ରାଉରକେଲା: କେନ୍ଦ୍ର ସରକାର ୨୦୨୦ ମସିହାରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରିଥିଲେ। ଚଳିତ ଶିକ୍ଷା ବର୍ଷରୁ ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି) ଏହାକୁ ଲାଗୁ କରିଛି। ଏହା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବରଦାନ ସଦୃଶ ହେବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ ସୂଚନା ଦେଇଛନ୍ତି।
ଏନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ପ୍ରଫେସର ରାଓ କହିଲେ, ପ୍ରକୃତରେ ଏହି ନୂତନ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ବହୁମୂଲ୍ୟ ଯୋଗଦାନ ଦେବ। ପୂର୍ବରୁ ଭିନ୍ନ ଭିନ୍ନ କାରଣରୁ ଛାତ୍ରଛାତ୍ରୀ କୋର୍ସ୍ ସଂପନ୍ନ କରିନପାରିଲେ ତାଙ୍କୁ କୌଣସି ପ୍ରକାର ସାର୍ଟିଫିକେଟ୍ ମିଳୁନଥିଲା। ନୂତନ ଶିକ୍ଷା ନୀତି ଲାଗୁ ହେବାଦ୍ବାରା ଏହି ସମସ୍ୟା ଦୂର ହେବ। ମୋଟ୍ ୧୬୦ କ୍ରେଡିଟ୍ ଆଧାରରେ ମୂଲ୍ୟାଙ୍କନ ହେବ। ପ୍ରଥମ ବର୍ଷ ଶିକ୍ଷାପରେ ପାଠରୁ ଦୂରେଇ ଯାଇଥିବା ଛାତ୍ରଛାତ୍ରୀଙ୍କୁ ଫାଉଣ୍ଡେସନ ଅଫ୍ ଇଞ୍ଜିନିୟରିଂ ସାର୍ଟିଫିକେଟ୍(୪୦ କ୍ରେଡିଟ୍), ଦୁଇ ବର୍ଷ ଶିକ୍ଷା ସମାପ୍ତିରେ ଦୂରେଇଥିବା ଛାତ୍ରଛାତ୍ରୀଙ୍କୁ ଡିପ୍ଲୋମା ଇଞ୍ଜିନିୟରିଂ ସାର୍ଟିଫିକେଟ୍(୮୦ କ୍ରେଡିଟ୍) ପ୍ରଦାନ କରାଯିବ। ତେବେ ପ୍ରଥମ କିମ୍ବା ଦ୍ବିତୀୟ ବର୍ଷ ଶିକ୍ଷା ସଂପନ୍ନକରି ଛାଡ଼ିବାର ୪ ବର୍ଷ ଭିତରେ ପୁଣି ଶିକ୍ଷାଗ୍ରହଣ କରିବା ଆବଶ୍ୟକ। ନୂତନ ଶିକ୍ଷା ନୀତି ଦ୍ବାରା ଛାତ୍ରଛାତ୍ରୀ ଏକାଧିକ ବିଷୟବସ୍ତୁ ଶିକ୍ଷାଲାଭ କରିବାର ସୁଯୋଗ ପାଇବେ। ଏଥର ପିଲାମାନେ ଖାଲି ହାତରେ ନୁହେଁ; ବରଂ ଯିବାବେଳକୁ ତାଙ୍କ ପାଖରେ ସାର୍ଟିଫିକେଟ୍ ଥିବ। ଗୋଟିଏ ଅନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀ ଅଧାରୁ ପରିବର୍ତ୍ତନକରି ଅନ୍ୟ ଅନୁଷ୍ଠାନରେ ଶିକ୍ଷାଗ୍ରହଣ କରିପାରିବେ।
ଉଲ୍ଲେଖଯୋଗ୍ୟ, ଏନ୍ଆଇଟି ରାଉରକେଲା ଏବଂ ଆଇଆଇଟି ହାଇଦ୍ରାବାଦ, ଆଇଆଇଟି ଭୁବନେଶ୍ବର ଓ ଏନ୍ଆଇଟି ରାୟପୁର ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ଅନୁଷ୍ଠାନରେ ରାଉରକେଲା ଏନ୍ଆଇଟିର ଛାତ୍ରଛାତ୍ରୀ ସିଧାସଳଖ ଶିକ୍ଷା ନେବାର ସୁଯୋଗ ପାଇବେବୋଲି ପ୍ରଫେସର ରାଓ କହିଥିଲେ। ଏହାସହ ଆସନ୍ତା ୨୯ ଓ ୩୦ ତାରିଖରେ ଦୁଇଦିନ ଧରି ନୂଆଦିଲ୍ଲୀରେ ହେବାକୁଥିବା ‘ଅଖୀଳ ଭାରତୀୟ ଶିକ୍ଷା ସମାଗମ’ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଏତଦ୍ବ୍ୟତୀତ ସେମାନଙ୍କୁ ପୁନର୍ବାର ସଂପୃକ୍ତ ଅନୁଷ୍ଠାନରେ ଦାଖଲ ହେବାକୁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କୁଳସଚିବ ରୋହନ ଧୀମାନ, ପ୍ରଫେସର ସ୍ନେହାଶିଷ ଚକ୍ରବର୍ତ୍ତୀ(ଡିନ୍, ଏକାଡେମିକ୍), ପିପିଆର୍ସି ଅଧ୍ୟକ୍ଷ ପ୍ରଫେସର ହିମାଂଶୁ ଭୂଷଣ ସାହୁ ପ୍ରମୁଖଉପସ୍ଥିତ ଥିଲେ।
୭୪ ବର୍ଷ ବୟସରେ କରିବେ ପିଏଚ୍ଡିବାସ୍ତବରେ ଶିକ୍ଷା ଗ୍ରହଣ କରିବାର କୌଣସି ବୟସ ନାହିଁ। ଇଚ୍ଛୁକ ବ୍ୟକ୍ତି ଯେ କୌଣସି ବୟସ ଉପନୀତ ହୋଇଥାନ୍ତୁ ନା କାହିଁକି, ଶିଖିବାର ସଦିଚ୍ଛା ଥିଲେ ବିଭିନ୍ନ ପ୍ରକାରର ଶିକ୍ଷା ନେଇପାରିବେ। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ରାଉରକେଲା ସହରରେ। ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି)ରୁ ମହାପ୍ରବନ୍ଧକଭାବେ ଅବସର ନେଇଥିବା ବଲବୀର ସିଂହ ଏବେ ଏନ୍ଆଇଟିରେ ପି.ଏଚ୍ଡି କରିବେ। ୭୪ ବର୍ଷୀୟ ଶ୍ରୀ ସିଂହ ହ୍ୟୁମାନିଟିଜ୍ରେ ପିଏଚ୍ଡି କରିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଏକ ସମ୍ମାନାସ୍ପଦ ପଦବିରୁ ଅବସର ନେବାର ୧୪ ବର୍ଷ ପରେ ଶ୍ରୀ ସିଂହଙ୍କ ପିଏଚ୍ଡି ଶିକ୍ଷା ଗ୍ରହଣ କରିବାର ଇଚ୍ଛା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀ ସିଂହଙ୍କ ଏହି ପଦକ୍ଷେପକୁ ଚାରିଆଡ଼ୁ ପ୍ରଶଂସା କରାଯାଇଛି।