ରକେଟ୍ ଗତିରେ ଫାଇଲ କାମ ହେବ: ମୁଖ୍ୟ ସଚିବ

ଦାୟିତ୍ବ ନେଲେ ମୁଖ୍ୟସଚିବ, ନିର୍ବାଚନ କମିସନର

କାମ ଆରମ୍ଭ କଲେ ଉନ୍ନୟନ କମିସନର, କୃଷି ଉତ୍ପାଦନର କମିସନର
ଲୋକଙ୍କୁ ସେବା ଯୋଗାଇବାକୁ ବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଓଏଫଡିସିର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଗଗନ ଧଳ

ଭୁବନେଶ୍ବର : ଆଉ ଏଣିକି ସରକାରୀ ଦପ୍ତରରେ ଫାଇଲ ଅଟକିବନି। ରକେଟ୍ ଗତିରେ କାର୍ଯ୍ୟ ସମ୍ପାଦନ କରାଯିବ। ଆଜି ଓଡ଼ିଶାର ୪୩ ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବା ପରେ ଏପରି ଦାବି କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ। ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀଙ୍କ ସମେତ ଉନ୍ନୟନ କମିସନର ଭାବେ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିସନର ଭାବେ ପ୍ରଦୀପ୍ତ କୁମାର ମହାପାତ୍ର, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ସଞ୍ଜୀବ ଚୋପ୍ରା ଦାୟିତ୍ବ ଗ୍ରହଣ କରିଛନ୍ତି।

ଅନ୍ୟପଟେ ମୁଖ୍ୟ ଶାସନ ସଚିବ ଦାୟିତ୍ବ ଛାଡି ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ନିର୍ବାଚନ କମିସନର ଭାବେ ନୂଆ କାର୍ଯ୍ୟ ଆରମ୍ଭ କରିଛନ୍ତି। ବରିଷ୍ଠ ଆଇଏଏସ ଗଗନ କୁମାର ଧଳ ସରକାରଙ୍କ ନିର୍ଦ୍ଦେଶ ମାନି ରାଜ୍ୟ ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ପଦରେ ଯୋଗ ଦେଇଛନ୍ତି।

ସୋମବାର ସକାଳ ୧୦ଟା ୧୫ ମିନିଟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଲୋକସେବା ଭବନରେ ପହଞ୍ଚିଥିଲେ। ନବନିଯୁକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ପହଞ୍ଚିବା ପରେ ସକାଳ ୧୦ଟା ୪୫ ମିନିଟରେ ଦାୟିତ୍ବ ହସ୍ତାନ୍ତର କାର୍ଯ୍ୟ ସମ୍ପାଦନ ହୋଇଥିଲା। ରାଜ୍ୟର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଶ୍ରୀ ତ୍ରିପାଠୀ କହିଥିଲେ, ସ୍ବଚ୍ଛ ପ୍ରଶାସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ୫’ଟି’ ଆଧାରରେ ଏକ ଚାର୍ଟର୍ ପ୍ରସ୍ତୁତ କରାଯାଇଛି। ଏହି ଚାର୍ଟରକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ସବୁ ବିଭାଗ ସଂକଳ୍ପ ନେଇଛନ୍ତି। ସମୟାନୁଯାୟୀ କାର୍ଯ୍ୟ ସମ୍ପାଦନ କରିବାକୁ ସମ୍ପୃକ୍ତ ବିଭାଗ ଉତ୍ତରଦାୟୀ ରହିବାକୁ ବ୍ୟବସ୍ଥା କରାଯାଇଛି। ପ୍ରାଥମିକତା ଆଧାରରେ ସେ ଏହାର ତତ୍ତ୍ବାବଧାନ କରିବେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଲୋକଙ୍କୁ ଓଡ଼ିଶା ସରକାର ଉତ୍ତମ ପ୍ରଶାସନ ଦେବାରେ ସଫଳତା ପାଇଛନ୍ତି। ଏହି ଧାରାକୁ ଆଗକୁ ସେ ବଜାୟ ରଖିବେ। ଜମି ଖଜଣା ପଇଠ ଅନଲାଇନ ହୋଇଥିବାରୁ ଅନେକସ୍ତରରେ ଲୋକଙ୍କୁ ଆଉ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ। ସରକାରୀ ସ୍ତରରେ ଗୋଟିଏ ମୂହୁର୍ତ୍ତ ଅଯଥାରେ ନଷ୍ଟ ହେବାକୁ ଦିଆଯିବନି। ଫାଇଲ ମଞ୍ଜୁରିରେ ବିଳମ୍ବ େଯାଗୁଁ ଅନେକ ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟରେ ଆରମ୍ଭ କିମ୍ବା ସମ୍ପୂର୍ଣ୍ଣ ହୋଇପାରୁନି। ଏଥିପାଇଁ ରାଜ୍ୟର ବିକାଶ ବାଧାପ୍ରାପ୍ତ ହେଉଛି। ସରକାରୀ ଦପ୍ତରରୁ ନିଜର ବ୍ୟକ୍ତିଗତ କାମ ହାସଲ ପାଇଁ ଯେପରି ଫାଇଲକୁ ରକେଟ ଭଳି ଗତିଶୀଳ କରାଯାଏ ସେ ଦିଗରେ ସେ ବିେଶଷ ଧ୍ୟାନ ଦେବେ।

ନିକଟରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଉଦଘାଟନ କରିଥିବା ମହାତ୍ମାଗାନ୍ଧୀଙ୍କ ପରଶମଣିର ମୂଲ୍ୟବୋଧ ଆଧାରରେ କାମ କରିବାକୁ ସମସ୍ତଙ୍କୁ ପ୍ରବର୍ତ୍ତାଇବେ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ପ୍ରଶାସନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯଥା ସମ୍ଭବ ଉଦ୍ୟମ କରାଯିବ। ଆବଶ୍ୟକ ପଡ଼ିଲେ ଅନ୍ୟରାଜ୍ୟର ଉତ୍ତମ ପ୍ରଶାସନିକ ସେବାକୁ ମଧ୍ୟ ଆମ ରାଜ୍ୟରେ ପ୍ରଣୟନ କରାଯିବ। ଭିତ୍ତିଭୂମି କ୍ଷେତ୍ରରେ ଅଧିକ ବିକାଶ କରିବା ପାଇଁ ସେ ଉଦ୍ୟମ କରିବା ସହ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ସାଥିରେ ନେଇ କିପରି ଲୋକଙ୍କ ପାଇଁ କାମ କରାଯିବ ସେଥିପାଇଁ ସେ ଉଦ୍ୟମ କରିବେ ବୋଲି କହିଥିଲେ।

ଉନ୍ନୟନ କମିସନର ସମେତ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ ବରିଷ୍ଠ ଆଇଏଏସ ସୁରେଶ ଚନ୍ଦ୍ର ମହାପାତ୍ର। ଦାୟିତ୍ବ ନେବା ପରେ ଶ୍ରୀ ମହାପାତ୍ର କହିଥିଲେ, ତାଙ୍କ ସମୟରେ ଓଡ଼ିଶାର ସବୁ ଅଞ୍ଚଳରେ ଯେପରି ସମବିକାଶ ହେବ ସେଥିପାଇଁ ସେ ଧ୍ୟାନ ଦେବେ। ରାଜ୍ୟରେ ବ୍ୟାଙ୍କିଂ ସେବା, ଏଟିଏମ ଭିତ୍ତିଭୂମିର ଅଭାବ ରହିଛି। ଏସବୁର ବିକାଶ କରାଯିବ। ଆଞ୍ଚଳିକ ବୈଷମ୍ୟ ଦୂର କରିବାକୁ ଆବଶ୍ୟକତା ଅନୁଯାୟୀ ବିଭାଗୀୟ ଯୋଜନା ପ୍ରସ୍ତୁତ କରାଯିବ। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ଅଧିକ ସୁବିଧା ଦେବା ପାଇଁ ଯୋଜନାର ରୂପରେଖରେ ପରିବର୍ତ୍ତନ ଅଣାଯିବ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ପାଇଁ ପଦକ୍ଷେପ ନେବେ ବୋଲି ଶ୍ରୀ ମହାପାତ୍ର କହିଥିଲେ। ନୂଆକରି କୃଷି ଉତ୍ପାଦନ କମିସନର ଭାବେ ଦାୟିତ୍ବ ନେଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଉନ୍ନୟନ କମିସନର ସୁରେଶ ମହାପାତ୍ରଙ୍କ ସହ କରମର୍ଦ୍ଦନ କରି ଶୁଭେଚ୍ଛା ଜଣାଇଥିଲେ। ସନ୍ଧ୍ୟାରେ ମୁୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର ଓ ଏପିସି ପ୍ରଦୀପ୍ତ କୁମାର ମହାପାତ୍ର ଏକାଠି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୫’ଟି’ର କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ। ସାଧାରଣ ଲୋକଙ୍କୁ ସେବା ଯୋଗାଇବାରେ କୌଣସି ପ୍ରକାର ଅବହେଳା ଯେପରି ନ ହୁଏ ଏ ନେଇ ମୁଖ୍ୟମନ୍ତ୍ରୀ ମୁଖ୍ୟ ପ୍ରଶାସକମାନଙ୍କୁ ପରାମର୍ଶ ଦେଇଥିଲେ।

ସୋମବାର ଗୃହ ବିଭାଗର ଦାୟିତ୍ବ ନେଇଥିଲେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ଚୋପ୍ରା। ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ଚୋପ୍ରା କହିଥିଲେ, ନାବାଳିକା, ମହିଳା, ସଂଖ୍ୟାଲଘୁ ବର୍ଗଙ୍କ ସୁରକ୍ଷା ପାଇଁ ସେ ଉଦ୍ୟମ କରିବେ। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଭଲ ରହିଛି। ଗୋଷ୍ଠୀଗତ ପୁଲିସିଂ ବ୍ୟବସ୍ଥାରେ ଅଧିକରୁ ଅଧିକ ସକ୍ରିୟ କରାଯାଇ ସ୍ଥାନୀୟ ଲୋକଙ୍କୁ ଏଥିରେ ସାମିଲ କରାଯିବ। ସେହିପରି ରାଜ୍ୟ ନିର୍ବାଚନ କମିସନର ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏପରି ସାମ୍ବିଧାନିକ ସଂସ୍ଥାର ଗରିମା ଓ ବିଶ୍ବସନୀୟତା ଯେପରି ବଜାୟ ରହିବ ସେଥିପାଇଁ ଉଦ୍ୟମ କରିବେ ବୋଲି କହିଥିଲେ ଆଦିତ୍ୟ ପ୍ରସାଦ ପାଢ଼ୀ।

ସମ୍ବନ୍ଧିତ ଖବର