ଏସ୍‌ସିବିରେ ହେବ ୨୫୦ ଶଯ୍ୟା କୋଭିଡ ହସ୍ପିଟାଲ୍‌!

ଆଂଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର ଓ ଟ୍ରମାକୁ ରୋଗୀ ସ୍ଥାନାନ୍ତରିତ ହେବେ
ଭିତ୍ତିଭୂମି ଯାଞ୍ଚ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ

କଟକ : ରାଜ୍ୟର ସର୍ବବୃହତ୍‌ ରେଫରାଲ ହସ୍ପିଟାଲ, କଟକର ବଡ ଡ଼ାକ୍ତରଖାନା ଏବେ କରୋନା ସଂକ୍ରମଣର ହଟସ୍ପଟ୍ ପାଲଟିଛି। ଏପଟେ ଗଞ୍ଜାମ, ଖୋର୍ଦ୍ଧା ଓ କଟକରେ କରୋନା ସ୍ଥିତି ସଙ୍ଗିନ। ଏଭଳି ସମୟରେ କଟକ ବଡ଼ଡାକ୍ତରଖାନାରେ ୨୫୦ ଶଯ୍ୟାବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ପାଇଁ ସରକାର ଯୋଜନା କରିଥିବା ଜଣାପଡ଼ିଛି। କେଉଁଠି ଓ କିପରି କୋଭିଡ୍‌ ହସ୍ପିଟାଲ କରାଯିବ, ସେ ସଂପର୍କରେ ଏସ୍‌ସିବି ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ୍‌ ସରକାରଙ୍କୁ ପ୍ରଦାନ କରାଯାଇଛି। ପ୍ରସ୍ତାବ ଅନୁସାରେ, ଏସ୍‌ସିବି ନ୍ୟୁ ମେଡିସିନ୍‌ କୋଠାରେ କୋଭିଡ୍‌ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ କରାଯିବ।

ସୂଚନା ଅନୁସାରେ, ଏସ୍‌ସିବି ନ୍ୟୁ‌ ମେଡିସିନ୍‌ ବିଭାଗ କୋଠାରେ ୨୫୦ ଶଯ୍ୟାବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କରାଯିବାର ଯୋଜନା କରାଯାଇଛି। ଏଠାରେ ୧୪ଟି ଆଇସିୟୁ ଶଯ୍ୟା ରହିଛି। ଉକ୍ତ କୋଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଦୁଇଟି ଭାଗରେ ବିଭକ୍ତ କରାଯିବ। ପୁରୁଷ ରୋଗୀ ତଥା ଟ୍ରମାରେ ଥିବା ୮୫ ବେଡ୍‌ ଓ ୧୪ ଆଇସିୟୁରେ ଥିବା ମହିଳା ରୋଗୀଙ୍କୁ ଆଂଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ରରେ ଭର୍ତ୍ତି କରାଯିବ। ପ୍ରଥମେ ଆଂଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ରରେ କୋଭିଡ୍‌ ହସ୍ପିଟାଲ ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ସେଠାରେ ଆଇସିୟୁ ବ୍ୟବସ୍ଥା ନଥିବା ଓ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ଏହାକୁ ବାତିଲ କରାଯାଇ ନ୍ୟୁ ମେଡିସିନ୍‌ କୋଠାକୁ କୋଭିଡ୍‌ ହସ୍ପିଟାଲ କରିବାକୁ ଯୋଜନା କରାଯାଇଥିବା ଜଣାପଡ଼ିଛି।

ଏସ୍‌ସିବି କରୋନା ନୋଡାଲ ଅଧିକାରୀ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍‌ ଆଂଚଳିକ ମେରୁଦଣ୍ଡ ଆ‌ଘାତ କେନ୍ଦ୍ର, ନ୍ୟୁ ମେଡିସିନ୍‌ ବିଭାଗ ପରିଦର୍ଶନ କରି ସ୍ଥିତି ଯାଂଚ କରିବା ପରେ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଥିବା ଜଣାପଡିଛି। ଏସ୍‌ସିବିରେ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ନା ନାହିଁ, ଯଦି କରାଯିବ କେବେଠାରୁ କରାଯିବ, ସେ ସଂପର୍କିତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ବିଚାର ଅପେକ୍ଷାରେ ରହିଥିବା ଏସ୍‌ସିବିର ବରିଷ୍ଠ ବିଶେଷଜ୍ଞ ତଥା ରାଜ୍ୟ ସରକାରଙ୍କ କୋଭିଡ୍‌ -୧୯ର ତାଲିମ୍‌ ନୋଡାଲ ଅଫିସର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏସ୍‌ସିବିରେ କେତେକ କ୍ଷେତ୍ରରେ ଆଣ୍ଟିଜେନ୍‌ ପରୀକ୍ଷାରେ ନେଗେଟିଭ୍‌ ଥିବା ରୋଗୀଙ୍କୁ ୱାର୍ଡରେ ଭର୍ତ୍ତି କରାଯାଇଥିଲେ ବି ପରେ କୌଣସି କାରଣରୁ ସନ୍ଦେହ ହେବାରୁ ସ୍ବାବ୍‌ ପରୀକ୍ଷା କରାଗଲେ ପଜିଟିଭ୍‌ ରିପୋର୍ଟ ଆସୁଛି। ସେତେବେଳକୁ ଉକ୍ତ ରୋଗୀ ୱାର୍ଡରେ ଡାକ୍ତର, ଆଟେଣ୍ଡାଣ୍ଟ୍‌ ଓ ଅନେକ ରୋଗୀଙ୍କ ସଂସ୍ପର୍ଶରେ ଆସିସାରୁଛନ୍ତି। ଫଳରେ ସଂକ୍ରମିଣ ବ୍ୟାପୁଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ୍‌ ହସ୍ପିଟାଲ ଖୋଲାଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର