ଓଡ଼ିଶା ସ୍କାଉଟ ଗାଇଡ଼୍ ସଂଗଠନର ନୂତନ କର୍ମକର୍ତ୍ତା

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ରାଜ୍ୟ ପରିଷଦ ବୈଠକ ରାଜ୍ୟ ମୁଖ୍ୟାଳୟ ସଭାଗୃହରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ପରିଷଦର ସଭ୍ୟମାନଙ୍କର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ରାଜ୍ୟ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ସ୍ଥଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ସାରଦା ପ୍ରସାଦ ନାୟକ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ସମାଜର ପ୍ରକାଶକ ନିରଞ୍ଜନ ରଥ, ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା, ଅବସରପ୍ରାପ୍ତ ବିଚାରପତି ମନୋରଞ୍ଜନ ମହାନ୍ତି, ଅନ୍ତର୍ଜାତୀୟ ସମବାୟ ମତ୍ସ୍ୟ ସଂଗଠନର ଉପାଧ୍ୟକ୍ଷ ଟି. ପ୍ରସାଦ ରାଓ ଦୋରା ରାଜ୍ୟ ଉପସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।

ଡା. କାଳିପ୍ରସାଦ ମିଶ୍ର ୯ମଥର ପାଇଁ ରାଜ୍ୟ ମୁଖ୍ୟ କମିସନର ଭାବରେ ନିର୍ବାଚିତ ହୋଇଛନ୍ତି। ନବନିର୍ବାଚିତ ସଭାପତି ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟ ମୁଖ୍ୟ କମିସନର ତଥା ଜାତୀୟ ଉପସଭାପତି ଡ. କାଳିପ୍ରସାଦ ମିଶ୍ର, ଡ. ଧୃବଚରଣ ପରିଡ଼ା, ଡ. ସିପ୍ରା ନାୟକ, ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାକାରୀଙ୍କ ସମେତ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ରାଜ୍ୟ ପରିଷଦର ବହୁ ପଦାଧିକାରୀ ଯୋଗ ଦେଇଥିଲେ। ପ୍ରାରମ୍ଭରେ ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ ଦିବଂଗତ ସ୍କାଉଟ ଓ ଗାଇଡ୍ ବ୍ୟକ୍ତିତ୍ଵମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା ପ୍ରସ୍ତାବ ଆଗତ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶେଷରେ ରାଜ୍ୟ ସଂଗଠନ କମିସନର (ଗାଇଡ୍) ଅନାମିକା ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର