ବିଜେପିର ପ୍ରଶ୍ନ: ନୂତନ ଶିକ୍ଷାନୀତି କୁଆଡ଼େ ଗଲା?

ଭୁବନେଶ୍ୱର : ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ତ ହୋଇଯାଇଛି। କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ପାଠପଢ଼ା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ। ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଫଳ ହୋଇଥିବାରୁ ଗରିବ ଓଡ଼ିଆ ପରିବାରର ପିଲାଙ୍କର ଭବିଷ୍ୟତ ଅନ୍ଧକାର ହୋଇଗଲାଣି ବୋଲି ବିଜେପି ଅଭିଯୋଗ ଆଣିଛି। ସବୁ ଶ୍ରେଣୀ ପାଇଁ ଶ୍ରେଣୀ ଗୃହ ଓ ପ୍ରତି ଶ୍ରେଣୀ ପାଇଁ ଶିକ୍ଷକଙ୍କ ଘୋର ଅଭାବ ମାମଲାରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ଦାବି କରିଛନ୍ତି।

ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଉଚ୍ଚଶିକ୍ଷାରେ ସଂସ୍କାର ଆଣିବାକୁ ମୁଖ୍ୟମନ୍ତ୍ରୀ ୨୦୧୫ରେ ନୂତନ ଶିକ୍ଷାନୀତି ନେଇ ଘୋଷଣା କରିଥିଲେ। ହେଲେ ଏହି ଶିକ୍ଷାନୀତି କୁଆଡ଼େ ଗଲା? ରାଜ୍ୟର ୭% ସରକାରୀ ବିଦ୍ୟାଳୟ ଜଣେ ଶିକ୍ଷକରେ ଚାଲୁଥିବା ବେଳେ ୬୬% ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩୦ଜଣ ଛାତ୍ର ପାଇଁ ଜଣେରୁ କମ୍‌ ଶିକ୍ଷକ ଅଛନ୍ତି, ସର୍ବଶିକ୍ଷା ଅଭିଯାନରେ ଏପର୍ଯ୍ୟନ୍ତ ସମସ୍ତ ପଦବି ପୂରଣ ହୋଇନଥିବା ବେଳେ ୨୪,୪୪୬ଟି ଶିକ୍ଷକ ପଦବି ଖାଲି ପଡ଼ିଛି, ସରକାରୀ ହାଇସ୍କୁଲରେ ବି ତଦ୍ରୁପ ଅବସ୍ଥା। ଏଠାରେ ୧୧,୩୪୧ଟି ପଦବି ଖାଲି ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଶିକ୍ଷକ ନିଯୁକ୍ତି ବୋର୍ଡ ଗଠନ ହେଉନି, ଶିକ୍ଷକମାନଙ୍କୁ ବିଭିନ୍ନ ବର୍ଗରେ ବିଭାଜିତ ନ କରି ସମାନ କମାକୁ ସମାନ ଦରମା ଦିଆଯାଉ, ମାତ୍ର ୧୧,୧୯୨ଟି ସ୍କୁଲରେ ଖେଳ ପଡ଼ିଆ ଥିବାବେଳେ ୩୨ହଜାରରୁ ଅଧିକ ସ୍କୁଲରେ ପିଲାଙ୍କ ଖେଳ ପାଇଁ କିଛି ସୁବିଧା ନାହିଁ, ପ୍ରାଥମିକ ଶିକ୍ଷା ସ୍ଥିତି ଏପରି ଯେ, ୩୭୬ଟି ବିଦ୍ୟାଳୟର ନିଜସ୍ୱ ଘର ନାହିଁ, ସ୍କୁଲରେ ବିଜୁଳି ନ ଥିବାବେଳେ ରାଜ୍ୟ ସରକାର କମ୍ପ୍ୟୁଟର ଶିକ୍ଷା ଦେବା କହୁଛନ୍ତି।

କେବଳ ଏତିକି ନୁହେଁ ଉଚ୍ଚଶିକ୍ଷା ସ୍ଥିତି ତଦ୍ରୁପ। ୮ଟି ପଛୁଆ ଜିଲ୍ଲାରେ ମଡେଲ ଡିଗ୍ରି କଲେଜ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ଖୋଲିପାରିଲାନି। ୮ଟି ଜିଲ୍ଲାରେ ସରକାରୀ ମହାବିଦ୍ୟାଳୟ ନ ଥିବାବେଳେ ଉଚ୍ଚଶିକ୍ଷା ବିଭାଗର ଏଥିପାଇଁ ବି କିଛି ଯୋଜନା ନାହିଁ, ନିଯୁକ୍ତି ଅଭାବରୁ ଇଞ୍ଜିନିୟରିଂ ଶିକ୍ଷା ଭୁଶୁଡ଼ିଗଲାଣି, ଉଚ୍ଚଶିକ୍ଷାରେ ଓଡ଼ିଶା ଭାଷା ସମ୍ପୂର୍ଣ୍ଣ ଅବହେଳିତ ହୋଇପଡ଼ିଛି, ଯାହାର ଉଦାହରଣ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ପାଇଁ ଥିବା ସତ୍ୟବାଦୀ ଚେୟାର ୧୯୯୭ ମସିହାରୁ ବନ୍ଦ ହୋଇପଡ଼ିଛି, ସଂସ୍କୃତ ଶିକ୍ଷା ସ୍ଥିତି ଏପରି ଯେ, ଜଣେ ଶିକ୍ଷକରେ ସଂସ୍କୃତ ସ୍କୁଲ ଚାଲିଛି। ଏବେଠୁ ଯଦି ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ନ ସଜାଡ଼ିବେ ତେବେ ଓଡ଼ିଶାରୁ ମେଧାବୀ ଛାତ୍ର ବାହାରିବା ସ୍ୱପ୍ନ ହୋଇଯିବ। ଏଦିଗରେ ସରକାର କ’ଣ ପଦକ୍ଷେପ ନେଉଛନ୍ତି ସେନେଇ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ଷଡ଼ଙ୍ଗୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର