କଟକ-ଭୁବନେଶ୍ବରର ନୂତନ ପୁଲିସ କମିସନର ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ବର: କଟକ-ଭୁବନେଶ୍ବର ଦ୍ବୈତନଗରୀର ନୂତନ ପୁଲିସ କମିସନର ଭାବେ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ ନୂତନ ପୁଲିସ କମିସନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯେ ସେ ସୁଚାରୁରୂପେ ନିଜର ଦାୟିତ୍ବ ସଂପନ୍ନ କରିବେ। ପୂର୍ବତନ ପୁଲିସ କମିସନରଙ୍କ ଏଜେଣ୍ଡାକୁ ମଧ୍ୟ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବେ। ୧୯୯୫ ବ୍ୟାଚର ଆଇପିଏସ୍ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଦୁଇ ସହରର ଆଇନଶୃଙ୍ଖଳା ପରିସ୍ଥିତି ସୁଧାରିବେ ବୋଲି କହିଛନ୍ତି। ଏଥିଲାଗି ସୌମେନ୍ଦ୍ର ପ୍ରିୟଦର୍ଶୀ କଟକ-ଭୁବନେଶ୍ବର ବାସୀଙ୍କ ସହଯୋଗ କାମନା କରିଛନ୍ତି ଏବଂ ଦ୍ବୈତ ନଗରୀବାସୀଙ୍କ ଧନଜୀବନ ସୁରକ୍ଷାକୁ ସେ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି।

୧୯୯୫ ବ୍ୟାଚ୍‌ର ଓଡ଼ିଆ ଆଇପିଏସ୍‌ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ଆନ୍ନା ବିଶ୍ବବିଦ୍ୟାଳୟରୁ ବି.ଟେକ୍‌ ପାସ୍‌ କରିବା ପରେ ଟାଟା ଇଞ୍ଜିନିୟରିଂରେ ୩ ବର୍ଷ ଚାକିରି କରିଥିଲେ। ଆଇପିଏସ୍‌ ପାଇବା ପରେ ପୁରୀରେ ପ୍ରଥମେ ଅତିରିକ୍ତ ଏସ୍‌ପି ଭାବରେ ଚାକିରି ଆରମ୍ଭ କରିଥିଲେ। ୧୯୯୯ର ମହାବାତ୍ୟା ମୁକାବିଲାଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ରଥଯାତ୍ରା ସୁପରିଚାଳନାରେ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ। ଏହା ପରେ ପୁରୀ, ଗଞ୍ଜାମ, କଟକ ଓ କେନ୍ଦୁଝର ଏସ୍‌ପି ଭାବରେ କାମ କରିଥିଲେ।

ଡିଆଇଜି ଭାବରେ ପଦୋନ୍ନତି ପାଇବା ପରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜର ଦାୟିତ୍ବ‌ ନେଇ ସଫଳତା ପାଇଥିଲେ। ନକ୍ସଲ ଦମନରେ ମଧ୍ୟ ତାଙ୍କର ବେଶ୍‌ ସୁନାମ ରହିଥିଲା। ପରେ ପୁଲିସ ଆଇଜି (ଅପରେସନ), ଓ ଆଇ (ଗୁଇନ୍ଦା) ଭାବରେ ମଧ୍ୟ ସେ ଦକ୍ଷତା‌ର ସହ କାର୍ଯ୍ୟ କରିଥିଲେ। ପୁରୀରେ ଅତିରିକ୍ତ ଏସ୍‌ପି ଓ ଏସ୍‌ପି ଭାବରେ ତାଙ୍କର ଦକ୍ଷତାକୁ ଆଧାର କରି ୨୦୧୫ରେ ରାଜ୍ୟ ସରକାର ତାଙ୍କୁ ମହାପ୍ରଭୁଙ୍କ ନବକଳେବର ସମୟରେ ଅଫିସର ଇନ୍‌ ସ୍ପେସାଲ ଡ୍ୟୁଟି ଭାବେ ଦାୟିତ୍ବ ଦେଇଥିଲେ। ନବକଳେବର ସମୟରେ ଆଇନଶୃଙ୍ଖଳା ରକ୍ଷା ଆଦି ଯାବତୀୟ କାର୍ଯ୍ୟରେ ସେ ବେଶ୍‌ ପ୍ରଶଂସା ସାଉଁଟିଥିଲେ। ‘ଫନି’ ମ‌ୁକାବିଲାରେ ମଧ୍ୟ ତାଙ୍କୁ ବେଶ୍‌ ସଫଳତା ମିଳିଥିଲା। ପୁଲିସ ସେବାରେ ସଫଳତା ପାଇଁ ସେ ୨୦୧୧ରେ ରାଷ୍ଟ୍ରପତି ପଦକ, ୨୦୦୫ରେ ରାଜ୍ୟପାଳ ପଦକ, ୨୦୦୨ରେ ଡିଜିଙ୍କ ପଦକ, ୨୦୧୬ରେ ଡିଜିଙ୍କ ପ୍ରସଂଶାପତ୍ର ପାଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟ ପୁଲିସ ବିଭାଗରେ ଏକ ଛୋଟ ଧରଣର ଅଦଳବଦଳ ହୋଇଥିଲା। କଟକ-ଭୁବନେଶ୍ବର ଦ୍ବୈତନଗରୀରର ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଓଡ଼ିଶା ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (ଓପିଏଚଡବ୍ଲୁସି)ର ସିଏମଡି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ପୁଲିସ କମିସନର ଭାବେ ନିଯୁକ୍ତି ମିଳିଥିଲା।

ସମ୍ବନ୍ଧିତ ଖବର