ନୂଆମୁହଁକୁ ନେଇ ଅଡ଼ୁଆରେ ୩ ଦଳ, ଜଳେଶ୍ବରରେ ଟିକଟ ରାଜନୀତି ଜୋର୍‌ଦାର୍‌

ଜଳେଶ୍ବର(ସତ୍ୟବ୍ରତ ପ୍ରଧାନ): ବାଲେଶ୍ବର ଜିଲ୍ଲାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଧାନସଭା କ୍ଷେତ୍ର କୁହାଯାଉଥିବା ଜଳେଶ୍ବରରେ ଏବେ ଟିକଟ ରାଜନୀତି ସରଗରମ ହୋଇଛି। ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପିରେ ଟିକଟ ଆଶାୟୀଙ୍କ ତାଲିକାରେ ବହୁ ନୂଆ ମୁହଁଙ୍କ ଆବିର୍ଭାବ ଏବେ ଏସବୁ ଦଳର ହାଇକମାଣ୍ଡଙ୍କୁ ପ୍ରାର୍ଥୀ ଚୟନ ପାଇଁ ଅକଳରେ ପକାଇଛି। ପଶ୍ଚିମବଙ୍ଗ ସୀମାନ୍ତକୁ ଲାଗିଥିବା ଏହି ନିର୍ବାଚନ ମଣ୍ଡଳୀକୁ ସୁବର୍ଣ୍ଣରେଖା ନଦୀ ଦୁଇଭାଗରେ ବିଭକ୍ତ କରିଛି। ପୁଣି ୬୦ ନମ୍ବର ଜାତୀୟ ରାଜପଥ, ଦକ୍ଷିଣ-ପୂର୍ବ ରେଳପଥ ଏହି ନିର୍ବାଚନ ମଣ୍ଡଳୀ ଦେଇ ଯାଇଥିଲେ ବି ଏହା ଅନେକ ସମସ୍ୟାରେ ଜର୍ଜରିତ। ବିଗତ ୩ଟି ନିର୍ବାଚନରେ ଏଠାକାର ସଚେତନ ଭୋଟର ନେତା ପରିବର୍ତ୍ତନ କରିଥିବାରୁ ୨୦୧୯ ନିର୍ବାଚନ ଭୋଟରମାନେ ସେହି ପନ୍ଥା ଆପଣେଇବେ କି ଆଉ କାହାକୁ ସେବା ପାଇଁ ସୁଯୋଗ ଦେବେ ତାହା ରାଜନୈତିକ ତଥା ଅଭିଜ୍ଞ ମହଲରେ ଆଲୋଚନାର ବିଷୟ ହୋଇଛି। ୨୦୧୪ ନିର୍ବାଚନରେ ଏଠାରେ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଦଳ ପରିବର୍ତ୍ତନ କରି ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅଶ୍ବିନୀ କୁମାର ପାତ୍ର ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ଅଶ୍ବିନୀଙ୍କୁ ୮୬୦୮୪(୫୨.୨୨ ପ୍ରତିଶତ) ଖଣ୍ଡ ଭୋଟ ମିଳିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ଦେବୀ ପ୍ରସନ୍ନ ଚାନ୍ଦଙ୍କୁ ୫୨୨୨୪ (୩୧.୬୯ ପ୍ରତିଶତ) ଖଣ୍ଡ ଭୋଟ ମିଳିଥିଲା। ବିଜେପି ପ୍ରାର୍ଥୀ ଅରୁଣ ବେଜଙ୍କୁ ମାତ୍ର ୧୩୪୬୫ ଖଣ୍ଡ ଭୋଟ ଅର୍ଥାତ୍ ୮.୧୭ ପ୍ରତିଶତ ଭୋଟ ମିଳିଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଏକଦା ବିଜେପି ଓ କଂଗ୍ରେସର ଦୁର୍ଗ ଥିବା ବେଳେ ୨୦୧୪ ନିର୍ବାଚନରେ ଏହି ଦୁଇ ଦଳର  ଯଥାକ୍ରମେ ୨୮.୪୬ ଓ ୯.୨୬ ପ୍ରତିଶତ ଭୋଟ ହ୍ରାସ ପାଇଥିଲା। ଅବଶ୍ୟ ଏହି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ବିଜେଡିର କେହି ପ୍ରାର୍ଥୀ ସିଧାସଳଖ ଶଙ୍ଖ ଚିହ୍ନରେ ନିର୍ବାଚନ ଲଢ଼ି ନ ଥିବା ବେଳେ ପ୍ରଥମ ଥର ପାଇଁ ୨୦୧୪ରେ ଭୋଟର ଶଙ୍ଖ ଚିହ୍ନକୁ େଭାଟ ଦେଖିଥିଲେ।ତେବେ, ୨୦୧୯ ନିର୍ବାଚନ ପୂର୍ବରୁ ଜଳେଶ୍ବର ରାଜନୀତିରେ ଅନେକ ପରିବର୍ତ୍ତନ ଦେଖାଦେବା ସହ ରାଜନୈତିକ ସମୀକରଣକୁ ବଦଳାଇ ଦେଇଛି। ଗତଥର ଏଠାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ସୁଦର୍ଶନ ଦାସଙ୍କ କଂ‌ଗ୍ରେସରେ ଯୋଗଦାନ ଓ ପ୍ରାକ୍ତନ ବିଧାୟକ ଜୟନାରାୟଣ ମହାନ୍ତି କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବା ଜଳେଶ୍ବରର ରାଜନୈତିକ ପାଣିପାଗରେ ଉଷ୍ମତା ଆଣି ଦେଇଛି। ଏହାର ପରିଣାମ ସ୍ବରୂପ ଜଳେଶ୍ବରରେ ଏବେ ଟିକଟ ରାଜନୀତି ଜୋର ଧରିଛି। ଶାସକ ବିଜେଡିରେ ବିଧାୟକ ଅଶ୍ବିନୀ କୁମାର ପାତ୍ର ଦଳୀୟ ଟିକଟ ପାଇଁ ପ୍ରମୁଖ ଦାବିଦାର କୁହାଯାଉଥିଲେ ବି ବାଲେଶ୍ବର ସାଂସଦ ଇଂ. ରବୀନ୍ଦ୍ର ଜେନା କିମ୍ବା ତାଙ୍କ ପତ୍ନୀ ସୁବାସିନୀ ଜେନା, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ମଧ୍ୟ ଦଳ ଏଠାରୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି। ସେହିପରି ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ମଧ୍ୟ ଟିକଟ ପାଇବା ପାଇଁ ନିଜ ସପକ୍ଷରେ ଜନସମର୍ଥନ ଗୋଟାଇବା ସହ ଗାଁ ଗାଁକୁ ଯାଇ ପ୍ରଚାର କରୁଥିବାର ଦେଖାଯାଉଛି। ପ୍ରାକ୍ତନ ନଗରପାଳ ପ୍ରବୀର ପ୍ରଧାନ, ଦଳର ଅନ୍ୟତମ ଯୁବନେତା କନିଷ୍କ ବୋଧିସତ୍ତ୍ବ ଦାସ, ଆଇନଜୀବୀ ପତିତପାବନ ପ୍ରଧାନ ମଧ୍ୟ ଲୋକଙ୍କ ନିକଟରେ ନିଜକୁ ଆଶାୟୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରୁଛନ୍ତି।

ବିରୋଧୀ କଂଗ୍ରେସରେ ମଧ୍ୟ ସମାନ ଅବସ୍ଥା। ସୁଦର୍ଶନ ଏବେ ପିସିସିର ଗୁରୁତ୍ୱପୂର୍ଣ୍ଣ ପଦବିରେ ଥିବା ବେଳେ ଗାଁ ଗାଁ ବୁଲି ଇସ୍ତାହାର ପାଇଁ ମତ ଲୋଡ଼ିବା, ଲୋକଙ୍କ ସମସ୍ୟା ସହ ନିଜକୁ ଯୋଡ଼ି ଗାଁ ଗାଁରେ ବୈଠକ କରିବା, କଂଗ୍ରେସର କାର୍ଯ୍ୟାଳୟ ଖୋଲିବା ନେଇ ସେ ଯେ ଟିକଟ ଦାବିଦାର ଭାବେ ଆଗରେ ଅଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ପ୍ରାକ୍ତନ ବିଧାୟକ ଦେବୀ ପ୍ରସନ୍ନ ଚନ୍ଦ ମଧ୍ୟ ପିସିସି ମୁଖିଆ ନିରଞ୍ଜନଙ୍କ ଘନିଷ୍ଠ ହୋଇଥିବାରୁ ତାଙ୍କୁ ନିଶ୍ଚିତ ଟିକଟ ମିଳିବ ବୋଲି ତାଙ୍କ ସମର୍ଥକମାନେ ଦୃଢ଼ ଦାବି କରିଛନ୍ତି। ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତପନ ଦାସ, ରାଜପୁର ସମିତି ସଭ୍ୟ ମଧୁସୂଦନ ଦାସ, ଆଇନଜୀବୀ ସତ୍ୟସୁନ୍ଦର ଦାସ ପ୍ରମୁଖଙ୍କ ନାମ ବି କଂଗ୍ରେସ ଟିକଟ ଦୌଡ଼ରେ ଥିବାର ଚର୍ଚ୍ଚା ହେଉଛି। ବିଜେପିରେ ଟିକଟ ଦୌଡ଼ରେ ଜୟନାରାୟଣ ସବୁଠୁ ଆଗରେ ଥିବାର ଆଲୋଚନା ହେଉଛି। ବିଜେପି ଦଳର ବିଭିନ୍ନ କାର୍ଯ୍ୟକ୍ରମ ସେ ଆୟୋଜନ କରୁଛନ୍ତି। ଜୟନାରାୟଣଙ୍କୁ ଛାଡ଼ିଦେଲେ ଗତଥର ପ୍ରାର୍ଥୀ ହୋଇଥିବା ଅରୁଣ କୁମାର ବେଜ, କୃଷକ ନେତା ସମୀର ପାତ୍ର, ଧ୍ରୁବଚରଣ ନାୟକ, ନନୀଗୋପାଳ ଦାସ, ମହେନ୍ଦ୍ର କୁମାର ଦାସ, ଶୋଭମ ଜେନାଙ୍କ ନାମ ବି ଟିକଟ ତାଲିକାରେ ଥିବାର ସେମାନଙ୍କ ସମର୍ଥକମାନେ ଦାବି କରୁଛନ୍ତି। ତେବେ ଏହି ଆଶାୟୀଙ୍କ ମଧ୍ୟରେ ଅନେକ ନୂଆ ମୁହଁ ଥିବାରୁ ଏହା ହାଇକମାଣ୍ଡଙ୍କ ଚିନ୍ତା ବଢ଼ାଇବା ସହ ଏ ଦିଗରେ  ଦଳୀୟ କନ୍ଦଳକୁ ଏଡ଼ାଇବା ପାଇଁ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର