ନୂଆ ଡିଗ୍ରି କଲେଜ ଖୋଲିବା ବନ୍ଦ କର, ସରକାରଙ୍କୁ ସୁପାରିସ କଲା ବିଧାନସଭା କମିଟି

ଭୁବନେଶ୍ବର : ରାଜ୍ୟ ସରକାର ଆଉ ନୂଆ ଡିଗ୍ରି କଲେଜ ଖୋଲିବାକୁ ଅନୁମତି ଦିଅନ୍ତୁ ନାହିଁ। ଏ ବ୍ୟବସ୍ଥାରେ ତୁରନ୍ତ ପୂର୍ଣ୍ଣଛେଦ ପଡିବା ଦରକାର। କେବଳ ସେହି ବ୍ଲକରେ ଖୋଲିବାକୁ ଅନୁମତି ଦିଆଯାଉ, ଯେଉଁଠାରେ ଗୋଟାଏ ବି ଡିଗ୍ରି କଲେଜ ନାହିଁ।

ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ସ୍ଥାୟୀ କମିଟି (ଉଚ୍ଚଶିକ୍ଷା) ରାଜ୍ୟ ସରକାରଙ୍କୁ ଏଭଳି ସୁପାରିସ କରିଛି। ୨୦୨୦-୨୧ ବଜେଟ୍ ବ୍ୟୟବରାଦ ଅନୁଧ୍ୟାନ କରିବା ପରେ କମିଟି କହିଛି, ଯେଉଁ ଅଞ୍ଚଳରେ ଯୁକ୍ତ ଦୁଇ ପାସ୍ କରିବା ପରେ ଛାତ୍ରଛାତ୍ରୀଙ୍କ ଅଧିକ ଉଚ୍ଚଶିକ୍ଷା ଗ୍ରହଣ କରିବା କଷ୍ଟସାଧ୍ୟ, ସେଠାରେ ସିଟ୍ ସଂଖ୍ୟା ବଢାଯାଇପାରେ।

କମିଟି କହିଛି, ରାଜ୍ୟରେ ଏବେ ୧ହଜାରରୁ ଅଧିକ ସରକାରୀ ଓ ଅନୁଦାନ ପ୍ରାପ୍ତ କଲେଜ ରହିଛି। ମାତ୍ର ପାଞ୍ଚଟି ଆଞ୍ଚଳିକ ନିର୍ଦେଶକ ପଦବି ଏଥିପାଇଁ ପର୍ଯ୍ୟାପ୍ତ ନୁହେଁ। ଦୈନନ୍ଦିନ ପ୍ରଶାସନିକ ଓ ଅନ୍ୟାନ୍ୟ କାର୍ଯ୍ୟ କରିବା କାଠିକର ବ୍ୟାପାର। ଏଣୁ ରାଜ୍ୟର ୧୩ଟି ଅବିଭକ୍ତ ଜିଲ୍ଲାରେ ଅନ୍ୟୂନ ୧୫ଟି ଆଞ୍ଚଳିକ ନିର୍ଦେଶକ ପଦବି ସୃଷ୍ଟି କରାଯିବାର ଆବଶ୍ୟକତା ଅନୁଭୂତ ହେଉଛି। ସରକାର ସମସ୍ତ ଡିଗ୍ରି କଲେଜରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ଉପରେ ଗୁରୁତ୍ବ ଦେବା ଉଚିତ୍ ବୋଲି ଦର୍ଶାଇ କମିଟି କହିଛି, ଅତିଥି ଅଧ୍ୟାପକଙ୍କ ପାରିଶ୍ରମିକ ବୃଦ୍ଧି ବି ଅପରିହାର୍ଯ୍ୟ ହେଲାଣି। କାରଣ, ନିୟମିତ ଶିକ୍ଷକ ନିଯୁକ୍ତିରେ ଅହେତୁକ ବିଳମ୍ବ ହେଉଛି। ବିଧାୟକମାନଙ୍କ ଆଞ୍ଚଳିକ ଅନୁଦାନ ଅର୍ଥରେ ବେସରକାରୀ ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ରିଡର ପଦବିକୁ ଉନ୍ନୀତ ଲାଗି ବୟସ ସୀମାକୁ ୨୭ରୁ ୨୩କୁ କୋହଳ କରିବା ଲାଗି କମିଟି ସୁପାରିସ କରିଛନ୍ତି।

ଏହି କମିିଟିରେ ବିଧାୟକ ବିଜୟ ରଂଜନ ସିଂହ ବରିହା, ନିତ୍ୟାନନ୍ଦ ସାହୁ, ଦେବେଶ ଆଚାର୍ଯ୍ୟ, ସୀମାରାଣୀ ନାୟକ, ସୁଶାନ୍ତ କୁମାର ବେହେରା, ବିଷ୍ଣୁବ୍ରତ ରାଉତରାୟ, ସୁନନ୍ଦା ଦାସ, ପ୍ରକାଶ ଚନ୍ଦ୍ର ମାଝୀ, ଶଙ୍କର ଓରାମ, ଆଦିତ୍ୟ ମାଢି, ମୁକେଶ କୁମାର ପାଳ ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର