୨୦୧୮ରେ କାର୍ଯ୍ୟକ୍ଷମ ହେବ ୧୧ଟି ଶୀତଳ ଭଣ୍ଡାର

ଭୁବନେଶ୍ୱର : ବର୍ତମାନ ରାଜ୍ୟରେ ୪୨ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇଛି। ଆହୁରି ୧୧ଟି ଶୀତଳ ଭଣ୍ଡାରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ୨୦୧୮ ମାର୍ଚ ମାସ ସୁଦ୍ଧା ସେଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି ଏକ ସମୀକ୍ଷା ବୈଠକରୁ ଜଣାପଡ଼ିଛି।

ଆଜି ଏ ନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୧ଟି ଶୀତଳ ଭଣ୍ଡାରର ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ କରି ୨୦୧୮ ମାର୍ଚ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ପାଢ଼ୀ କୃଷି ଓ କୃଷକ ସଶକ୍ତୀକରଣ ବିଭାଗକୁ ନିର୍ଦେଶ ଦେଇଥିଲେ। ସୂଚନାନୁସାରେ ରାଜ୍ୟ ସରକାରଙ୍କ ପାଣ୍ଠି ଏବଂ ଜାତୀୟ ଉଦ୍ୟାନ କୃଷି ମିସନ ମିଳିତ ଭାବେ ଶୀତଳ ଭଣ୍ଡାର ନିର୍ମାଣ କରୁଛନ୍ତି। ବର୍ତମାନ ସୁଦ୍ଧା ରାଜ୍ୟରେ ୪୨ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇଛି। ସେସବୁ ଶୀତଳ ଭଣ୍ଡାରର ସଂରକ୍ଷଣ କ୍ଷମତା ୧ ଲକ୍ଷ ୯୭ ହଜାର ୪୮୦ ମେଟ୍ରିକ ଟନ୍‌। ଏଥିମଧ୍ୟରୁ ୩୭ଟି ଘରୋଇ ଉଦ୍ୟୋଗ ଏବଂ ୫ଟି ସରକାରୀ ଉଦ୍ୟୋଗ ଦ୍ୱାରା ପରିଚାଳିତ ହେଉଛି। ଆହୁରି ୧୧ଟି ଶୀତ ଭଣ୍ଡାର ନିର୍ମାଣ କାର୍ଯ୍ୟ ଚାଲିଛି। ସେସବୁର ସଂରକ୍ଷଣ କ୍ଷମତା ହେବ ୫୩ ହଜାର ୭୦୦ ମେଟ୍ରିକ ଟନ୍‌।

ଶୀତଳ ଭଣ୍ଡାରର ସମୀକ୍ଷା କରି ମୁଖ୍ୟ ସଚିବ କହିଲେ ଯେ ଚାଷୀଙ୍କର ଆବଶ୍ୟକତା ଏବଂ ରାଜ୍ୟର ଖାଉଟି ଚାହିଦାର ଆକଳନ କରି ତଦନୁଯାୟୀ ଶୀତଳ ଭଣ୍ଡାର ନିର୍ମାଣ କରାଯିବା ଉଚିତ। ଶୀଳ ଭଣ୍ଡାରର ସ୍ଥିତି ସଂପର୍କରେ ତଥ୍ୟାବଳୀ ଉପସ୍ଥାପନ କରିଥିଲେ ବିଭାଗୀୟ ପ୍ରମୁଖ ସଚିବ ସୌରଭ ଗର୍ଗ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ବିଭାଗ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା, ଉଦ୍ୟାନ କୃଷି ନିର୍ଦେଶକ ଏମ୍‌. ମୁଥୁକୁମାରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର