ଇ-ଶିକ୍ଷା ଉପରେ ନିର୍ଭର କରିବେ ରାଜ୍ୟର ୬୦ ଲକ୍ଷ ଶିଶୁ: ଗଣ ଶିକ୍ଷାମନ୍ତ୍ରୀ

ଯାଜପୁର: କରୋନା ଭାଇରସ ପାଇଁ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ଇ-ଶିକ୍ଷାର ଗୁରୁତ୍ୱ ବଢୁଛି। ରାଜ୍ୟରେ ଚଳିତ ଶିକ୍ଷା ବର୍ଷରେ ୬୬ ଲକ୍ଷ ପିଲା ଥିବା ବେଳେ ଏବେ ୨୨ ଲକ୍ଷ ଶିଶୁ ଇଣ୍ଟରନେଟ୍‌ ମାଧ୍ୟମରେ ପାଠ ପଢୁଛନ୍ତି। ରାଜ୍ୟରେ ୬୦ ଲକ୍ଷ ଶିଶୁ ଇ-ଶିକ୍ଷା ଉପରେ ନିର୍ଭର କରିବେ। ଯାଜପୁରରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସରେ ଯୋଗଦେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହା କହିଛନ୍ତି।

ଯାଜପୁର ଜିଲ୍ଳାବାସୀଙ୍କୁ ସମ୍ବୋଧନ କରି ଶ୍ରୀ ଦାଶ କହିଛନ୍ତି, ରାଜ୍ୟ ସରକାର ନୂଆ ଶିକ୍ଷା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହାର ନାଁ ‘ଶିକ୍ଷା ସଂପର୍କ’ ରହିବ। ଏହି ଯୋଜନା ଅନୁସାରେ ଶିକ୍ଷକମାନେ ଗାଁକୁ ଯାଇ ପିଲାମାନଙ୍କୁ ପାଠ ପଢ଼ାଇବେ। ଶିକ୍ଷକମାନେ କରୋନା ମହାମାରୀ ଭୟ ଭିତରେ ପାଠ ପଢ଼ାଉଛନ୍ତି। ପିଲାମାନେ ପାଠ ପଢ଼ିବା ପାଇଁ ପାହାଡ଼ ଉପରକୁ ଯାଉଛନ୍ତି ଏବଂ ଦରକାର ପଡ଼ିଲେ ଗଛକୁ ଚଢୁଛନ୍ତି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ସ୍କୁଲ, କଲେଜ ଖୋଲିବା ସମ୍ଭବ ନୁହେଁ। କରୋନା ଭାଇରସ ଲାଗି ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରଖାଯାଇଛି। ଚଳିତ ଶିକ୍ଷା ବର୍ଷ ଲାଗି ସିଲାବସ୍‌ କମାଇବା ବ୍ୟବସ୍ଥା ହୋଇଛି।

ଯାଜପୁର ହକି ଷ୍ଟାଡିୟମରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦାଶ କହିଛନ୍ତି, କରୋନା ଯୋଦ୍ଧା ମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। କୋଭିଡ-୧୯ ଲାଗି ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ଏହି ଉତ୍ସବ ପାଳନ କରାଯାଇଛି।

ସ୍ୱାଧୀନତା ଦିବସ ଅବସରରେ ଯାଜପୁର ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଯାଜପୁରର ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା। ଏହି ସମୟରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହୀର ପ୍ରସାଦ ମହାନ୍ତି, ଜିଲ୍ଲା ସୂଚନା ଅଧିକାରୀ ସନ୍ତୋଷ କୁମାର ସେଠୀ ଏବଂ ଜିଲ୍ଲାର ସମସ୍ତ ଅଧିକାରୀ ଯୋଗଦାନ ଦେଇଥିଲେ।

ସମ୍ବନ୍ଧିତ ଖବର