ନୂତନ ଶିକ୍ଷାନୀତି ଯୋଗୁଁ ଓଡ଼ିଶାରେ ଅପାର ସମ୍ଭାବନା ସୃଷ୍ଟି ହୋଇଛି

ଭୁବନେଶ୍ବର : ନୂତନ ଶିକ୍ଷା ନୀତିର ୧ ବର୍ଷ ପୂର୍ତ୍ତି ଅବସରରେ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବୁଦ୍ଧିଜୀବୀ ପ୍ରକୋଷ୍ଠା ରାଜ୍ୟ ଆବାହକ ସଜ୍ଜନ ଶର୍ମାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ନୂତନ ଶିକ୍ଷାନୀତି ଆତ୍ମନିର୍ଭର ଭାରତ ନିର୍ମାଣରେ ଉପଯୋଗୀ ହେବା ସହ ରାଷ୍ଟ୍ର ସଂସ୍କୃତିର ସଂରକ୍ଷଣ କରିବ। ନୂତନ ଶିକ୍ଷାନୀତି ଯୋଗୁଁ ଓଡିଶା ଭଳି ପଛୁଆ ରାଜ୍ୟ ପାଇଁ ଅପାର ସମ୍ଭାବନା ସୃଷ୍ଟି ହୋଇଛି।

ଏଥିରେ ରାଞ୍ଚି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି କ୍ଷିତୀଭୂଷଣ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଦେଶର ଅଗଣିତ ଛାତ୍ରଛାତ୍ରମାନଙ୍କ ଆକାଂକ୍ଷା ପୂରଣ ଲାଗି ନୂତନ ଶିକ୍ଷାନୀତି ନିଶ୍ଚିତ ସହାୟକ ହେବ । ନିଜ ନିଜ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ କାରଣରୁ ବିଶେଷ ଭାବେ ଗରୀବ, ଗ୍ରାମୀଣ ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶ୍ୱାସ ଯୋଗାଇବ। ସେହିପରି ଭାରତୀୟ ସାଂକେତିକ ଭାଷାକୁ ପ୍ରଥମ ଥର ପାଇଁ ଭାଷାଭିତ୍ତିକ ବିଷୟ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଲକ୍ଷ ଲକ୍ଷ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ ପ୍ରକୋଷ୍ଠର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଦର୍ଶନ ନାୟକ, ଅଧ୍ୟାପକ ସତ୍ୟ ନାରାୟଣ ଜେନା, ଦିଲୀପ ମଲ୍ଲିକ, ସୁଜିତ କୁମାର ଦାସ, ଶଙ୍କର ପରିଡା, ଅଧ୍ୟାପକ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ନୂତନ ଶିକ୍ଷା ନୀତି ପ୍ରଚଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର