚ୍ଛନ୍ନ ରଖିବା ନିମନ୍ତେ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି, ରାଜ୍ୟ ସଡ଼କ ପରିବହନ ମୁଖ୍ୟାଳୟର ମାନବ ସମ୍ବଳ ପରିଚାଳକ ଦୁର୍ଗା ମାଧବ ମହାପାତ୍ର, ଅତିରିକ୍ତ ଇଷ୍ଟେଟ୍ ଅଧିକାରୀ ଗଗନ ବିହାରୀ ସେନାପତି, ଓଏସ୍ଆର୍ଟିସି ବଲାଙ୍ଗୀର ୟୁନିଟର ଅଧିକାରୀ ସାରସ ଦାସ, ଡିଆଇପିଆର୍ଓ ଜୟଦେବ ପାଣିଗ୍ରାହୀ, ତହସିଲଦାର ମଘବାନ ବାଗ, ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ସହକାରୀ ଜିଲ୍ଲାପାଳ ଦିଲୀପ ମାଝୀ, ଗୁରେଶ୍ୱର ଭୋଇ, କନିଷ୍ଠ ଯନ୍ତ୍ରୀ ସାଲଖାନ ମାଝୀ ପ୍ରମୁଖ ସରକାରୀ କର୍ମଚାରୀ ଓ ଓଏସ୍ଆର୍ଟିସିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଆଜି ନୂତନ ବସ୍ ଟର୍ମିନାଲର ଯାତ୍ରା କରିଥିବା କିଛି ଯାତ୍ରୀ ନୂତନ ବସ୍ ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଥିବାରୁ ଖୁସି ଅନୁଭବ କରିଛନ୍ତି।
ସେହିପରି ଆସନ୍ତା ଜୁଲାଇ ୧ତାରିଖରୁ ଘରୋଇ ବସ ନୂତନ ବସ ଟର୍ମିନାଲକୁ ଯିବ ବୋଲି ଘରୋଇ ବସ ମାଲିକ ସଂଘ କହିଛି। ଏଥିପାଇଁ ବସ ଟର୍ମିନାଲରେ ସଂଘ କାର୍ଯ୍ୟାଳୟ କୋଠାରେ ପୂଜାର୍ଚ୍ଚନା କରିଛି ଘରୋଇ ବସ ମାଲିକ ସଂଘ।