ଝାରସୁଗୁଡ଼ାରେ ନିର୍ମାଣ ହେବ ଆଉ ଏକ କୋଭିଡ ହସ୍‌ପିଟାଲ, ରହିବ ୧୨୦ ଶଯ୍ୟା

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ଠାରେ ୧୦୦ ଶଯ୍ୟା ଓ ୨୦ ଟି ଭେଣ୍ଟିଲେଟର ଆସିୟୁ ଶଯ୍ୟା ବିଶିଷ୍ଟ ହସପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଜଣାଇଛନ୍ତି। ବିଭିନ୍ନ ଜନପ୍ରତିନିଧି, ବିଧାୟକ, ସାଂସଦ ଓ ଜନସାଧାରଣଙ୍କ ଦାବି ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାପାଳ ଝାରସୁଗୁଡ଼ା ଠାରେ ଥିବା କୋଭିଡ ହସପିଟାଲରେ ୨୦ ଟି ଭେଂଟିଲେଟର ଆ.ସି.ୟୁ ବେଡ ବୃଦ୍ଧି କରିବା ପାଇଁ ଓ ବନ୍ଦବାହାଲ ଠାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ହସପିଟାଲ, ୨୦ ଟି ଭେଂଟିଲେଟର ଆଇ.ସି.ୟୁ ବେଡ ସ୍ଥାପନ କରିବା ସହିତ ଓ ଏହାକୁ ଏକ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ପରିଚାଳନା ଦାୟିତ୍ବ ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।

ଜିଲ୍ଲାପାଳଙ୍କ ଠାରୁ ଆସିଥିବା ଏହି ପ୍ରସ୍ତାବକୁ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଓ ସାଂସଦ ସୁରେଶ ପୁଝାରୀ ମଧ୍ୟ ସରକାରଙ୍କୁ ଅନୁମୋଦନ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କୁ ଆନୁରୋଧ କରିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଜଣେଇଛନ୍ତି ଯେ, ଝାରସୁଗୁଡ଼ା ଜିଲ୍ଲାରେ କୋଭିଡ ଚିକିତ୍ସା ପାଇଁ ୧୯ ଜଣ ପି.ଜି. ଡାକ୍ତର ଓ ଇଣ୍ଟର୍ନ ଡାକ୍ତର ୮ ଜଣଙ୍କୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ପୋଷ୍ଟିଙ୍ଗ ଦିଆଯାଇଛି। ସେଥି ମଧ୍ୟରୁ ୧୨ ଜଣ ପି.ଜି. ଡାକ୍ତର ଓ ୫ ଜଣ ଇଣ୍ଟର୍ନ ଡାକ୍ତ ଆସନ୍ତା କାଲି ଭିତରେ ଯୋଗ ଦେବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ବନ୍ଧବାହାଲ ଠାରେ ନୂତନ ହସପିଟଲ ପରିଚାଳନା କରିବା ପାଇଁ ସମ୍ କର୍ତ୍ତୃପକ୍ଷ ମଧ୍ୟ ସ୍ବୀକୃତି ପ୍ରଦାନ କରିଛନ୍ତି । ସମ୍ ହସପିଟାଲ କର୍ତ୍ତୃପକ୍ଷ ପରିଚାଳନା ପାଇଁ ଦେଇଥିବାି ସ୍ବୀକୃତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ମଧ୍ୟ କରିଛନ୍ତି। ଏଣୁ ଝାରସୁଗୁଡ଼ାବାସୀଙ୍କ ତରଫରୁ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର