ଏପ୍ରିଲ ୩ରୁ ନୂଆ ଶିକ୍ଷାବର୍ଷ, ୯ରେ ପୂର୍ଣ୍ଣ ଉପସ୍ଥାନ ଦିବସ ପାଳନ

୩ରୁ ୮ ଯାଏ ପ୍ରବେଶ ଉତ୍ସବ ସଚେତନତା

ଭୁବନେଶ୍ବର: ଏପ୍ରିଲ ୩ରୁ ଆରମ୍ଭ ହେବ ୨୦୨୦-୨୧ ଶିକ୍ଷାବର୍ଷ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଏହି ଦିନ ପ୍ରବେଶ ଉତ୍ସବ ପାଳନ କରାଯିବ। ୬ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁ (ଯେଉଁମାନେ ନୂଆ ନାମ ଲେଖାଇବାକୁ ଥିବେ, ପାଠପଢ଼ା ଅଧାରୁ ଛାଡ଼ିଥିବେ ବା ଆଦୌ ନାମ ଲେଖାଇ ନଥିବେ)ଙ୍କୁ ବିଦ୍ୟାଳୟକୁ ଆଣିବା ଉପରେ ବିଭାଗ ଗୁରୁତ୍ବ ଦେଇଛି। ପ୍ରବେଶ ଉତ୍ସବ ମାଧ୍ୟମରେ ପିତାମାତା, ଅଭିଭାବକ ଓ ଲୋକଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷାର ଗୁରୁତ୍ବ ଓ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା, ଶିକ୍ଷା ଅଧିକାର ନିୟମ-୨୦୧୦ ଅନୁଯାୟୀ ପ୍ରାଥମିକ ଶିକ୍ଷା ସମ୍ପର୍କରେ ଜଣାଇବା, ବିଦ୍ୟାଳୟ ଓ ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କ ମନରେ ଆଗ୍ରହ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରବେଶ ଉତ୍ସବ କାର୍ଯ୍ୟସୂଚୀ ଅନୁଯାୟୀ ଏପ୍ରିଲ ୩ରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, ଷ୍ଟାଣ୍ଡିଂ କମିଟିର ସଦସ୍ୟ, ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ଓ ସଭ୍ୟା, ପିତାମାତା ସଂଘ, ମାତୃମଞ୍ଚ, ସ୍ଥାନୀୟ ‌ସ୍ବେଚ୍ଛାସେବୀ ସଙ୍ଗଠନ, ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, ବେସରକାରୀ ଅନୁଷ୍ଠାନ, ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟ କର୍ମୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରତିନିଧି, ଶିକ୍ଷାବିତ୍‌ ଓ ପିଲାମାନଙ୍କୁ ନେଇ ଶିକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି ଶୋଭାଯାତ୍ରାରେ ଶିକ୍ଷା ଅଧିକାର ନିୟମ,୨୦୧୦ ଅନୁଯାୟୀ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ସ୍ଲୋଗାନ, ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର କରାଯିବ। ଶୋଭାଯାତ୍ରା ପରେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇ ବିଭିନ୍ନ ସଙ୍ଗଠନ, ବ୍ୟକ୍ତିବିଶେଷ ବିଦ୍ୟାଳୟର ଆଖପାଖ ଗ୍ରାମ ତଥା ପଡ଼ାରେ ଥିବା ୬ରୁ ୧୪ ବର୍ଷ ବୟସର ପିଲାଙ୍କର ତାଲିକା ପ୍ରସ୍ତୁତ କରିବେ। ଯେଉଁମାନେ ପିଲାଙ୍କ ତାଲିକା‌ ପ୍ରସ୍ତୁତ କରିବେ, ସେମାନେ ପିଲାଙ୍କ ପିତାମାତା ବା ଅଭିଭାବକଙ୍କୁ ନିକଟସ୍ଥ ବିଦ୍ୟାଳୟରେ ନାମ ଲେଖାଇବାକୁ ବୁଝାଇବେ। ଏପ୍ରିଲ ୮ ପର୍ଯ୍ୟନ୍ତ ପ୍ରବେଶ ଉତ୍ସବ ସଚେତନତା‌ କାର୍ଯ୍ୟକ୍ରମ ଜାରି ରହିବ। ଏପ୍ରିଲ ୯ରେ ସମସ୍ତ ବିଦ୍ୟାଳୟରେ ପୂର୍ଣ୍ଣ ଉପସ୍ଥାନ ଦିବସ ପାଳନ ହେବ। ଏହି ଦିନ ବିଦ୍ୟାଳୟରେ ନାମ ଲେଖାଇଥିବା ସମସ୍ତ ପିଲାଙ୍କୁ ଫୁଲ ଓ ଚନ୍ଦନ ଦିଆଯାଇ ସ୍ବାଗତ କରାଯିବ ଓ ‌ପାଠ୍ୟପୁସ୍ତକ ବଣ୍ଟନ କରାଯିବ। ଏବାବଦୀୟ ଖର୍ଚ୍ଚ ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟରେ ଉପଲବ୍ଧ ଅର୍ଥରାଶିରୁ ବ୍ୟୟ କରାଯିବ ଏବଂ ଗୋଷ୍ଠୀ ସଂଚାଳନ ଉପ ବିଭାଗରେ ଭରଣା କରାଯିବ। ଏଥିରେ ସହଯୋଗ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଚିତ୍ରା ଆରୁମୁଗମ୍ ଆଜି ଚିଠି ଲେଖି ସମସ୍ତ ଡିଇଓ, ଡିପିସି, ବିଇଓ, ଏବିଇଓ ତଥା ବିଆରସିସି, ସିଆରସିସିଙ୍କୁ ଅନୁ‌ରୋଧ କରିଛନ୍ତି।

ସମ୍ବନ୍ଧିତ ଖବର