ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ କର୍କଟ ବିଭାଗ ଖୋଲିଛି। ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଛନ୍ତି। ଏଠାରେ କର୍କଟ ରୋଗୀଙ୍କୁ ଆବଶ୍ୟକ ସମସ୍ତ ପରୀକ୍ଷା, ଚିକିତ୍ସା ଉପଶମ ସେବା ଆଦି ମାଗଣାରେ ପ୍ରଦାନ କରାଯିବ। ଆଗାମୀ ଦିନରେ ଏଠାରେ ଅଧିକ ଚିକିତ୍ସା ସୁବିଧା ଉପଲବ୍ଧ ହେବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।
୨୦୧୬ ମସିହାରୁ ରାଜ୍ୟରେ କମ୍ପ୍ରେହେନ୍ସିଭ କର୍କଟ ସେବା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ମାଗଣାରେ ପରାମର୍ଶ, କେମୋଥେରାପି ଓ ଚିକିତ୍ସା ପରବର୍ତୀ ସେବା ପ୍ରଦାନ କରଯାଉଛି। ଏହି ସମସ୍ତ ଡାକ୍ତରଖାନାଗୁଡ଼ିକରେ ୬ ଶଯ୍ୟା ବିଶିଷ୍ଟ ଡେ’ କେୟାର ଦିଆଯିବାର ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଆରମ୍ଭ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ୧୧ହଜାର ୩୩୦ଜଣ କର୍କଟ ରୋଗୀ ବହିର୍ବିଭାଗରେ ଚିକିତ୍ସା ପାଇଛନ୍ତି। ଏହାସହ ୧୦ ହଜାର ୨୮୫ଥର ମାଗଣାରେ କେମୋ ଦିଆଯାଇଛି। କ୍ୟାପିଟାଲ ହସ୍ପିଟାଲର ବହିର୍ବିଭାଗରେ ୨୦୧୬/୧୭ରେ ୩୩୩୮, ୨୦୧୭/୧୮ରେ ୬୫୫୪, ୨୦୧୮/୧୯ରେ ୯୮୦୦ଜଣ ରୋଗୀ ଚିକିତ୍ସା ସୁବିଧା ପାଇଛନ୍ତି। ୫୯୨୪ଥର ବିନା ମୂଲ୍ୟରେ କର୍କଟ ରୋଗୀଙ୍କୁ କେମୋଥେରାପି ପ୍ରଦାନ କରାଯାଇଛି। ଏହାକୁ ନଜରରେ ରଖି ହସ୍ପିଟାଲରେ ଏକ ସ୍ବତନ୍ତ୍ର ବିଭାଗ ଖୋଲା ଯାଇଛି।
ସେହିପରି ଚକ୍ଷୁ ବିଭାଗରେ ଏକ ନୂତନ ଓଟି ବା ଅସ୍ତ୍ରୋପଚାର ଗୃହ ମଧ୍ୟ ଆଜି ଉଦ୍ଘାଟିତ ହୋଇଛି। ସୁନେତ୍ର ଯୋଜନାରେ ଚକ୍ଷୁ ବିଭାଗରେ ଉନ୍ନତୀକରଣ ସହ ଅତ୍ୟାଧୁନିକ ଚିକିତ୍ସା ଓ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା କରାଯାଇଛି। ନୂତନ ଓଟି କାର୍ଯ୍ୟକ୍ଷମ ହେବା ଫଳରେ ଚକ୍ଷୁ ରୋଗୀଙ୍କ ରେଟିନାର ଅସ୍ତ୍ରୋପଚାର କରାଯାଇପାରିବ। ଏହି ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ। ଘରୋଇ ହସ୍ପିଟାଲରେ ଏଥିପାଇଁ ୫୦ ହଜାର ଟଙ୍କା ଖର୍ଚ କରିବାକୁ ପଡ଼ିଥାଏ। ମାତ୍ର ସୁନେତ୍ର ଯୋଜନାରେ ଏହା ସଂପୂର୍ଣ୍ଣ ମାଗଣାରେ କରାଯିବ। ଫଳରେ ମୋତିଆବିନ୍ଦୁ ସର୍ଜରି ମଧ୍ୟ ଅଧିକ ସଂଖ୍ୟାରେ ହୋଇପାରିବ। ଏବେ ହସ୍ପିଟାଲରେ ମଧୁମେହ ଆକ୍ରାନ୍ତ ଚକ୍ଷୁ ରୋଗୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି। ଏହିପାଇଁ ଆବଶ୍ୟକ ପଡ଼ୁଥିବା ବ୍ୟୟବହୁଳ ଇଞ୍ଜେକସନ୍ ଯାହାର ବଜାର ମୂଲ୍ୟ ୨୦/୨୫ ହଜାର ଟଙ୍କା, ତାହାକୁ ସରକାରଙ୍କ ପକ୍ଷରୁ ମାଗଣାରେ ପ୍ରଦାନ କରାଯାଉଥିବା ଶ୍ରୀ ଜେନା ସୂଚନା ଦେଇଥିଲେ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା, କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଅଶୋକ ପଟ୍ଟନାୟକ, ଉପ-ଅଧୀକ୍ଷକ ଡା. ଧନଞ୍ଜୟ ଦାସ, କର୍କଟ ବିଭାଗର ମେଡିକାଲ ଅଧିକାରୀ ଡା. ନିହାର ରଂଜନ ସାମଲ, ଚକ୍ଷୁରୋଗ ବିଶେଷଜ୍ଞ ଡା. ଅଶ୍ବିନୀ ମେହେର୍ଦା ଓ ଡା. ମମତା ମହାପାତ୍ରଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/capital.jpg)