ଜୟପୁର: ବାଜୁଥିଲା ମହୁରୀ। କମ୍ପୁଥିଲା ତେଲିଙ୍ଗିବାଜା। ଆଉ ବାଜାର ତାଳେ ତାଳେ ନାଚୁଥିଲେ କୁଆଁରୀ ଝିଅ। ଏହା ଥିଲା ଦୁଇ କଣ୍ଢେଇଙ୍କ ବାହାଘର। ଗତ ୪ ଦିନ ଧରି ଏମିତି ନିଆରା ବାହାଘର ଚାଲିଥିଲା ଜୟପୁର ସହରରେ। ସଂପୂର୍ଣ୍ଣ ବୈଦିକ ରୀତିରେ ଏହି ବାହାଘର ସଂପନ୍ନ ହୋଇଛି। ଶେଷ ଦିନରେ ସହର ପରିକ୍ରମା କରି ବରକନିଆକୁ ମେଲାଣି ଦେଇଛନ୍ତି ଭୋଇ ସାହି ବାସିନ୍ଦା। ଆଉ ବରକନିଆଁଙ୍କୁ ପାଛୋଟି ନେଇଛନ୍ତି ଭୂପତି ସାହି ବାସିନ୍ଦା। ଏହାପରେ ଗତକାଲି ରାତିରେ ସୁମନ୍ତଙ୍କ ହାତ ଧରିଛନ୍ତି ତଅପୋଇ। ତେଲଗୁ ପରମ୍ପରାରେ ଅନୁଯାୟୀ ହୋଇଛି ଏହି ଭିନ୍ନ ବାହାଘର। ସାମିଲ ହୋଇଥିଲେ ଆବାଳ ବୃଦ୍ଧବନୀତା। ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମଧ୍ୟ ଏହି ବାହାଘରରେ ସାମିଲ ହୋଇଥିଲେ। ଜଉ କଣ୍ଢେଇର ବର, କନିଆଙ୍କ ସହ ବାହାଘରରେ ସାମିଲ ହୋଇଥିବା କୁଆଁରୀ ଝିଅଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ। ଏହି ବିବାହର ସ୍ବନତନ୍ତ୍ର ହେଲା ମହିଳାମାନେ ହିଁ ଆରମ୍ଭରୁ ସବୁ ପରଂପରାକୁ ସଂପାଦନ କରିଥିଲେ। ଶଂଖ ଓ ମନ୍ତ୍ରରେ ପ୍ରକମ୍ପିତ ହୋଇଥିଲା ବିବାହ ବେଦି। ପରପକ୍ଷ ଏବଂ କନ୍ୟାପକ୍ଷ ବି ଥିଲେ। ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ପାଇଁ ଯାହା ସବୁ ଆବଶ୍ୟକ ଯୋଗାଡ଼ କରିଥିଲେ ଭୋଇ ସାହି ଏବଂ ଭୂପତି ସାହି ବାସିନ୍ଦା। ତେବେ ବର ଓ କନ୍ୟା ଜୀବନ୍ତ ନଥିଲେ। ସେମାନଙ୍କ ସ୍ଥାନ ନେଇଥିଲେ ଦୁଇଟି ଜଉ କଣ୍ଢେଇ। ବର ସୁମନ୍ତଙ୍କ ପରିବାର ହୋଇଥିଲେ ନୀଳିମା ଓ ତଅପୋଇର ଅଭିଭାବକ ଭାବେ ନନ୍ଦିନୀ ପରସ୍ପରକୁ ପ୍ରଥମେ ଶଙ୍ଖୁଳିଥିଲେ। ଚଳିତମାସ ୧ ତାରିଖରୁ ଆରମ୍ଭ ହୋଇଥିଲା ବିବାହର ପ୍ରଥମ ସୋପାନ। ଏହିଦିନ ଦୁଇ ଜଉ କଣ୍ଢେଇଙ୍କ ବିବାହ ପାଇଁ ଦିନ ଧରାଯାଇଥିଲା। ଏହାପରେ ନିବର୍ନ୍ଧ କରାଯିବା ସହ ନିମନ୍ତ୍ରଣ କାର୍ଡ ମଧ୍ୟ ବଣ୍ଟା ଯାଇଥିଲା। ବରଯାତ୍ରୀ ଭୋଇ ସାହି ଛକରୁ ବାହାରିଥିଲା। ବାଣ, ବାଜାରେ ପ୍ରକମ୍ପିତ ହେଉଥିଲା ସାହି ରାସ୍ତା। ବରଯାତ୍ରୀ କନିଆ ଘର ପାଖରେ ପହଞ୍ଚିବା ପରେ ସେଠାରେ ବାହାଘର ହୋଇଥିଲା। ସେଠାରେ ତେଲଗୁ ପରମ୍ପରା ଅନୁଯାୟୀ ହୋଇଥିଲା ବାହାଘର। ପରେ ଶିବ ଓ ପାର୍ବତୀଙ୍କ ବିବାହ ସହ ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଥିଲା।
ବିଶ୍ବାସ ରହିଛି ଯେ ଯେଉଁମାନେ ଏହି କଣ୍ଢେଇ ବାହାଘରରେ ଭାଗ ନିଅନ୍ତି ସେମାନଙ୍କ କୌଣସି ଅମଙ୍ଗଳ ହୁଏ ନାହିଁ ଏବଂ ପରିବାରରେ ଶୁଖଶାନ୍ତି ରୁହେ। ଆର୍ଥିକ ଅନଟନ ବି କେବେ ହୁଏ ନାହିଁ। ସେହିପରି ଯେଉଁ ଝିଅର କୌଣସି ନା’ କୌଣସି କାରଣରୁ ହେଉ ନଥିବ ଏହି ବାହାଘର ପରେ ଆପେଆପେ ହୋଇଯିବାର ବିଶ୍ବାସ ରହିଛି। ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ବି ବହୁ ଶୁଭ ଫଳ ମିଳିଥାଏ ବୋଲି ସାହିବାସିନ୍ଦା କହିଛନ୍ତି। ଏଭଳି ଭିନ୍ନ ଧରଣର ବାହାଘରରେ ଯୋଗ ଦେଇଥିବା ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ କେଉଁ କାଳରୁ ଏହି କଣ୍ଢେଇ ବାହାଘର ଜୟପୁରରେ ହେଉଛି। ଏହି ବିବାହ ଯେ ଏକ ପରମ୍ପରାକୁ ଉଦଜ୍ଜୀବିତର ରଖିଛି ତାହାନୁହେଁ ଏହାଦ୍ବାରା ଗୋଟିଏ ସମ୍ପ୍ରଦାୟ ମଧ୍ୟରେ ସଦଭାବନା ସୃଷ୍ଟି ହୋଇଆସୁଛି। ଏହି ଶିବ ପାର୍ବତୀ ତଥା କଣ୍ଢେଇ ବାହାଘରରେ ଯୋଗ ଦେଇ ଆଶୀର୍ବାଦ ଲାଭ କରିଛି ବୋଲି ସେ କହିଛନ୍ତି। ଏନେଇ ପୁରୋହିତ ଜଗତି ନାରାୟଣୀ କହିଛନ୍ତି ଯେ କେଉଁ ଯୁଗରୁ ଏହି ପରମ୍ପରା ରହି ଆସିଛି। ଜଗାର ଦିନ ଶିବ ପାର୍ବତୀଙ୍କ ବିବାହ କରିବା ସହ ଏହି ଜଉ କଣ୍ଢେଇକୁ ମଧ୍ୟ ତେଲଗୁ ରୀତିନୀତିରେ ବିବାହ ସମ୍ପନ୍ନ କରାଯାଉଛି। ଏହାଦ୍ବାରା ଉନ୍ନତି ହେବାର ବିଶ୍ବାସ ରହିଛି। ପାଟନୁରୁ ନୀଳିମା, ଗିନ୍ନାପୁ ଶୀରିଷା, କିଲ୍ଲାମସେଟ୍ଟୀ ବିଦ୍ୟା, କିଲ୍ଲାମସେଟ୍ଟୀ ଗାୟତ୍ରୀ, କାଞ୍ଚନା ନନ୍ଦିନୀ, ବାଙ୍କୁରୁ ଗୀତିକା, ଜେମ୍ବାଲୀ ସୁପ୍ରିୟା, ପେଦିନା ସୃତି, ମେଦ୍ଦି ପାଭନୀ, ଜି. ସାଗରିକା ଓ ପି. ସୌମ୍ୟା ଏହି ବାହାଘର ପରିଚାଳନା କରିଥିଲେ।