ସେପ୍ଟେମ୍ବରରୁ ନୂଆ ଶିକ୍ଷାବର୍ଷ! ୟୁଜିସିକୁ ପ୍ରସ୍ତାବ ଦେଲେ ୨ କମିଟି

ଭୁବନେଶ୍ୱର : ଦେଶରେ ଥିବା ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠପଢ଼ା ଏଥର ବିଳମ୍ବ ହେବ। ପ୍ରତିବର୍ଷ ଜୁଲାଇ ମାସରୁ ଆରମ୍ଭ ହେଉଥିବା ନୂଆ ଶିକ୍ଷାବର୍ଷ ଏଥରକ ଦୁଇ ମାସ ବିଳମ୍ବ ଅର୍ଥାତ୍‌ ସେପ୍ଟେମ୍ବରରୁ ଆରମ୍ଭ କରାଯିବ। ବର୍ତ୍ତମାନର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ନୂତନ ଶିକ୍ଷାବର୍ଷ ଲାଗି ଗଠନ ହୋଇଥିବା ଦୁଇଟି ବିଶେଷଜ୍ଞ କମିଟି ଏଭଳି ମତ ଦେଇଛନ୍ତି।

ବାତିଲ ହୋଇଥିବା ପରୀକ୍ଷା କରାଇବା ଓ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର୍‌ ପ୍ରସ୍ତୁତ କରିବା ପାଇଁ ହରିୟାଣା ବିଶ୍ୱବିଦ୍ୟାଳୟ କୁଳପତି ଆର୍‌.ସି କୁହାଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଇତିମଧ୍ୟରେ ରିପୋର୍ଟ ପ୍ରଦାନ କରିସାରିଛି। ସେହିପରି ଅନ୍‌ଲାଇନ୍‌ ଶିକ୍ଷା ବାବଦରେ ପରାମର୍ଶ ଦେବା ଲାଗି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଗତକାଲି ୟୁଜିସି ନିକଟରେ ରିପୋର୍ଟ ଦାଖଲ କରିଛି। ସେପ୍ଟେମ୍ବରରୁ ନୂତନ ଶିକ୍ଷାବର୍ଷ ଆରମ୍ଭ କରିବାକୁ ଗୋଟିଏ କମିଟି ପ୍ରସ୍ତାବ ଦେଇଥିବା ବେଳେ ଅନ୍ୟ ଏକ କମିଟି କହିଛି ଯେ ଯଦି ପର୍ଯ୍ୟାପ୍ତ ଭିତ୍ତିଭୂମି ଅଛି, ତେବେ ଲକ୍‌ଡାଉନ୍‌ ଭିତରେ ଅନ୍‌ଲାଇନ୍‌ ପରୀକ୍ଷା କରାଯାଇ ପାରିବ। ନ ହେଲେ ଲକ୍‌ଡାଉନ୍‌ ଉଠିବା ପରେ ପେନ୍‌ ଆଣ୍ଡ ପେପର୍‌ରେ ପରୀକ୍ଷା କରାଯାଉ। ଦୁଇଟି ଯାକ ରିପୋର୍ଟ ମିଳିବା ପରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତାହାକୁ ଅନୁଧ୍ୟାନ କରୁଛି। ଆସନ୍ତା ସପ୍ତାହ ସୁଦ୍ଧା ଏହା ଉପରେ ଅନୁଧ୍ୟାନ କରାଯାଇ ଗାଇଡ୍‌ଲାଇନ୍‌ ଜାରି କରାଯିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଏବେ ସମସ୍ୟା ସୃଷ୍ଟି ହୋଇଛି। କାରଣ ଯଦି ପ୍ରବେଶିକା ପରୀକ୍ଷା କରାଯାଇ ନାମଲେଖା ହୁଏ, ତେବେ ବହୁ ବିଳମ୍ବ ହେବ। ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ, ପରୀକ୍ଷା, ଫଳ ପ୍ରକାଶ ଓ ନାମଲେଖା ଆଦି କରିବାକୁ ପାଖାପାଖି ଦୁଇ ବର୍ଷ ଲାଗିଥାଏ। ତେଣୁ ବିକଳ୍ପ ବ୍ୟବସ୍ଥା ନେଇ ଆଲୋଚନା କରାଯାଉଛି। ଏଥିସହ ବାକି ରହିଥିବା ପରୀକ୍ଷା କେମିତି ହେବ, ତାହାକୁ ନେଇ ବି ସମସ୍ୟା ସୃଷ୍ଟି ହୋଇଥିବା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୂତନ ଶିକ୍ଷାବର୍ଷ ଆରମ୍ଭ ନେଇ ଆସନ୍ତା ୨୮ତାରିଖରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ କଥା ହେବେ। ନୂତନ ଶିକ୍ଷାବର୍ଷ ଆରମ୍ଭ, ବାକିଥିବା ପରୀକ୍ଷା, ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ କି ନାହିଁ, ତାହା ଉପରେ ଆଲୋଚନା କରାଯିବ।

ସମ୍ବନ୍ଧିତ ଖବର