ନୂଆ ଶିକ୍ଷା ନୀତିକୁ ନେଇ ଅକଳରେ ରାଜ୍ୟ
ସଂଘୀୟ ବ୍ୟବସ୍ଥାକୁ ଚୋଟ, ଉଚ୍ଚଶିକ୍ଷା ଚାବି କେନ୍ଦ୍ର ହାତରେ
ଲକ୍ଷ୍ୟହାସଲ ପାଇଁ ସମୟ ଧାର୍ଯ୍ୟ ହୋଇଛି, ପାଣ୍ଠି କୁଆଡୁ ଆସିବ
ଘରୋଇ ସଂସ୍ଥା, ଆଦର୍ଶ ବିଦ୍ୟାଳୟକୁ ମିଳିବ ଅଧିକ ଫାଇଦା
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ଜାତୀୟ ଶିକ୍ଷାନୀତି ୨୦୨୦ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେଲାଣି। ଏହି ନୀତି ସଂପର୍କରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଏଯାଏ ଅସ୍ପଷ୍ଟ ରହିଛି। ଏଇଥିପାଇଁ ଯେ ଶିକ୍ଷା ନୀତିର ସ୍ବରୂପ ସଂପର୍କରେ ଯେଉଁ ଚିତ୍ର ରଖାଯାଇଛି, ସେଥିରେ କେଉଁଠି ନା କେଉଁଠି ସଂଘୀୟ ବ୍ୟବସ୍ଥା କିଛି ପରିମାଣରେ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଲାଣି। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଶିକ୍ଷା କ୍ଷେତ୍ର ହେଉଛି କେନ୍ଦ୍ର-ରାଜ୍ୟ ଯୁଗ୍ମ ତାଲିକା ପରିସରଭୁକ୍ତ। କିନ୍ତୁ କେନ୍ଦ୍ର ସରକାର ଯେଭଳି ଏକତରଫା ଭାବେ ନୂଆ ନିଷ୍ପତ୍ତି ନେଇଛନ୍ତି ତାହା ବିଭ୍ରାନ୍ତି ସୃଷ୍ଟି କରିଛି। ବିଦ୍ୟାଳୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରଭାବ ରହିପାରେ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ନୀତି ନିର୍ମାଣ, ନିୟାମକ, ଶିକ୍ଷାଗତ ବ୍ୟାପାର ଲାଗି ଏକ ସ୍ପଷ୍ଟ ପ୍ରଣାଳୀର ପରିକଳ୍ପନା କରିଛନ୍ତି। ଯେଉଁଥିରେ ରାଜ୍ୟମାନେ ଷ୍ଟେଟ୍ ସ୍କୁଲ ଷ୍ଟାଣ୍ଡାର୍ଡସ ଅଥରିଟି ଗଠନ କରିବେ। ହେଲେ ଉଚ୍ଚଶିକ୍ଷା କ୍ଷେତ୍ରରେ ଅସଲ ଚାବି କାଠି କିନ୍ତୁ କେନ୍ଦ୍ର ସରକାରଙ୍କ ହାତରେ ରହିବ। ଚିକିତ୍ସା ଓ ଆଇନ ଶିକ୍ଷାକୁ ଛାଡ଼ିଦେଲେ ସମସ୍ତ ଉଚ୍ଚଶିକ୍ଷା ଲାଗି ଏକକ ସଂସ୍ଥାନ ରୂପରେ ଭାରତର ଉଚ୍ଚ ଶିକ୍ଷା ଆୟୋଗ କାର୍ଯ୍ୟ କରିବ। ଅର୍ଥାତ୍ ରାଜ୍ୟର କ୍ଷମତା ଏ କ୍ଷେତ୍ରରେ ସଙ୍କୁଚିତ ହୋଇପାରେ େବାଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କେବଳ ସେତିକି ନୁହେଁ, ସଂସଦ ବା ବିଧାନସଭାର ଭୂମିକା ଏବେ ଶିକ୍ଷା କ୍ଷେତ୍ରରେ ଗୌଣ ହୋଇଯିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇ ହେଉନାହିଁ।
କେନ୍ଦ୍ର ସରକାରଙ୍କ ଏହି ଶିକ୍ଷା ନୀତିର ବେଶି ଲାଭ ଘରୋଇ ସଂସ୍ଥାକୁ ଯିବ। ଶିକ୍ଷା ବ୍ୟବସ୍ଥାକୁ ଅଧିକ କର୍ପୋରେଟ୍ ଅନୁଷ୍ଠାନ ପଶିଆସିବା ମଧ୍ୟ ବିଚିତ୍ର ନୁହେଁ। ରାଜ୍ୟ ସରକାରଙ୍କ ନୂତନ ଆଦର୍ଶ ବିଦ୍ୟାଳୟ ମଧ୍ୟ ଏହାଦ୍ବାରା ଉପକୃତ ହେବେ। କିନ୍ତୁ ସାଧାରଣ ସରକାରୀ ବିଦ୍ୟାଳୟ ବିଶେଷ ଉପକୃତ ହୋଇପାରିବେ ନାହିଁ ବୋଲି କୁହାଯାଉଛି।
ସବୁ ରାଜ୍ୟକୁ ଦୃଷ୍ଟିରେ ରଖି ତଥା ମତାମତ ନେଇ କେନ୍ଦ୍ର ସରକାର ଏହି ନୀତି ପ୍ରସ୍ତୁତ କରିଥିଲେ ହେଁ, ଓଡ଼ିଶା ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ଥିତି ଓ ଭିତ୍ତିଭୂମି ଯାହା, ସେଥିରେ କେନ୍ଦ୍ରୀୟ ନୀତିର ମାପଦଣ୍ଡକୁ କାର୍ଯ୍ୟକାରୀ କରିବାକୁ ହେଲେ ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ବଡ଼ ଧରଣର ନବୀକରଣର ଆବଶ୍ୟକତା ରହିଛି। ବିଶେଷକରି ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳମାନଙ୍କରେ ଖୋଲିଥିବା ଅନୁଦାନପ୍ରାପ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଗଭୀର ଭାବେ ପ୍ରଭାବିତ ହେବେ। ସେହିଭଳି କେନ୍ଦ୍ର ସରକାର ବିଦ୍ୟାଳୟ କ୍ଷେତ୍ରରେ ଯେଉଁ କ୍ଲଷ୍ଟର ଆଭିମୁଖ୍ୟ ରଖିଛନ୍ତି, ତାହା ରାଜନୈତିକ, ଭୌଗୋଳିକ ଓ ଆର୍ଥିକ ଦୃଷ୍ଟିକୋଣରୁ କାର୍ଯ୍ୟକାରୀ କରିବା ମଧ୍ୟ କାଠିକର ପାଠ। ରାଜ୍ୟ ସରକାର ହାଇସ୍କୁଲ ଓ ଯୁକ୍ତ ଦୁଇ ମିଶ୍ରଣ ପ୍ରସଙ୍ଗରେ ନାକେଦମ୍ ହେଲେଣି। ଏଭଳିସ୍ଥଳେ ନୂଆ ନୀତି ଆହୁରି ବିଷମ ସ୍ଥିତି ସୃଷ୍ଟି କରିବା ଅସମ୍ଭବ ନୁହେଁ।
ଅଙ୍ଗନବାଡ଼ି ଓ ପ୍ରାକ୍ ବିଦ୍ୟାଳୟକୁ ଯେଉଁ ମାନର କରିବା ଲାଗି ନୀତିରେ ମାର୍ଗଦର୍ଶନ କରାଯାଇଛି, ତାହାର କାର୍ଯ୍ୟାନ୍ବୟନ ମଧ୍ୟ ସହଜ ସାଧ୍ୟ ମନେ ହେଉନାହିଁ। କେନ୍ଦ୍ରୀୟ ନୀତିରେ କେବଳ ଶୈଶବର ଯତ୍ନ କୁହାଯାଇନାହିଁ, ତା ସହିତ ଏକ ଉନ୍ନତ ପାଠ୍ୟକ୍ରମ ସଂପର୍କରେ ସୂଚୀତ କରାଯାଇଛି। ରାଜ୍ୟରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ବାରା ନିଯୁକ୍ତି ପାଇଥିବା ଅଙ୍ଗନବାଡି କର୍ମୀ ଏହି ଆବଶ୍ୟକତାକୁ କେତେ ପରିମାଣରେ ଦୂର କରିପାରିବେ, ଶିକ୍ଷା ବ୍ୟବସ୍ଥା ଓ ପାଠ୍ୟଖସଡା ତାଲିମ ଏ କ୍ଷେତ୍ରରେ କେତେ ପ୍ରଭାବ ରଖିବ, ତାହା ଏବେ ଗଭୀର ଅନୁଶୀଳନର ଆବଶ୍ୟକତା ରହୁଛି।
ରାଜ୍ୟରେ ପାଖାପାଖି ୨ହଜାର ପଞ୍ଚାୟତରେ ଟେଲି ସେବା ସମସ୍ୟା ରହିଛି। ବିଦ୍ୟୁତ ସେବା କଥା ନ କହିବା ଭଲ। ଏଭଳି ସ୍ଥଳରେ ଅନଲାଇନ୍ ପାଠ୍ୟକ୍ରମ ଉପରେ ନୂଆ ଶିକ୍ଷାନୀତିରେ ଜୋର ଦିଆଯାଇଛି।
କ୍ୟାମ୍ପସ ଠାରୁ ଆରମ୍ଭ କରି ସ୍ମାର୍ଟ ଶ୍ରେଣୀ ଗୃହ, ଧନ୍ଦାମୂଳକ ଶିକ୍ଷା ପାଇଁ ବିଭିନ୍ନ ପ୍ରୟୋଗ ଶାଳା ତଥା ଲାବୋରେଟୋରି ଆଦି ନିର୍ମାଣ କରିବା ଲାଗି ବ୍ୟାପକ ଅର୍ଥ ଓ ସମୟର ଆବଶ୍ୟକତା ରହିଛି।
କେନ୍ଦ୍ର ସରକାର ଏହି ନୀତି ଘୋଷଣା କରିବା ବେଳେ ଯଦିଓ ବିଭିନ୍ନ ଲକ୍ଷ୍ୟ ହାସଲ ପାଇଁ ସମୟ ଧାର୍ଯ୍ୟ କରିଛନ୍ତି, କିନ୍ତୁ ଆବଶ୍ୟକ ଭିତ୍ତିଭୂମି ଆଦି ଲାଗି ଆବଶ୍ୟକ ଅର୍ଥ କିଭଳି ଭରଣା ହେବ, କେନ୍ଦ୍ର ସରକାରଙ୍କ ଯୋଗଦାନ ଏ କ୍ଷେତ୍ରରେ କଣ ହେବ, ତାହା କହିନାହାନ୍ତି। ଲିଙ୍ଗ ସମାବେଶନ ପାଣ୍ଠି, ଏସସି, ଏସଟି, ଓବିସି ଓ ଅନ୍ୟ ସ୍ବତନ୍ତ୍ର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଯୋଗ୍ୟତାକୁ ପ୍ରୋତ୍ସାହନ ଦେବା ସଂପର୍କରେ କେବଳ ନୀତିରେ ସୂଚାଇ ଦିଆଯାଇଛି।
ଉଲ୍ଲେଖଥାଉକି, ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିସ ପରଠାରୁ ଶିକ୍ଷା କ୍ଷେତ୍ରରେ ଅନୁଦାନ ହ୍ରାସ ପାଇଛି। ଯଦିଓ କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ ଅଧିକ ନିବେଶ କରିବେ ବୋଲି ଘୋଷଣା କରିଥିଲେ, ୨୦୧୪-୧୫ରୁ ୨୦୧୯-୨୦ ମଧ୍ୟରେ କେନ୍ଦ୍ରୀୟ ବଜେଟ୍ରେ ଶିକ୍ଷା ପାଇଁ ଅନୁଦାନ ପରିମାଣ ୪.୧୪% ରୁ ୩.୪%କୁ ହ୍ରାସ ପାଇଛି। ଗତ ୮ବର୍ଷର ବଜେଟ୍ ଅନୁଦାନକୁ ବିଚାରକୁ ନେଲେ ଏକଥା ବି ଦେଖାଯାଉଛି ଯେ କେରଳ, ମହାରାଷ୍ଟ୍ର, ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ ଭଳି ରାଜ୍ୟମାନଙ୍କର ଶିକ୍ଷା ବଜେଟ୍ ପରିମାଣ ହାରାହାରି ୧୬.୦୫% ରୁ ୧୩.୫୨%କୁ ଖସିଆସିଛି। ଓଡ଼ିଶାରେ ବଜେଟର ବଡ଼ ଅର୍ଥ ଦରମା ବାବଦରେ ଖର୍ଚ୍ଚ ହେଉଛି।
ଏବେ କେନ୍ଦ୍ର ସରକାରଙ୍କ ଶିକ୍ଷାନୀତିରେ ଯେଉଁ ବିଶାଳ ପୁଞ୍ଜିନିବେଶର ସଙ୍କେତ ମିଳିଛି, ଶିକ୍ଷା ବ୍ୟବସ୍ଥାରେ ପୂରା ନବୀକରଣର ଆଭାସ ମିଳିଲାଣି ତାହା କିଭଳି ପୂରଣ କରାଯିବ, ଏବେ ବଡ଼ ପ୍ରଶ୍ନ। ସେହିଭଳି ଏଥିରେ କେନ୍ଦ୍ରୀୟ ଯୋଗଦାନ କେତେ ରହିବ, ପ୍ରଶିକ୍ଷିତ ତଥା ଯୋଗ୍ୟ ମାନବ ସମ୍ବଳ ଏତେ ପରିମାଣରେ ଉପଲବ୍ଧ ହେବେ ନା ନାହିଁ ଏଭଳି ଅନେକ ପ୍ରଶ୍ନ ଉପରେ ଏହି ନୀତିର କାର୍ଯ୍ୟାନ୍ବୟନ ନିର୍ଭର କରୁଛି।
୩୪ ବର୍ଷ ତଳର ଶିକ୍ଷା ନୀତି ଏଯାଏ ଶତପ୍ରତିଶତ କାର୍ଯ୍ୟାନ୍ବୟନ ହୋଇପାରିନଥିବା ବେଳେ କେନ୍ଦ୍ର ସରକାର ଏହି ନୀତି ଅନୁପାଳନ ନେଇ ଠୋସ୍ ଭାବେ ସମୟ ବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିରେ କୁହାଯାଇଛି, ୨୦୩୦ ସୁଦ୍ଧା ଶତ ପ୍ରତିଶତ ଯୁବକ ଓ ପ୍ରୌଢ଼ଙ୍କୁ ସାକ୍ଷରତା ପ୍ରଦାନ କରାଯିବ। ୨୦୩୫ ସୁଦ୍ଧା ଉଚ୍ଚତର ଶିକ୍ଷାରେ ସକଳ ନାମାଙ୍କନ ଅନୁପାତ ୫୦ ପ୍ରତିଶତକୁ ବଢ଼ିବ।