ଜାତୀୟ ରାଜପଥରେ ଅପରାଧ ରୋକିବା ପାଇଁ ଗଠନ ହେବ ସ୍ୱତନ୍ତ୍ର ଫୋର୍ସ

କ୍ରାଇମ୍‌ବ୍ରାଞ୍ଚକୁ ମଗା ଗଲା ୩ ବର୍ଷର ଅପରାଧ ତାଲିକା

ଭୁବନେଶ୍ୱର : ଦିନକୁ ଦିନ ଜାତୀୟ ରାଜପଥରେ ଅପରାଧ ବଢ଼ି ଚାଲିଛି। କେଉଁଠି ଡକାୟତି ତ କେଉଁଠି ଛିନ୍‌ତାଇ। ଖବର ପାଇ ପୁଲିସ ପହଞ୍ଚିଲା ବେଳକୁ ଲୁଟେରାମାନେ ଚମ୍ପଟ ମାରୁଛନ୍ତି। କେଉଁ ଥାନା ଅଞ୍ଚଳରେ ଏହି ଅପରାଧ ଘଟିଲା ତାହା ଅଭିଯୋଗକାରୀ ଜାଣିବା ମଧ୍ୟ କଷ୍ଟକର ହେଉଛି। ଏହି କାରଣରୁ ଅନେକେ ଅଭିଯୋଗ ମଧ୍ୟ କରୁନାହାନ୍ତି। ଫଳରେ ଏହାର ସୁଯୋଗ ନେଉଛନ୍ତି ଅପରାଧୀ। ବିଶେଷ କରି କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଧା, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, ପୁରୀରେ ଏଭଳି ସମସ୍ୟା ବଢ଼ି ବଢ଼ି ଚାଲିଛି। ତେଣୁ ଜାତୀୟ ରାଜପଥରେ ଏଭଳି ଅପରାଧ ରୋକିବାକୁ ଏକ ସ୍ୱତନ୍ତ୍ର ପୋଲିସ ଫୋର୍ସ ଗଠନ ହେବ। ଏପିରକି ଜାତୀୟ ରାଜପଥର କେତେକ ପ୍ରମୁଖ ସ୍ଥାନରେ ଆଉଟପୋଷ୍ଟ ମଧ୍ୟ ନିର୍ମାଣ କରାଯିବ। ଏଥିପାଇଁ କ୍ରାଇମ୍‌ବ୍ରାଞ୍ଚକୁ ଚିଠି କରାଯାଇଛି କେଉଁଠି କେଉଁଠି ଜାତୀୟ ରାଜପଥରେ ଅଧିକ ଅପରାଧ ହେଉଛି ଏହାର ଏକ ତାଲିକା ପ୍ରଦାନ କରିବାକୁ। ଏହି ତାଲିକା ମିଳିବା ପରେ ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରାଯିବ। ଏହି ଫୋର୍ସ ଜାତୀୟ ରାଜପଥରେ ଦିନ ରାତି ପାଟ୍ରୋଲିଂ କରିବ। ଏ ନେଇ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ବୋଲି ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ଶ୍ରୀ ଶର୍ମାଙ୍କ ସୂଚନା ଅନୁଯାୟୀ ବିଭିନ୍ନ ସମୟରେ ଜାତୀୟ ରାଜପଥରେ ରାଜ୍ୟ ବାହାରର ଲୋକ ଓ ବିଦେଶୀମାନେ ମଧ୍ୟ ଯିବା ଆସିବା କରୁଛନ୍ତି। କେଉଁ ଥାନାରେ ଅଭିଯୋଗ କରାଯିବ ସେମାନେ ତାହା ଜାଣି ପାରୁନାହାନ୍ତି। ଫଳରେ ସେମାନେ ସେମାନଙ୍କ ରାଜ୍ୟ ପୁଲିସକୁ ଜଣାଉଛନ୍ତି ବା ଅଭିଯୋଗ କରୁଛନ୍ତି। ଫଳରେ ପୁଲିସ ତଦନ୍ତରେ ବିଳମ୍ବ ହେଉଛି।

ବିଶେଷ କରି ବ୍ରହ୍ମପୁର, ଭୁବନେଶ୍ୱର, ଖୋର୍ଧା ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥରେ ଏଭଳି ଅପରାଧ ବଢ଼ି ବଢ଼ି ଚାଲିଛି। ଅପରାଧୀମାନେ ଲୁଟପାଟ କରିବା ପାଇଁ ପ୍ରାଣାନ୍ତକ ଆକ୍ରମଣ କରୁଛନ୍ତି। ତେବେ ଥାନା କର୍ମଚାରୀମାନେ ଜାତୀୟ ରାଜପଥରେ ପେଟ୍ରୋଲିଂ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରିବାକୁ ପୁଲିସ ବିଭାଗ ଚିନ୍ତା କରୁଛି। କେବଳ ଫୋର୍ସ ନୁହେଁ ଜାତୀୟ ରାଜପଥର କେତେକ ପ୍ରମୁଖ ସ୍ଥାନରେ ଆଉଟପୋଷ୍ଟ ମଧ୍ୟ ନିର୍ମାଣ ହେବ ବୋଲି ଡିଜି ଶର୍ମା କହିଛନ୍ତି। ଏହି ପୋଷ୍ଟରେ ଜଣେ ଏସ୍‌ଆଇ, ୧୨ ଜଣ କନଷ୍ଟେବଲ ଓ ହାବିଲଦାର ନିଯୁକ୍ତ ପାଇବେ। ଏହି ଫୋର୍ସ ଅପରାଧ ରୋକିବା ସହିତ ଦୁର୍ଘଟଣା ଘଟୁଥିବା ସ୍ଥାନରେ ମଧ୍ୟ ପହଞ୍ଚିବ। ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ହସ୍ପିଟାଲ ନେବ।

ଦେଶର ମୁମ୍ବାଇ, ଦିଲ୍ଲୀ, ବିଶାଖପାଟଣାରେ ଏଭଳି ଜାତୀୟ ରାଜପଥରେ ପୁଲିସ ପେଟ୍ରୋଲିଂ ପାଇଁ ଏକ ସ୍ୱତନ୍ତ୍ର ଫୋର୍ସ ରହିଛି। ଏହି ଢାଞ୍ଚାରେ ଏଭଳି ଏକ ଫୋର୍ସ ଗଠନ କରିବାକୁ ସ୍ଥିର ହୋଇଛି। ବିଭିନ୍ନ ବାଟାଲିଅନ୍‌ରୁ ଯବାନମାନଙ୍କୁ ଅଣାଯାଇ ଏହି ଫୋର୍ସ ଗଠନ କରାଯିବ ବୋଲି ଡିଜି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି। କ୍ରାଇମ୍‌ବ୍ରାଞ୍ଚକୁ କୁହାଯାଇଛି ଗତ ୩ ବର୍ଷ ମଧ୍ୟରେ ଜାତୀୟ ରାଜପଥରେ ଘଟିଥିବା ଅପରାଧର ତାଲିକା ଦେବାକୁ। କ୍ରାଇମ୍‌ବ୍ରାଞ୍ଚ ଏହି ତାଲିକା ଦେବା ପରେ କେଉଁ କେଉଁ ଅଞ୍ଚଳର ଓ କେଉଁଠି ଆଉଟପୋଷ୍ଟ ନିର୍ମାଣ କରାଯିବ ତାହା ସ୍ଥିର କରାଯିବ। ଏନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଅନୁମତି ଦେବା ପରେ ଏଭଳି ସ୍ୱତନ୍ତ୍ର ଫୋର୍ସ ଗଠନ କରାଯିବ ବୋଲି ଡିଜି ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର