ସୁନ୍ଦରଗଡ଼ ନୂଆ ଜିଲ୍ଲାପାଳଙ୍କ ପାଇଁ ଆହ୍ବାନ: ଡିଏମଏଫର ଦୁରୁପଯୋଗ, ବେରୋଜଗାର ଓ ଦୁର୍ନୀତି 

ସୁନ୍ଦରଗଡ଼: ଆସନ୍ତା ସୋମବାର ଯୋଗ ଦେବେ ସୁନ୍ଦରଗଡ଼ର ନୂଆ ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ। ୨୦୧୩ ବ୍ୟାଚର ଏହି ଆଇଏଏସ ଅଧିକାରୀ ୨୦୧୮ ଅଗଷ୍ଟ ୮ରେ ପ୍ରଥମ କରି ଜିଲ୍ଲାପାଳ ଭାବେ କଳାହାଣ୍ଡିରେ କାର୍ଯ୍ୟ ଆରମ୍ଭ କରିଥିଲେ। ସେଠାରେ ୩ ବର୍ଷ ୧୦ ମାସ ବିତାଇବା ପରେ ଏବେ ସୁନ୍ଦରଗଡ଼ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଏହା ମଧ୍ୟରେ ନୂଆ ଜିଲ୍ଲାପାଳଙ୍କୁ ସୁନ୍ଦରଗଡ଼ ଜିଲ୍ଲାରେ ଅନେକ ଚ୍ୟାଲେଞ୍ଜ ଅପେକ୍ଷା କରିଛି। ଆଦିବାସୀ ଅଧ୍ୟୁସିତ ଏ ଜିଲ୍ଲା ପ୍ରାଚୁର୍ଯ୍ୟଭରା। ମାଟି ଉପରେ ଯେତିକି ସମ୍ପଦ, ମାଟି ତଳେ ତା’ଠାରୁ ଅଧିକ। ହଜାର ହଜାର କୋଟିର କୋଇଲା, ଲୁହାପଥର, ମାଙ୍ଗାନିଜ ଖଣି ଓ ତାକୁ ନେଇ ଗଢ଼ି ଉଠିଥିବା କଳକାରଖାନା ସହ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଓ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମବାଡସି)ର ବିପୁଳ ସମ୍ପତ୍ତିକୁ ନେଇ ବିକାଶର ସ୍ବପ୍ନ ଦେଖୁଥିବା ଜିଲ୍ଲା ଏବେ ବି ପଛରେ। ଏହାର ଅନେକ କାରଣ ମଧ୍ୟରୁ ଡିଏମଏଫ, ଓମବାଡସି ପାଣ୍ଠିର ଦୁରୁପଯୋଗ, ଜନହିତକର ଯୋଜନାଗୁଡ଼ିକର ବାଟମାରଣା ବା ଦୁର୍ନୀତି, ସ୍ଥାନୀୟ ଯୁବବର୍ଗଙ୍କ ବେରୋଜଗାର ଓ ଆଦିବାସୀଙ୍କ ଅଧିକାର ଲଢ଼େଇ। ଏସବୁ ଜିଲ୍ଲାପାଳଙ୍କ ପାଇଁ ବଡ଼ ଆହ୍ବାନ ହେବ।

ବିଶେଷ କରି ଡିଏମଏଫ ଓ ଓମବାଡସି ପାଣ୍ଠିର ୬୦ ଭାଗ ପ୍ରତ୍ୟକ୍ଷ ଭାବେ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ କରିବା ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ କୌଣସି ପ୍ରକଳ୍ପରେ ଏ ପାଣ୍ଠିର ବିନିଯୋଗ ନକରିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ଜିଲ୍ଲାର ଅଣଖଣି ପ୍ରଭାବିତ ଅଞ୍ଚଳରେ ପୁଲିସ ଭ୍ୟାନ୍ କିଣା, ସୌନ୍ଦର୍ଯ୍ୟକରଣ ପରି ଏକାଧିକ ପ୍ରକଳ୍ପ ପାଇଁ ବିପୁଳ ଅର୍ଥ ବ୍ୟୟ କରାଯାଇଛି। ନିକଟରେ କେନ୍ଦ୍ର ସରକାରଙ୍କ ଖଣିଜ ମନ୍ତ୍ରାଳୟ ଏ ନେଇ ପ୍ରଶ୍ନ ଉଠାଇବା ସହ ଡିଏମଏଫ ପାଣ୍ଠି ସଦବିନିଯୋଗ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏସ୍ଥିତିରେ ଏହାର ସଠିକ ଓ ସଫଳ ରୂପାୟନ ପାଇଁ ଜିଲ୍ଲାପାଳଙ୍କୁ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ସେହିପରି ଭିତ୍ତିଭୂମି ଓ ଅର୍ଥର ଅଭାବ ନଥିବା ସତ୍ତ୍ବେ ଜିଲ୍ଲାର ଯୁବକଯୁବତୀ ନିଯୁକ୍ତି ବା ରୋଜଗାରରୁ ବଞ୍ଚିତ ହୋଇ ରହିଛନ୍ତି।

ଖଣି ଶିଳ୍ପ ହେଉ କି ବିକାଶମୂଳକ ପ୍ରକଳ୍ପ ବା ଯୋଜନା ହେଉ ସବୁଠି ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଓ ଦ୍ରୁତ ବିକାଶ ଆଳରେ ବାହାର ରାଜ୍ୟ ବା ଜିଲ୍ଲାର ଲୋକ ମାଡ଼ି ବସିଛନ୍ତି । ଫଳରେ ଜିଲ୍ଲାର ଶହ ଶହ ପାଠୁଆ ଯୁବକଯୁବତୀ ରୋଜଗାର ପାଇଁ ବାହାର ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି। ଯୁବବର୍ଗଙ୍କ ଏ ସମସ୍ୟା ପରେ ଜିଲ୍ଲାର ଅନ୍ୟ ଏକ ବଡ଼ ସମସ୍ୟା ଆଦିବାସୀଙ୍କ ଅଧିକାର ଲଢ଼େଇ। ଖଣି ଖାଦାନ ପାଇଁ ଆଦିବାସୀଙ୍କ ଜମି ଅଧିଗ୍ରହଣ ପେସା ବା ପଞ୍ଚମ ଅନୁସୂଚୀତ ଅଞ୍ଚଳ ପାଇଁ ଥିବା ନୀତିନିୟମ ମଧ୍ୟରେ ହେଉ ନଥିବାରୁ ପ୍ରାୟ ସବୁବେଳେ ଆଦିବାସୀ ଓ ପ୍ରଶାସନ ମୁହାଁମୁହିଁ ହୋଇ ରହିଛନ୍ତି। ଏହା ଛଡ଼ା ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବାକୁ ମଧ୍ୟ ପ୍ରଶାସନ ବର୍ଷ ବର୍ଷ ଗଡ଼ାଇ ନେଉଛନ୍ତି। ଏହାକୁ ନେଇ ଆଦିବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଅନ୍ୟପଟେ କୋଟି କୋଟି ଟଙ୍କାର ପ୍ରକଳ୍ପ ଓ ଯୋଜନାରେ ବାଟମାରଣା ବା ମହାଦୁର୍ନୀତି ଯୋଗୁଁ ଜିଲ୍ଲାର ବିକାଶ ଆଶାନୁରୂପ ଆଗେଇ ପାରୁ ନାହିଁ। ଏହାକୁ ରୋକିବା ଓ ବ୍ୟବସ୍ଥିତ ଭାବେ ପରିଚାଳନା କରି ଜିଲ୍ଲାର ବିକାଶକୁ ଆଗକୁ ନେବା ନୂଆ ଜିଲ୍ଲାପାଳଙ୍କ ପାଇଁ ବଡ଼ ଆହ୍ବାନ ହେବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର