ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ମାନ୍ୟତା ନେଇ ନୂଆ ବିତର୍କ

କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଚର୍ଚା ଜୋର ଧରିଲା

ସସ୍ମିତା ସାହୁ
ଭୁବନେଶ୍ବର: ଓଡ଼ିଶୀ ସଙ୍ଗୀତକୁ ‘ଶାସ୍ତ୍ରୀୟ’ ମାନ୍ୟତା ଦେବ କିଏ? ଏହି ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। କିନ୍ତୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି ଯେ ଶାସ୍ତ୍ରୀୟ ମାନ୍ୟତା ଦେବା ପ୍ରକ୍ରିୟା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଆସୁନାହିଁ। ମନ୍ତ୍ରୀ ସେତିକିରେ ଅଟକି ନାହାନ୍ତି। ସିଧାସଳଖ ଜଣାଇ ଦେଇଛନ୍ତି ଯେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ‘ଶାସ୍ତ୍ରୀୟ’ ଶବ୍ଦର ଉପଯୋଗ କରେନାହିଁ। କେନ୍ଦ୍ର ମନ୍ତ୍ରୀଙ୍କର ଏପରି ଉତ୍ତର ପରେ ଶାସ୍ତ୍ରୀୟ ପ୍ରସଙ୍ଗକୁ ନେଇ ଭିନ୍ନ ଏକ ବିତର୍କର ସୂତ୍ରପାତ ହୋଇଛି। ପ୍ରଶ୍ନ ଉଠିଲାଣି, ବାସ୍ତବରେ ‘ଶାସ୍ତ୍ରୀୟ ମାନ୍ୟତା’ ବୋଲି କିଛି ନାହିଁ ନା ଓଡ଼ିଶାର ଦାବିକୁ ଅଣଦେଖା କରାଯାଉଛି? ଯଦି ସଂସ୍କୃତି ମନ୍ତ୍ରଣାଳୟ ଶାସ୍ତ୍ରୀୟ ମାନ୍ୟତା ଦେବ ନାହିଁ, ତେବେ ଜାତୀୟ ସ୍ତରରେ ଓଡ଼ିଶୀ ସଙ୍ଗୀତକୁ କିଏ ମାନ୍ୟତା ଦେବ?

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟାୟରେ ଉଦ୍ୟମ କରି ଚାଲିଛନ୍ତି। ୨୦୦୮ ମସିହାରେ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଓଡ଼ିଶୀ ସଙ୍ଗୀତକୁ ‘ଶାସ୍ତ୍ରୀୟ ସଙ୍ଗୀତ’ର ମାନ୍ୟତା ଦେଇଥିଲେ। କିନ୍ତୁ ସର୍ବଭାରତୀୟ ସ୍ତରରେ ଏପରି ମାନ୍ୟତା ମିଳିପାରି ନାହିଁ। ୨୦୨୦ ‌ସେପ୍ଟେମ୍ବର ୨ ତାରିଖରେ ଐତିହ୍ୟ କ୍ୟାବିନେଟ୍‌ ବୈଠକରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା। ସେହି ଅନୁଯାୟୀ ‌ସେହି ମାସ ‌ଶେଷ ସପ୍ତାହରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ‌ନବୀନ ପଟ୍ଟନାୟକ। ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ବିଭିନ୍ନ ଯୁକ୍ତି ମଧ୍ୟ ଉପସ୍ଥାପନ କରିଥିଲେ। ଏହା ମଧ୍ୟରେ ପାଖାପାଖି ଏକ ବର୍ଷ ହୋଇଗଲାଣି। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ କି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇ ନାହିଁ। ଗତ ୧୦ ତାରିଖରେ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନ‌ରେ ସଂସ୍କୃତି ମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କ ଉତ୍ତର ସମଗ୍ର ପ୍ରସଙ୍ଗଟିକୁ ବିତର୍କର ବଳୟକୁ ନେଇଯାଇଛି। ମନ୍ତ୍ରୀ କହିଥିଲେ, ସଙ୍ଗୀତ, ନୃତ୍ୟ ଓ ନାଟକର ଜାତୀୟ ଏକାଡେମି ଭାବେ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ‘ଶାସ୍ତ୍ରୀୟ’ ଶବ୍ଦର ଉପଯୋଗ କରି ନଥାଏ। ଏକାଡେମିର ମାତ୍ର ଦୁଇଟି ମୁଖ୍ୟ ଶାଖା ରହିଛି। ଗୋଟିଏ ହେଉଛି ହିନ୍ଦୁସ୍ତାନୀ ସଙ୍ଗୀତ ଓ ଅନ୍ୟଟି କର୍ଣ୍ଣାଟକୀ ସଙ୍ଗୀତ। ଏହି ଦୁଇଟି ସଙ୍ଗୀତକୁ ମୁଖ୍ୟ ଧାରାର ସଙ୍ଗୀତ ଭାବେ ମାନ୍ୟତା ମିଳିଛି। ତେଣୁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପ୍ରକ୍ରିୟା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଆସୁ ନାହିଁ।

ଓଡ଼ିଶୀକୁ କେନ୍ଦ୍ରରୁ ଶାସ୍ତ୍ରୀୟ ମାନ୍ୟତା ମିଳିବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ପରୋକ୍ଷରେ ଜଣାଇଲା ପରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାହା ହିଁ ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। କାରଣ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ବହୁ ଦିନ ହେଲା ଦାବି ହୋଇ ଆସୁଛି। ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଉଦ୍ୟମ ଜାରି ରଖିଛନ୍ତି। କେନ୍ଦ୍ରୀୟ ସ୍ବୀକୃତି ପାଇବା ପାଇଁ ରାଜ୍ୟ ସରକାର ଗବେଷଣା, ତଥ୍ୟ ସଂଗ୍ରହ ଓ ଦସ୍ତାବିଜ ପ୍ରସ୍ତୁତି ପାଇଁ ବିଭିନ୍ନ କମିଟି ଗଠନ କରି ଅନେକ ଗବେଷଣାଭିତ୍ତିକ ବିବରଣୀ ପ୍ରସ୍ତୁତ କରିଛନ୍ତି। ୨୦୧୨ ଜାନୁଆରି ୩୧ ତାରିଖ ଦିନ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ବିଶେଷତ୍ବକୁ ନେଇ ଏକ ପୁସ୍ତକ ପ୍ରସ୍ତୁତି ଓ ଏକ ଜାତୀୟ ସେମିନାରର ଆୟୋଜନ ନେଇ ପ୍ରସ୍ତୁତି ବୈଠକ ବସିଥିଲା। ଏହି ପୁସ୍ତକରେ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ଦିଗକୁ ନେଇ ବିସ୍ତୃତ ଭାବେ ଗବେଷଣା କରାଯାଇ ସ୍ଥାନ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏଥି ପାଇଁ ଏକ ସମ୍ପାଦନା ମଣ୍ଡଳୀ ମଧ୍ୟ ଗଠନ ହେଲା। ଗୁରୁ ରାମହରି ଦାସ, ପ୍ରଫେସର ରଘୁନାଥ ପଣ୍ଡା, ପ୍ରଫେସର ରାଜକିଶୋର ମିଶ୍ର, ପ୍ରଫେସର ଗଣେଶ ପ୍ରସାଦ ଦାସ ଓ ଗବେଷକ କୀର୍ତ୍ତନ ପାଢ଼ୀ ଏଥିରେ ସଦସ୍ୟ ରହିଲେ। ୨୦୧୩ ମସିହା ଜୁଲାଇ ମାସରେ ତତ୍‌କାଳୀନ ସଂସ୍କୃତି ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଚର୍ଚା ଜୋର ଧରିଲା
ସଂସ୍କୃତି ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପ‌ରେ ନଜର
ଶାସ୍ତ୍ରୀୟ ସଙ୍ଗୀତ ନା ମୁଖ୍ୟ ଧାରାର ସଙ୍ଗୀତ ପାଇଁ ଦାବି କରାଯିବ?

ଏଥିରେ ଓଡ଼ିଶୀ ସଙ୍ଗୀତର ପ୍ରାଚୀନତା, ମୌଳିକତା, ରାଗ, ତାଳ ଓ ଗାୟନ ଶୈଳୀର ବୈଶିଷ୍ଟ୍ୟକୁ ନେଇ ବିଧିବଦ୍ଧ ବିବରଣୀ ପ୍ରସ୍ତୁତ କରିବା ପାଇଁ ଏକ କୋର୍‌ କମିଟି ଗଠିତ‌ ହେଲା। ଓଡ଼ିଆ ଭାଷାର ଶାସ୍ତ୍ରୀୟତା ସମ୍ବନ୍ଧିତ ନିୟମାବଳୀ ଆଧାରରେ ଓଡ଼ିଶୀ ସଙ୍ଗୀତର ବିବରଣୀ ପ୍ରସ୍ତୁତ କରାଯିବାକୁ କମିଟିକୁ ଦାୟିତ୍ବ ଦିଆଗଲା। ଓଡ଼ିଶା ସାହିତ୍ୟ ଏକାଡେମିର ତତ୍‌କାଳୀନ ସଭାପତି ସାତକୋଡ଼ି ହୋତାଙ୍କ ସଭାପତିତ୍ବରେ ଦେବୀ ପ୍ରସନ୍ନ ପଟ୍ଟନାୟକ, ଗୁରୁ ରାମହରି ଦାସ, ରଘୁନାଥ ପଣ୍ଡା ଓ କୀର୍ତ୍ତନ ପାଢ଼ୀ ପ୍ରମୁଖଙ୍କୁ ନେଇ ଏହି କମିଟି ଗଠନ ହେଲା। ପରେ ପରେ ସମସ୍ତ ବିବରଣୀ ପ୍ରସ୍ତୁତ ହେଲା। ପୁଣି ୨୦୧୪ ଜୁନ୍‌ ମାସରେ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ସଂକ୍ରାନ୍ତ ଡ୍ରାଫ୍ଟିଂ କମିଟି ଗଠିତ ହେଲା। କମିଟିର କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ବରେ ରହିଲେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ। ୨୦୨୦ ସେପ୍ଟେମ୍ବରରେ ଐତିହ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ଓଡ଼ିଶୀ ସଙ୍ଗୀକୁ ଶାସ୍ତ୍ରୀୟ ମାନ୍ୟତା ‌ଦାବିରେ କେନ୍ଦ୍ରକୁ ଚିଠି ‌ଲେଖିଥିଲେ ମୁଖ୍ୟମନ୍ତ୍ରୀ।

ଯଦି କେନ୍ଦ୍ର ମନ୍ତ୍ରୀଙ୍କ କହିବା ଅନୁଯାୟୀ ଶାସ୍ତ୍ରୀୟ ମାନ୍ୟତା‌ ଦିଆଯିବାର ବ୍ୟବସ୍ଥା ନାହିଁ, ତେବେ ବିକଳ୍ପ ପଦକ୍ଷେପ ଭାବେ ଓଡ଼ିଶୀ ସଙ୍ଗୀତକୁ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ପରି ମୁଖ୍ୟ ଧାରାର ସଙ୍ଗୀତ ଭାବେ ମାନ୍ୟତା ମିଳିବାର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ସଂସ୍କୃତି ବିଭାଗ ଏ ଦିଗରେ ତୁରନ୍ତ ବିଚାର ବିମର୍ଷ ଆରମ୍ଭ କରି ପରବର୍ତ୍ତୀ ପଦକ୍ଷେପ ନେବା ଜରୁରୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆଉ ଯଦି ଶାସ୍ତ୍ରୀୟ ମାନ୍ୟତା ଦିଆଯିବାର ବ୍ୟବସ୍ଥା ଅଛି ଓ କେନ୍ଦ୍ର ସରକାର ଓଡ଼ିଶୀ ସଙ୍ଗୀତକୁ ଅଣଦେଖା କରୁଛନ୍ତି ବୋଲି ସଂସ୍କୃତି ବିଭାଗର ହୃଦ୍‌ବୋଧ ହେଉଛି, ତେବେ ଆବଶ୍ୟକ ଯୁକ୍ତି ଦେଖାଇ ତାହାର ଦୃଢ଼ ପ୍ରତିବାଦ କରିବାକୁ ସଚେତନ ନାଗରିକମାନେ ମତ ପ୍ରକାଶ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀ ଚିଠି ଲେଖିବାର ବର୍ଷକ ମଧ୍ୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କି ପଦକ୍ଷେପ ନେଇଛି, ସେ ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇ ନାହିଁ। କେବଳ ଚିଠି ପଠାଇ ଦେଇ ବିଭାଗ ଚୁପ୍‌ଚାପ୍ ବସିପଡ଼ିଛି। ଓଡ଼ିଶୀ ନୃତ୍ୟ ସହ ଓଡ଼ିଆଙ୍କ ଭାବାବେଗ ଜଡ଼ିତ ଥିବାରୁ ସଂସ୍କୃତି ବିଭାଗ ତତ୍ପରତା ପ୍ରକାଶ କରି ଏହି ପ୍ରସଙ୍ଗରେ ସ୍ପଷ୍ଟ ଚିତ୍ର ରଖିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ସୂଚନାଯୋଗ୍ୟ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମିରେ ଓଡ଼ିଶୀ ସଙ୍ଗୀତ ୩ ବିଭାଗରେ ସ୍ଥାନ ପାଇଛି। ପାରମ୍ପରିକ ସଙ୍ଗୀତ, ନୃତ୍ୟ ସଙ୍ଗୀତ ଓ ମୁଖ୍ୟ ଭାରତୀୟ ପାରମ୍ପରିକ ସଙ୍ଗୀତ। ଏହି ୩ ବିଭାଗରେ ପୁରସ୍କାର ପ୍ରଦାନ କରାଯିବା ସହ ବୃତ୍ତି ମଧ୍ୟ ଦିଆଯାଉଛି।

 

ସମ୍ବନ୍ଧିତ ଖବର