ଚୌଦ୍ବାର : ଓଟିଏମ୍‌କୁ ସରକାର ହାତକୁ ନେବେ। ସେଠି ପୁଣି ହୁଏତ ଟେକ୍ସଟାଇଲ୍ ପାର୍କ ମୁଣ୍ଡ ଟେକିବ। ‌ଚୌଦ୍ବାର ପୁଣି ଶିଳ୍ପକୁ ନେଇ ଚଳଚଞ୍ଚଳ ହେବ। ଏଭଳି ଆଶା ଏବେ ସଂଚାର ହୋଇଥିବା ବେଳେ ବୁଡ଼ି ଯାଇଥିବା ଓଟିଏମ୍‌ର କର୍ମଚାରୀଙ୍କ ଅସରନ୍ତି ଦୁଃଖ ଏବେ ସାମନାକୁ ଆସୁଛି। ଓଟିଏମ୍ ବନ୍ଦ ହେଲା ବେଳକୁ ପ୍ରାୟ ୩୭ଶହ କର୍ମଚାରୀ କାର୍ଯ୍ୟରତ ଥିଲେ। ସେମାନଙ୍କ ମଧ୍ୟରୁ ୭ଶହରୁ ଅଧିକ ପ୍ରାଣ ହରାଇଲେଣି। ତେବେ, ଏହି ୩୭ଶହରୁ ଅଧିକ ପରିବାରଙ୍କ ମନରେ ପ୍ରାପ୍ୟ ଆଶା ଉଜ୍ଜୀବିତ ହୋଇଛି।

Advertisment

ଓଟିଏମର ଶ୍ରମିକ, କର୍ମଚାରୀ, ଅଧିକାରୀ ଏଭଳି ୩ଟି ବର୍ଗର ଲୋକ ଅଛନ୍ତି। ଓଟିଏମରୁ ସ୍ବେଚ୍ଛାକୃତ ଅବସର, ବାଧ୍ୟତାମୂଳକ ଅବସର ନେଇଥିବା କର୍ମଚାରୀ ବି ଅଛନ୍ତି। ପ୍ରାୟ ସମସ୍ତଙ୍କ ଟଙ୍କା ବାକି ପଡ଼ିଛି। ହାରାହାରି ହିସାବ କଲେ ଜଣେ ଜଣେ ଅତିକମ୍‌ରେ ୪ରୁ ୫ ଲକ୍ଷ ଟଙ୍କା ବକେୟା ପାଇବେ। କାହାର ବେଶୀ ହେବ ତ କାହାର କିଛି କମ୍। ଏଭଳି ହିସାବରେ ବକେୟା ପୈଠ ପାଇଁ ପ୍ରାୟ ୧୫୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ। ଯେତିକି ମିଳିବ ବୋଲି କୁହାଯାଉଛି, ତାହା ଜୀବନ ପାଇଁ ଚାଲିଥିବା ଦୀର୍ଘ ଦିନର ସଂଘର୍ଷକୁ କେତେ ଭରଣା କରିପାରିବ, ତାହା ବି ଏବେ ଆଲୋଚନାର ପ୍ରସଙ୍ଗ। ବକେୟା ଆଶାରେ ଦୁଃଖକଷ୍ଟ ସହି ପଡ଼ିରହିଥିବା ଅନେକ କହିଛନ୍ତି ଯେ ଯାହା କିଛି ଯଦି ମିଳିବ, ତାକୁ ନେଇ ଗାଁକୁ ଚାଲିଯିବେ। ଓଟିଏମ୍‌ ତାଙ୍କୁ ଜୀବିକା ଦେଇଥିଲା ସତ, କିନ୍ତୁ ଓଟିଏମର ଦୁଃସ୍ଥିତି ସେମାନଙ୍କ ଜୀବନର ସବୁ ସୁଖ ଛଡ଼ାଇ ନେଇଛି । ସରକାର ଚାହିଁଥିଲେ ୨୦ ବର୍ଷ ପୂର୍ବରୁ ବି ଏତକ କରିପାରିଥା’ନ୍ତେ ବୋଲି ଅନେକ କ୍ଷୋଭର ସହ କହିଛନ୍ତି।

publive-image Sambad

୭୬ ବର୍ଷ ବୟସ୍କ କପିତାନା ମହାନ୍ତି ହେଉଛନ୍ତି ପୂର୍ବତନ ସୁରକ୍ଷା କର୍ମଚାରୀ। ଭିଆରଏସ୍‌ ନେଇଥିଲେ। ତାଙ୍କର ୨୪ମାସର ଦରମା ସହ ୪ବର୍ଷର ପି.ଏଫ୍ ଟଙ୍କା ବକେୟା ରହିଛି। ଗୋଟିଏ ପୁଅ ଓ ଦୁଇ ଝିଅ ଥିବାବେଳେ ଗୋଟିଏ ଝିଅ ଆଜି ପର୍ଯ୍ୟନ୍ତ ବାହା ହୋଇପାରିନି। ଅର୍ଥ ପାଇଲା ପରେ ନିଜର ଗାଁ ଗଞ୍ଜାମର ଆସ୍କାକୁ ଫେରିଯିବି ବୋଲି ସେ କହିଛନ୍ତି।

୭୪ ବୟସ୍କ ସଚ୍ଚିଦାନନ୍ଦ ସାହୁ ୨୦୦୧ରେ ଭିଆରଏସ୍‌ ନେଇଥିଲେ। ତାଙ୍କର ଅଢେଇ ବର୍ଷର ଦରମା ବାକି ଅଛି। ୮୧ ବର୍ଷୀୟ ଅଭିରାମ ଭୂୟାଁଙ୍କର ୧୮ମାସର ଦରମା ଆଉ ଅନ୍ୟାନ୍ୟ ପ୍ରାପ୍ୟ ବାକି ରହିଛି। ଆମ ଦୁଃଖ ଶୁଣିବାକୁ ଅନେକ ଦିନ ଲାଗିଗଲା ବୋଲି ଶ୍ରୀ ଭୂୟାଁ କହିଛନ୍ତି।

ମୃତ କର୍ମଚାରୀ ଆଦିନାରାୟଣ ରେଡ୍ଡିଙ୍କ ପତ୍ନୀ ଜି. ମୁକେଲ ରେଡ୍ଡି ଓଟିଏମ୍ ଦୁର୍ଗା ବଜାର ବସ୍ତିରେ ରହୁଥିବା ବେଳେ ଦୁଇ ପୁଅଙ୍କୁ ନେଇ ବହୁ ଦୁଃଖ କଷ୍ଟରେ ଚଳି ଆସୁଛନ୍ତି। ସ୍ବାମୀଙ୍କର ପି.ଏଫ୍. ଅର୍ଥଠୁ ଆରମ୍ଭ କରି ବକେୟା ଦରମା ବାକି ପଡିଛି। ସେ ସବୁ ହିସାବ ସେ ରଖି ନାହାନ୍ତି। କୋର୍ଟଙ୍କ ଉପରେ ଭରସା କରି ସେ ଆଶାବାନ୍ଧି ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି।

publive-image

୭୦ ବର୍ଷ ବୟସ୍କ ସୁରେନ୍ଦ୍ର ନାଥ ମଲ୍ଲିକଙ୍କର ୧୮ମାସର ଦରମା, ପି.ଏଫ୍, ବୋନସ ଇତ୍ୟାଦି ବାକି ପଡ଼ିଛି। ଓଟିଏମ୍‌ରେ ଚାକିରି କରିବା ପରେ ଅନେକ ଆଶାରେ ‌କେନ୍ଦ୍ରାପଡ଼ାର ନିଜ ଗାଁ ଛାଡ଼ି ପରିବାର ନେଇ ଚୌଦ୍ବାର ଚାଲି ଆସିଥିଲେ। କିନ୍ତୁ, ଓଟିଏମ୍ ବନ୍ଦ ହୋଇଯିବାରୁ ମୂଲ ଲାଗି ପରିବାର ଚଳାଇ ଆସୁଛନ୍ତି। ପ୍ରାପ୍ୟ ମିଳିଲେ ଗାଁକୁ ଫେରିଯିବି। କିନ୍ତୁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଧ୍ୟାନ ଦେଲେ ଏହି ଚୌଦ୍ବାର ସହର ପୁଣି ହସି ଉଠିବ ବୋଲି ସେ କହିଛନ୍ତି।

୬୪ ବର୍ଷ ବୟସ୍କ ବାବୁରାମ ନାୟକଙ୍କର ବି ୧୮ମାସର ଦରମା ଟଙ୍କାଠୁ ଆରମ୍ଭ କରି ୧୯୯୭ ଠାରୁ ଡିପୋଜିଟ ହୋଇନଥିବା ପି.ଏଫ୍ ଟଙ୍କା ବାକିପଡ଼ିଛି। ଅନ୍ୟାନ୍ୟ ପ୍ରାପ୍ୟ ବି ପଡ଼ିରହିଛି। ଓଟିଏମ ବନ୍ଦ ହେବାପରେ ସେ ଦୀର୍ଘ ୨୦ବର୍ଷ ଧରି ବଢେଇ କାମଠୁ ଆରମ୍ଭ କରି ରାଜମିସ୍ତ୍ରି ଏବଂ ଶେଷରେ ମୂଲ ଲାଗି ପରିବାର ପ୍ରତିପୋଷଣ କରିଛନ୍ତି। କେନ୍ଦ୍ରାପଡାରୁ ଆସି ଏଠି ଓଟିଏମରେ ଚାକିରି କରିବାର ନିଶାରେ ତାଙ୍କର ଭବିଷ୍ୟତ ଅନ୍ଧାର ହୋଇଗଲା ବୋଲି ଶ୍ରୀ ନାୟକ କହିବା ସହିତ ସରକାର ଚାହିଁଥିଲେ ୨୦ବର୍ଷ ପୂର୍ବରୁ ମଧ୍ୟ ଓଟିଏମ୍‌ର ସ୍ଥିତି ବଦଳି ଯାଇ ପାରିଥା’ନ୍ତା ବୋଲି କହିଛନ୍ତି।