୧୧ ଜିଲ୍ଲାରେ ନୂଆ ଜିଲ୍ଲାପାଳ

୩ ମହାନଗର ନିଗମ କମିସନର ବଦଳିଲେ, ସୁଦର୍ଶନ ଖୋର୍ଦ୍ଧା ଜିଲ୍ଲାପାଳ, କୁଲାଙ୍ଗେ ବିଏମ୍‌ସି କମିସନର

ଭୁବନେଶ୍ବର : ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ରାଜ୍ୟ ସରକାର ଗୁରୁବାର ଦିନ ଆଇଏଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମୋଟ୍‌ ୨୪ ଜଣ ଆଇଏଏସ୍ ଅଫିସରଙ୍କୁ ବଦଳି କରାଯାଇଛି। ୧୧ ଜିଲ୍ଲାର ଜିଲ୍ଲାପାଳ ବଦଳିଥିଲା ବେଳେ ତିନି ମହାନଗର ନିଗମ ଭୁବନେଶ୍ବର, କଟକ ଓ ବ୍ରହ୍ମପୁରରେ ନୂଆ କମିସନର୍ ନିଯୁକ୍ତି ପାଇଛନ୍ତି। ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ, କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡିଙ୍କୁ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଓ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ମଧୁସ୍ମିତା ସାହୁଙ୍କୁ ରାଜସ୍ବ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିଲା ବେଳେ ତାଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି।

ବାଲେଶ୍ବର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କର ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି ହୋଇଛି। ଗଞ୍ଜାମ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ବାଲେଶ୍ବର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ଏବେ ବ୍ରହ୍ମପୁରର ଉପଜିଲ୍ଲାପାଳ ଥିବା କୀର୍ତ୍ତି ଭସନ ଭିଙ୍କୁ ଗଞ୍ଜାମ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ବ ମିଳିଛି।
ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କର କଟକ ମହାନଗର ନିଗମ କମିସନର୍ ଭାବେ ବଦଳି ହୋଇଛି। କଳାହାଣ୍ଡି ଜିଲ୍ଲାପାଳ ଜି ପି ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନୂଆ ନିଯୁକ୍ତି ଦିଆଯାଇଛି। କଟକ ମହାନଗର କମିସନର୍ ଥିବା ଅନନ୍ୟା ଦାସ ସମ୍ବଲପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଭୁବନେଶ୍ବର ମହାନଗର ନିଗମର କମିସନର୍ ଭାବେ ନିଯୁକ୍ତି ମିଳିଛି। ସେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ସିଇଓ ଓ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ସମ୍ବଲପୁର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିସନର୍ ଭାବେ ନିଯୁକ୍ତି ଦିଆଯାଇଛି। ସମ୍ବଲପୁରର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଗଞ୍ଜାମ ଜିଲ୍ଲାପାଳ ଭାବେ ନୂଆ ନିଯୁକ୍ତି ମିଳିଛି।

ନୂଆପଡ଼ା ଜିଲ୍ଲାପାଳ ସ୍ବାଧା ଦେବ ସିଂହଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ରାୟଗଡ଼ାରେ ଜିଲ୍ଲାପାଳ ଥିବା ସରୋଜ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ କମିସନର ଥିବା ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଗୁଣୁପୁର ଉପଜିଲ୍ଲାପାଳ ଜେ. ସୋନାଲ ବ୍ରହ୍ମପୁର ମହାନଗର ନିଗମ କମିସନର୍ ଭାବେ ନିଯୁକ୍ତି ପାଇଛନ୍ତି। ଭଦ୍ରକର ବର୍ତ୍ତମାନ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ରାଜସ୍ବ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି।

ବିଭିନ୍ନ ଜିଲ୍ଲାରେ ଉପଜିଲ୍ଲାପାଳ ଓ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ୨୦୧୭ ବ୍ୟାଚ୍‌ର ୪ ଆଇଏଏସ୍ ଅଫିସରଙ୍କୁ ସରକାର ପଦୋନ୍ନତି ଦେଇ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। କଳାହାଣ୍ଡିର ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ସୋମେଶ କୁମାର ଉପାଧ୍ୟାୟଙ୍କୁ ଦେବଗଡ଼ ଜିଲ୍ଲାପାଳ, ମୟୂରଭଞ୍ଜ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପି ଅନ୍ବେଷା ରେଡ୍ଡିଙ୍କୁ କଳାହାଣ୍ଡି ଜିଲ୍ଲାପାଳ, ବାଲେଶ୍ବର ଉପଜିଲ୍ଲାପାଳ ପାଟିଲ୍ ଆଶିଷ ଈଶ୍ବରଙ୍କୁ କନ୍ଧମାଳ ଜିଲ୍ଲାପାଳ ଓ କୋରାପୁଟ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସହାୟଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।

ନବରଙ୍ଗପୁର ଉପଜିଲ୍ଲାପାଳ ଥିବା ୨୦୧୯ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅଗ୍ରୱାଲ ଅକ୍ଷୟ ସୁନିଲ ସାଧାରଣ ପ୍ରଶାସନ ବିଭାଗର ଅନୁ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି।

ସମ୍ବନ୍ଧିତ ଖବର