ଏସ୍‌ସିବିରେ ଖୋଲିଲା ନୂତନ ଶିକ୍ଷା ସେଲ୍‌ : ତାଲିମ ନେଉଛନ୍ତି ୨୭ କଲେଜ୍‌ର ଡାକ୍ତର

କଟକ : ଏସ୍‌ସିବି ମେଡିକାଲ୍‌ କଲେଜରେ ନୂଆ ଶିକ୍ଷା ସେଲ୍‌ ଖୋଲାଯାଇଛି। ବିଭିନ୍ନ ମେଡିକାଲ୍‌ କଲେଜର ଡାକ୍ତରମାନଙ୍କୁ ଶିକ୍ଷାଦାନ ସମ୍ପର୍କରେ ତାଲିମ ଦିଆଯିବା ସହିତ ମେଡିକାଲ୍‌ ଛାତ୍ରଛାତ୍ରୀମାନଙ୍କୁ ଏକାଡେମିକ୍‌ କାର୍ଯ୍ୟରେ ଅଧିକ ସଂପୃକ୍ତି କରିବା ଏହି ସେଲ୍‌ର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହିତ ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ)ର ନିୟମାବଳୀ ମଧ୍ୟରେ ଏହି ସେଲ୍‌ ରହିଥିଲାବେଳେ ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାକୁ ବିଭିନ୍ନ ବିଭାଗର ସେମିନାର ହଲ୍‌ରେ କାମ ଚଳା ଭାବେ ଚଲାଯାଉଥିଲା।

ତେବେ ଗତ ଦୁଇ ଦିନ ତଳେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ବିଲିଂରେ ଏମ୍‌ଏମ୍‌ଟି ବିଭାଗ ପାଖକୁ ନୂତନ ଶିକ୍ଷା ସେଲ୍‌ ଖୋଲାଯାଇଛି। ଏଥିସହିତ ଏମ୍‌ସିଆଇ ପକ୍ଷରୁ ଏସ୍‌ସିବି ମେଡିକାଲ୍‌ର ଶିକ୍ଷା ସେଲ୍‌କୁ ଆଞ୍ଚଳିକ ତାଲିମ କେନ୍ଦ୍ରର ମାନ୍ୟତା ମଧ୍ୟ ଦିଆଯାଇଛି। ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ ଓ ଆଞ୍ଚଳିକ କେନ୍ଦ୍ରର ସଂଯୋଜକ ପ୍ରଫେସର ଡାକ୍ତର ଗୀତା ସାହୁଙ୍କ ଉଦ୍ୟମରେ ସୋମବାରଠୁ ଏହି କେନ୍ଦ୍ରର ନୂତନ ହଲ୍‌ରେ ଏହାର ଦଶମ ବ୍ୟାଚର ଡାକ୍ତର ତାଲିମ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଏସ୍‌ସିବିରେ ଖୋଲିଥିବା ଏହି ତାଲିମ୍‌ କେନ୍ଦ୍ରରୁ ଓଡ଼ିଶା ସମେତ ଉତ୍ତର ପୂର୍ବ ଓ ପୂର୍ବ ଭାରତର ମୋଟ ୨୭ ସରକାରୀ ଓ ଘରୋଇ ମେଡିକାଲ୍‌ କଲେଜର ଡାକ୍ତରମାନେ ତାଲିମ୍‌ ନେଉଛନ୍ତି। ଆସିଷ୍ଟାଣ୍ଟ ପ୍ରଫେସର ଓ ତତୁର୍ଦ୍ଧ୍ୱ ର‍୍ୟାଙ୍କ୍‌ର ଡାକ୍ତରମାନେ ଏଠାରୁ ଶିକ୍ଷାଦାନ ସମ୍ପର୍କିତ ତାଲିମ ନେବା ନିୟମ ରହିଛି। ଏଠାରେ ପ୍ରତି ତିନି ମାସରେ ତାଲିମ୍‌ କାର୍ଯ୍ୟକ୍ରମ ଆୟୋଜନ ହେବ। ପ୍ରତି ବ୍ୟାଚ୍‌ରେ ୩୦ଜଣ ଡାକ୍ତର ତାଲିମ ନେବେ। ୪ଦିନ ଧରି ଚାଲୁଥିବା ତାଲିମ କାର୍ଯ୍ୟକ୍ରମ ସକାଳ ୯ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଏସ୍‌ସିବି ମେଡିକାଲ୍‌ କଲେଜର ବରିଷ୍ଠ ଡାକ୍ତର ଏବଂ ଅନ୍ୟାନ୍ୟ ମେଡିକାଲ୍‌ କଲେଜର ବରିଷ୍ଠ ଡାକ୍ତରମାନେ ଏଠାରେ ତାଲିମ ଦେବେ। ଏଥିପାଇଁ ନୂତନ ଶିକ୍ଷା ସେଲ୍‌ରେ ତାମିଲ ପାଇଁ ସ୍ୱତନ୍ତ୍ର କେନ୍ଦ୍ର ସହିତ ଏକ କନ୍‌ଫରେନ୍ସ ହଲ୍‌ ମଧ୍ୟ ରହିଛି।

ରାଜ୍ୟରେ ପ୍ରତିବର୍ଷ ଯେଉଁ ରୋଗ ଅଧିକ ମାତ୍ରାରେ ବ୍ୟାପୁଛି ସେହି ଅନୁଯାୟୀ ପାଠ୍ୟକ୍ରମ ତିଆରି କରାଯିବ। ପରବର୍ତ୍ତୀ ସମୟରେ ତାହାକୁ ଏମ୍‌ସିଆଇ ତଦାରଖ କରିବ। ଏଥିସହିତ ମେଡିକାଲ୍‌ ଛାତ୍ରଛାତ୍ରୀମାନଙ୍କୁ ଏକାଡେମିକ୍‌ କ୍ଷେତ୍ରରେ ଅଧିକ ମାତ୍ରାରେ ଜଡ଼ିତ ରଖିବାକୁ ଏହି ସେଲ୍‌ କାର୍ଯ୍ୟ କରିବ। ରୋଗୀଙ୍କ ଦେହରେ ମେଡିକାଲ୍‌ ସରଞ୍ଜାମ ଲଗାଯିବା, ଅସ୍ତ୍ରୋପଚାର ଇତ୍ୟାଦିକୁ ଏଠାରେ କର୍ମଶାଳା ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବ। ବିଭାଗରେ ସେସବୁ ଶିଖିବା ସହିତ ବର୍ଷକୁ ଦୁଇ ତିନିଥର ଶିକ୍ଷା ସେଲ୍‌ରେ କର୍ମଶାଳା ଆୟୋଜନ କରାଯାଇ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସେମାନଙ୍କୁ ଅଧିକ ପାରଙ୍ଗମ କରାଯିବ। ଏଥିସହିତ ମେଡିକାଲ୍‌ର ସଫଳ କାର୍ଯ୍ୟକ୍ରମ ସମ୍ପର୍କରେ ତିନ ମାସକୁ ଥରେ ଏକ ମାଗାଜିନ୍‌ ପ୍ରକାଶ ପାଇବ ବୋଲି ଆଞ୍ଚଳିକ ତାଲିମ କେନ୍ଦ୍ରର ଆବାହକ ଡାକ୍ତର ଶ୍ରୀକାନ୍ତ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର