କଟକ : ଓଡିଶା ପୁଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜି) ଭାବେ ସୁନିଲ କୁମାର ବଂଶଲ ଦାୟିତ୍ବଗ୍ରହଣ କରିଛନ୍ତି। ଶୁକ୍ରବାର ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ଡିଜିପି ଅଭୟଙ୍କ ଠାରୁ ସେ ଦାୟିତ୍ୱଗ୍ରହଣ କରିଛନ୍ତି। ଶ୍ରୀ ବଂଶଲଙ୍କୁ ‘ଗାର୍ଡ ଅଫ୍ ଅନର’ ଦିଆଯାଇଥିଲା। ପରେ ସେ ସହିଦ ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବଂଶଲ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି, ତାକୁ ସେ ନିଷ୍ଠାର ସହ ସଂପାଦନ କରିବେ। ଓଡିଶା ପୁଲିସର ସାରା ଭାରତରେ ସୁନାମ ରହିଛି। ଏହାକୁ ବଜାୟ ରଖିବା ପାଇଁ ଚେଷ୍ଟା କରିବେ। ପୁଲିସକୁ ଲୋକାଭିମୁଖୀ, ଦାୟିତ୍ୱବାନ, ସମ୍ବେଦନଶୀଳ ଓ ମାନବୀୟ କରିବାକୁ ଚେଷ୍ଟା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର ଓ ‘୫-ଟି’ ମନ୍ତ୍ରକୁ ପୁଲିସ ବିଭାଗରେ ସଫଳ ପ୍ରୟୋଗ କରି କାର୍ଯ୍ୟ କରିବେ। ଏଥିସହ ନକ୍ସଲ ଦମନ କ୍ଷେତ୍ରରେ ଓଡିଶା ପୁଲିସ ଅତୀତରେ ଅନେକ ସଫଳତା ପାଇଛି। ଭବିଷ୍ୟତରେ ମଧ୍ୟ ସେହି କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରି ଓଡିଶାରେ ନକ୍ସଲର ପ୍ରଭାବ ଓ ଗତିବିଧିକୁ ସୀମିତ କରିବୁ। ପଡ଼ୋଶୀ ରାଜ୍ୟମାନଙ୍କ ସହ ମିଶି ମାଓ ମୁକାବିଲା କରିବୁ। ସମାଜର ଦୁର୍ବଳଶ୍ରେଣୀ ଏବଂ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧର ତ୍ୱରିତ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟରେ ଘଟୁଥିବା ସଂଗଠିତ ଅପରାଧ ଓ ମାଫିଆ ରାଜକୁ ଦୃଢ଼ହସ୍ତରେ ଦମନ କରାଯିବ। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଚେଷ୍ଟା କରିବେ ବୋଲି ଶ୍ରୀ ବଂଶଲ କହିଛନ୍ତି।
/sambad/media/post_attachments/wp-content/uploads/2022/01/dg-n1.jpg)
ସୂଚନାଯୋଗ୍ୟ ଯେ ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ ଶ୍ରୀ ବଂଶଲ ରାଜସ୍ଥାନ ଜୟପୁର ଅଞ୍ଚଳର ମୂଳବାସିନ୍ଦା। ତାଙ୍କ ଚାକିରି କାଳ ମଧ୍ୟରେ ସେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଏବଂ ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍ର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ଗୁଇନ୍ଦା ବିଭାଗରେ ଯୁଗ୍ମ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ପରେ ସେ ଗୁଇନ୍ଦା ବିଭାଗ ଉପନିର୍ଦ୍ଦେଶକ ଏବଂ ଅଟାୱାସ୍ଥିତ ଭାରତ ସରକାରଙ୍କ ହାଇକମିସନ କାର୍ଯ୍ୟାଳୟରେ କାଉନ୍ସିଲ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ନୂଆଦିଲ୍ଲୀସ୍ଥିତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ନିର୍ଦ୍ଦେଶକ, ଗୁଇନ୍ଦା ବିଭାଗର ଯୁଗ୍ମ ନିର୍ଦ୍ଦେଶକ, ମୁମ୍ୱାଇସ୍ଥିତ ଏସ୍.ଆଇ.ବି ଠାରେ ଅତିରିକ୍ତ ନିର୍ଦ୍ଦେଶକ, ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dg-n.jpg)