ଭୁବନେଶ୍ବର: କାହା ଆଖିର ଲୁହ ପଢ଼ିଲେ। ତ କାହା ମନର କୋହ। ବାଣୀବିହାରରେ ଛୋଟ ପିଲାଙ୍କୁ କୋଳେଇ ନେଲେ। ମୈତ୍ରୀବିହାରରେ ବସ୍ତିରେ ପଶି ଲୋକଙ୍କ ଦୁଃଖ ବୁଝିଲେ। ବସ୍ତିବାସିନ୍ଦାଙ୍କଠାରୁ ପାଣି ପିଇଲେ। ଅଧା ସମୟ ଲୋକଙ୍କ ସାଥୀରେ ବିତାଇଲେ। ଶାସନର ମଙ୍ଗ ଧରିବା ପୂର୍ବରୁ ପ୍ରଥମ ଦିନରେ ହିଁ ଜନତାଙ୍କ ମନ ଜିଣିଛନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ମାଧ୍ୟମରେ ଗୋଟିଏ ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ ଏ ସରକାର ହେଉଛି ଲୋକଙ୍କର, ଲୋକଙ୍କ ପାଇଁ, ଲୋକଙ୍କ ଦ୍ବାରା। ଆଉ ସେ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ। ସକାଳୁ ସକାଳୁ ଓଡ଼ିଶାର ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ସାଙ୍ଗରେ ଧରି ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପାଇଁ ବାହାରିଥିଲେ ମୋହନ।
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କଠାରୁ ଆରମ୍ଭ କରି ଉତ୍କଳମଣି ଗୋପବନ୍ଧୁ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀରମୋହନ ସେନାପତି, ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପରି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଗୋଟିଏ ପରେ ଗୋଟିଏ ଛକରେ ପହଞ୍ଚି ମାଲ୍ୟାର୍ପଣ କରିବା ସମୟରେ ଲୋକଙ୍କ ଗୁହାରି ଶୁଣିଥିଲେ। ସଚିବାଳୟ ମାର୍ଗରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ପରିବହନ ବିଭାଗରେ କାର୍ଯ୍ୟରତ ପିଅନ ବିଜୟ କୁମାର ଦାସଙ୍କ ପାଖକୁ ଯାଇ ସମସ୍ୟା ଶୁଣିଥିଲେ। ବିଜୟ କହିଥିଲେ ଯେ ସ୍ବଳ୍ପ ଦରମାରେ ପରିବାରର ପେଟ ପୂରୁ ନାହିଁ। ନୂଆ ସରକାରଙ୍କଠାରୁ ବହୁତ କିଛି ଆଶା ରଖିଛି। ଦରମା ବୃଦ୍ଧି କଲେ ଅଭାବ ଦୂର ହେବ। ବିଜୟଙ୍କ ସମସ୍ୟା ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କୁ ଆଶ୍ବାସନା ଦେଇ କହିଥିଲେ ଯେ ସମସ୍ତଙ୍କ ବିକାଶ ହେଉଛି ମୋଦୀ ଗ୍ୟାରେଣ୍ଟି। ଗରିବଙ୍କ ଅଭାବ ଦୂର ଦିଗରେ ଏ ସରକାର କାର୍ଯ୍ୟ କରିବ। ବିଜେପି ସରକାରର ୧୦୦ ଦିନର ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇ ରହିଛି।
ଏହାପରେ ବାଣୀବିହାର ଛକରେ କାରକେଡ୍ ଅଟକାଇ ଅଟୋ ଡ୍ରାଇଭର ଓ ଜଣେ ମହିଳାଙ୍କ ସହ କଥା ହୋଇଥିଲେ। ଛଳଛଳ ଆଖିରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଜଣେ ମହିଳା ନିଜ ଦୁଃଖ ବଖାଣିଥିଲେ। ୩ଜଣ ପିଲାଙ୍କୁ ନେଇ ମହିଳା କିଭଳି ଭାବେ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ସେସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଜଣେ ପୁଲିସ ଅଧିକାରୀଙ୍କୁ ଡାକି ମହିଳାଙ୍କ ନାଁ ଓ ଫୋନ୍ ନମ୍ବର ସଂଗ୍ରହ କରିବାକୁ କହିଥିଲେ। ପରେ ତାଙ୍କ ସହ ଅଫିସରେ ଦେଖା କରାଇବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେତେଜଣ ଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଭୁବନେଶ୍ବର ମୈତ୍ରୀବିହାର ନିକଟରେ ଥିବା ଜଣେ ବସ୍ତିବାସିନ୍ଦାଙ୍କ ଘରକୁ ଯାଇ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sfhshffhfh.jpg)