ଖୁବ୍‌ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ନୂଆ ସଂସ୍କୃତି ଓ ଐତିହ୍ୟ ନୀତି

ଭୁବନେଶ୍ବର : ଖୁବ୍‌ଶୀଘ୍ର ରାଜ୍ୟରେ ନୂଆ ସଂସ୍କୃତି ଓ ଐତିହ୍ୟ ନୀତି କାର୍ଯ୍ୟକାରୀ ହେବ। ଏ ସଂକ୍ରାନ୍ତରେ ଏକ ବୈଠକ ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ହୋଇଯାଇଛି। ନୀତିରେ ବିଶେଷକରି ଭବିଷ୍ୟତ ଦୃଷ୍ଟି, ଲକ୍ଷ୍ୟ, ଆଭିମୁଖ୍ୟ, କଳା ଓ ସାଂସ୍କୃତିକ ପର୍ଯ୍ୟଟନ ସମ୍ପର୍କିତ ଗବେଷଣା ତଥା ଶିକ୍ଷା, ପାଠାଗାର ଆନ୍ଦୋଳନ, ପ୍ରତ୍ନତତ୍ତ୍ବ, ଅଭିଲେଖ, ଭାଷା ଓ ସାହିତ୍ୟର ଗବେଷଣା, ଶିଳ୍ପୀ ତଥା କଳାକାରଙ୍କ ନିମନ୍ତେ କଲ୍ୟାଣକାରୀ କାର୍ଯ୍ୟକ୍ରମ, ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା, ପାରମ୍ପରିକ ନାଟ୍ୟକଳା, ମଂଚ, ସଂଗୀତ ଓ ନୃତ୍ୟର ବିକାଶ ବାବଦରେ ସବିଶେଷ ଉଲ୍ଲେଖ ରହିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି। ରାଜ୍ୟର ସମୃଦ୍ଧ ଐତିହ୍ୟ, ସାଂସ୍କୃତିକ ସମ୍ପଦର ସୁରକ୍ଷା ଏବଂ ଅନ୍ତର୍ଜାତୀୟ ସ୍ତରରେ ଆଦୃତିକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ନୀତିରେ ବିଭିନ୍ନ ବ୍ୟବସ୍ଥା ରହିବ ବୋଲି ସେ କହିଛନ୍ତି।

ବୈଠକରେ ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ, ଗବେଷକ ତଥା ବିଦ୍ବାନ ପ୍ରଫେସର ରାଜକିଶୋର ମିଶ୍ର, ସଂସ୍କୃତି ବିଭାଗର ପ୍ରାକ୍ତନ ଯୁଗ୍ମ ନିର୍ଦେଶକ ଡ.ମହେଶ ପ୍ରସାଦ ଦାସ, ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ଡ.ସଞ୍ଜୟ ଆଚାର୍ଯ୍ୟ, ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ.ଜୟନ୍ତୀ ରଥ, ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶିକା ଡ.ତମସାରାଣୀ ଦାସମହାପାତ୍ର, ଆଦିତ୍ୟ ମହାପାତ୍ର, ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ଓ ବିଭାଗର ଉପଶାସନ ସଚିବ ବି.ବି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର