ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅମ୍ଲାନ ଭୋଇ ନିଖୋଜ ଘଟଣା ଏବେ ନୂଆ ମୋଡ ନେଇଛି। ଅଚାନକ ଡାକ୍ତର ରାତିରେ ନିଖୋଜ ହେବା ଏବଂ ପରବର୍ତ୍ତୀ ସମୟରେ ଘର ଆଗରେ ନକ୍ସଲ ପୋଷ୍ଟର ଲାଗିବାକୁ ନେଇ ଜିଲ୍ଲାରେ ପୁଣି ନକ୍ସଲଙ୍କ ପତିଆରା ଆରମ୍ଭ ହୋଇଥିବା ନେଇ ଆଲୋଚନା ଜୋର ଧରିଥିଲା। ଗତକାଲି ଏବଂ ଆଜି ଦିନ ତମାମ ଡାକ୍ତରଙ୍କୁ ନକ୍ସଲ ନେଇଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ପୁଲିସର ପ୍ରାଥମିକ ତଦନ୍ତ ପରେ ଜଣାପଡିଛି ଯେ ଡାକ୍ତର ଅମ୍ଲାନ ଆଇପିଏଲ ଖେଳି ଋଣଭାର ହୋଇଛନ୍ତି। ଏଥିସହ ସେ ବ୍ୟାଙ୍କ ଏବଂ ସାଂଗସାଥିଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଂକା ଋଣ ନେଇଥିବା ଜଣାପଡିଛି। ଯାହାଫଳରେ ସେ ଏଭଳି ନାଟକ ରଚିଥିବା ପୁଲିସ କହିଛି। ଗୋଟିଏ ପଟେ ଏସପି, ଏସଡିପିଓ ଟିମ ଗଠନ କରି ଡାକ୍ତରଙ୍କୁ ଖୋଜିବା ଆରମ୍ଭ କରିଥିବା ବେଳେ ଜିଲ୍ଲାପାଳ ସଚିନ ପାଵାର ମଧ୍ୟ ଦୁଇ ତିନୋଟି ଟିମ କରି ଡାକ୍ତରଙ୍କ ସନ୍ଧାନରେ ଲାଗି ପଡିଛନ୍ତି। ଅନ୍ୟଦିଗରେ ଆଜି ସକାଳେ ଡାକ୍ତର ଅମ୍ଲାନଙ୍କ ବାପା ଅବନି ଭୋଇ, ମାଆ ବିନୋଦିନୀ ସାମଲ,ମାମୁଁ ମନୋଜ କୁମାର ସାମଲ,ଭଉଣୀ,ସ୍ବାଗତିକା ଭୋଇ,ମଉସା ରବୀନ୍ଦ୍ର କୁମାର ପ୍ରଧାନ ଆଜି ମାଲକାନଗିରିରେ ପହଞ୍ଚି ଜିଲ୍ଲାପାଳଙ୍କୁ ଭେଟିଛନ୍ତି।
ତୁରନ୍ତ କିପରି ପୁଅ ଅମ୍ଲାନକୁ ଖୋଜି ବାହାର କରିବେ ସେନେଇ ନେହୁରା ହୋଇଛନ୍ତି। ଜିଲ୍ଲାପାଳ ଶ୍ରୀ ପାଵାର ମଧ୍ୟ ଟିମ ଗଠନ କରାଯାଇ ସନ୍ଧାନ ନିଆଯାଉଥିବା କୁହାଯାଇଛି। ପରିବାର ଲୋକେ ଗଣମାଧ୍ୟମ ଆଗରେ ନକ୍ସଲଙ୍କୁ ନିବେଦନ କରିଛନ୍ତି ଯେ ତାଙ୍କ ପୁଅ ନିର୍ଦ୍ଦୋଷ ତାଙ୍କୁ ଛାଡିଦିଅନ୍ତୁ। ନକ୍ସଲ ଡାକ୍ତରଙ୍କୁ ଅପହରଣ କରିନଥିବା ପୁଲିସ ଯୁକ୍ତି ବାଢିଛି। ଯେଉଁ ଚିଠି ଡାକ୍ତରଙ୍କ କ୍ବାଟର ସାମ୍ନାରୁ ମିଳିଛି ତାହା ମିଥ୍ୟା । ଏହି ଚିଠିର ତଦନ୍ତ ମଧ୍ୟ କରାଯାଉଛି। ଚିଠିରେ ଲେଖାଯାଇଥିବା ଅକ୍ଷରଗୁଡିକୁ ଯାଞ୍ଚ କରାଯାଉଛି। ଚିଠି ନିଶ୍ଚିତ ଭାବେ ପ୍ରାୟୋଜିତ ବୋଲି ପୁଲିସ ଅନୁମାନ କରୁଛି। ତଦନ୍ତ ପରେ ସବୁ ପର୍ଦାଫାସ ହେବ ବୋଲି ପୁଲିସ କହିଛି। ଲକ୍ଷାଧିକ ଟଂକା ଆଇପିଏଲରେ ଡାକ୍ତର ହାରିଥିବା କୁହାଯାଇଛି। ପୁଣି ସେ ଯିବା ପୂର୍ବରୁ ଏଟିଏମରୁ ଟଂକା ଉଠାଇ ନେଇଛନ୍ତି। ଡାକ୍ତର ନିଖୋଜ ହେବାର ଦୁଇ ଦିନ ବିତିଯାଇଥିଲେ ମଧ୍ୟ ପୁଲିସର ହାତ ଖାଲି ରହିଛି।
ଏପଟେ ପରିବାର ଲୋକେ ଅସ୍ତବ୍ୟସ୍ତ ହୋଇପଡିଲେଣି। ଆମ ପାଖରେ ଟଂକାର କୌଣସି ଅଭାବ ନାହିଁ ବୋଲି ପରିବାର ଲୋକେ କହୁଛନ୍ତି। ତେବେ ଡାକ୍ତର ଏଭଳି କାହିଁକି ଘଟଣାର ରଚନା କଲେ ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି। ଡାକ୍ତର ମିଳିବା ପରେ ହିଁ ସବୁ ସତ ପଦାକୁ ଆସିବ ବୋଲି ପୁଲିସ କହିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂହ ମିନା ତଦନ୍ତ ଆରମ୍ଭ କରିଛନ୍ତି | କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ସରକାରୀ ବାସଭବନ ଓ ପାରିପାର୍ଶ୍ବିକ ସ୍ଥିତି ବୁଲି ଦେଖିବା ସହ ଏସପି,ଏସଡିପିଓ ଓ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ |