ନୂଆ ବିଭାଗ ମିସନ୍ ଶକ୍ତି : ବିକାଶର ସବୁ କ୍ଷେତ୍ରରେ ମା’ମାନେ ଆଗରେ: ମୁଖ୍ୟମନ୍ତ୍ରୀ

ଅପହଞ୍ଚ ଇଲାକାରେ ପୁଷ୍ଟିସାଧନ ପାଇଁ ‘ସୋପାନ’

ଭୁବନେଶ୍ବର : ରାଜ୍ୟରେ ନୂଆ କରି ‘ମିସନ୍ ଶକ୍ତି’ ବିଭାଗ ଖୋଲିବ। ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ କେବଳ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଏପରି ଏକ ପଦକ୍ଷେପ ନେବାକୁ ଯାଉଛି। ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ରାଜ୍ୟର ମହିଳାମାନଙ୍କ ଉଦ୍ଦେଶ୍ୟରେ ଏହି ବିଭାଗକୁ ମୁଖ୍ୟମନ୍ତ୍ରୀ ଉତ୍ସର୍ଗ କରିଛନ୍ତି।

ଆଜି ମହିଳା, ଶିଶୁ ବିକାଶ ଓ ମିସନ୍ ଶକ୍ତି ବିଭାଗ ପକ୍ଷରୁ ଲୋକସେବା ଭବନ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଥିଲା। ଏଥିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ହୋଇପାରିଛି। ବିକାଶର ସବୁ କ୍ଷେତ୍ରରେ ଆମର ମା’ମାନେ ଆଜି ଆଗରେ। ମା’ମାନଙ୍କ ସଂଗ୍ରାମ, ଆତ୍ମବିଶ୍ବାସ ଓ ସଫଳତା ଆମ ସମସ୍ତଙ୍କୁ ଉତ୍ସାହିତ କରିଛି। ୭୦ ଲକ୍ଷ ମା’ଙ୍କୁ ନେଇ ମିସନ ଶକ୍ତି, ମମତା କାର୍ଯ୍ୟକ୍ରମ ଓ ପଞ୍ଚାୟତିରାଜରେ ୫୦ ପ୍ରତିଶତ ସଂରକ୍ଷଣ ଆଜି ମା’ମାନଙ୍କ ସାମାଜିକ-ଅର୍ଥନୈତିକ ସଶକ୍ତୀକରଣ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି। କ୍ରୀଡ଼ା ଠାରୁ ଆରମ୍ଭ କରି ଉଦ୍ୟୋଗ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମା’ମାନଙ୍କ ସଫଳତା ବେଶ୍‌ ଉତ୍ସାହଜନକ। ଓଡ଼ିଶା ସରକାର ସବୁବେଳେ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଚଳିତ ବର୍ଷ ଆମେ ସ୍ବତନ୍ତ୍ର ପୁଷ୍ଟି ବଜେଟ ଆଣିଛୁ। ମା’ ଓ ଶିଶୁଙ୍କ ପୁଷ୍ଟି ଉପରେ ଏହା ‌ଗୁରୁତ୍ବ ଦେବ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଚଳିତ ବର୍ଷର ଥିମ୍ ରହିଛି ‘ଆଇ ଆମ୍ ଜେନେରେସନ୍ ଇକ୍ବାଲିଟି ; ରିଅଲାଇଜିଂ ଓମେନ୍‌ସ୍‌ ରାଇଟ୍‌’। ଓଡ଼ିଶାର ଝିଅ ଓ ମା’ମାନେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସୁନାମ କରିଛନ୍ତି। ଦୂତୀ ଚାନ୍ଦ, ପ୍ରତିଭା ରାୟ ଓ ନନ୍ଦିତା ଦାସଙ୍କ ପରି ମହିଳାମାନେ ଦେଶ ବିଦେଶରେ ଓଡ଼ିଶା ପାଇଁ ଗୌରବ ଆ‌ଣିଛନ୍ତି। ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏମାନେ ସାରା ଦେଶର ମହିଳାଙ୍କ ପାଇଁ ଆଦର୍ଶ। ମା’ମାନଙ୍କ ଅଧିକାର ଓ କଲ୍ୟାଣ ପାଇଁ ମୋ ସରକାର ନିଷ୍ଠାର ସହ କାମ କରୁଛି ଓ କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ଅପହଞ୍ଚ ଇଲାକାରେ ପୁଷ୍ଟିସାଧନର ରୂପାନ୍ତରଣ ଓ ପ୍ରଗତି ପାଇଁ ‘ସୋପାନ’ ନାମରେ ଏକ ନୂଆ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ମହିଳା ଓ ଶିଶୁ ବିକାଶ ଏବଂ ମିସନ୍ ଶକ୍ତି ବିଭାଗ ଦ୍ବାରା ଏହାର ରୂପାୟନ ହେବ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଲା ରାଜ୍ୟର ପ୍ରଗତି ପାଇଁ ପୁଷ୍ଟିସରଧନକୁ ସୁବ୍ୟବସ୍ଥିତ କରିବା। ଏହା ଦ୍ବାରା ରାଜ୍ୟର ୨୨ଟି ଜିଲ୍ଲାରେ ଥିବା ୧୨୫ଟି ପ୍ରକଳ୍ପ ମାଧ୍ୟମରେ ୬ ବର୍ଷରୁ କମ୍ ଶିଶୁ, କିଶୋରୀ ବାଳିକା ଓ ଗର୍ଭବତୀ ଏବଂ ପ୍ରସୂତି ମହିଳା ଉପକୃତ ହେବେ।

ଏହି କାର୍ଯ୍ୟକ୍ରମରେ ମହିଳା, ଶିଶୁ ବିକାଶ ଓ ମିସନ୍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଉଦ୍‌ବୋଧନ ‌େଦଇଥିଲେ। ରାଜ୍ୟ ମହିଳା କମିସନ୍‌ ଅଧ୍ୟକ୍ଷା ମିନତି ବେହେରା, ବିଭାଗୀୟ ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ଉପଦେଷ୍ଟା ସୁଲତା ଦେଓ, ଉନ୍ନୟନ କମିସନର୍‌, ବିଭାଗୀୟ ପ୍ରମୁଖ ସଚିବ, ମିସନ୍ ଶକ୍ତି ନିର୍ଦ୍ଦେଶିକା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତିନିଟି ଶ୍ରେଷ୍ଠ ଆଇସିଡିଏସ୍‌ ମୟୂରଭଞ୍ଜ, ଢେଙ୍କାନାଳ ଓ ଗଜପତି, ଶ୍ରେଷ୍ଠ ସ୍ବୟଂ ସହାୟକ ଗୋଷ୍ଠୀ ଭାବେ ବାଲେଶ୍ବରର ଶକ୍ତି ଶଙ୍କରନାଥ, ଗଞ୍ଜାମର ମହାଲକ୍ଷ୍ମୀ ଓ ମାଲକାନଗିରିର ମା’ ମଉଳି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବ୍ୟାଙ୍କର୍‌ ଭାବେ ଏସ୍‌ବିଆଇ, ରାଜ୍ୟ ସମବାୟ ବ୍ୟାଙ୍କ ଓ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ପୁରସ୍କୃତ କରାଯାଇଥିଲା ବେଳେ ପ୍ରତି ଜିଲ୍ଲାରୁ ଜଣେ ଜଣେ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର