୨୦୨୪, ଜୁଲାଇ ୧ରୁ ଦେଶରେ ଆଇନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବ। ୧୮୬୦ ମସିହାର ବ୍ରିଟିସ ଆଇନ ଭାରତୀୟ ପିଙ୍ଗଳ କୋଡ୍(ଆଇପିସି) ବଦଳରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ଫୌଜଦାରୀ ଆଇନ, ୧୯୭୩ ସ୍ଥାନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଇଣ୍ଡିଆନ ଏଭିଡେନ୍ସ ଆଇନ,୧୮୭୨ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହେବ। ଏହି ନୂଆ ଆଇନ ପୁଲିସ ଓ ତଦନ୍ତ ବ୍ୟବସ୍ଥାକୁ ଆଧୁନିକ ଯୁଗକୁ ଆଣିବ ବୋଲି କୁହାଯାଉଛି। ଏବେ ବ୍ରିଟିସ ଅମଳର ଉପନିବେଶବାଦୀ ଶାସନ କାଳର ଆଇନ ଅନୁସାରେ ଫୌଜଦାରୀ ମାମଲାଗୁଡ଼ିକ ରୁଜୁ ହେବା ସହିତ ତଦନ୍ତ ଓ ବିଚାର ହେଉଛି। ୧୯୪୭ରେ ଦେଶ ସ୍ବାଧୀନ ହେବା ପରେ ମଧ୍ୟ ବ୍ରିଟିସ ଶାସନ ସମୟରେ ପ୍ରଚଳିତ ଏହି ଆଇନ ବ୍ୟବସ୍ଥା ସ୍ବାଧୀନ ଭାରତରେ ବଳବତ୍ତର ଥିଲା। ବ୍ରିଟିସ ଆଇନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦଣ୍ଡ ଦେବା, ନ୍ୟାୟ ପ୍ରଦାନ ନୁହେଁ। କିନ୍ତୁ ନୂଆ ଆଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକଙ୍କ ସମ୍ବିଧାନ ପ୍ରଦତ୍ତ ସମସ୍ତ ଅଧିକାର ସୁରକ୍ଷା। ଲୋକଙ୍କୁ ଦଣ୍ଡ ନୁହେଁ, ନ୍ୟାୟ ପ୍ରଦାନ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ପ୍ରଯୁକ୍ତି ବିଦ୍ୟା ଓ ବୈଜ୍ଞାନିକ ଜ୍ଞାନ କୌଶଳର ଅଗ୍ରଗତି ସହିତ ନୂଆ ଧରଣର ଅପରାଧ ସଂଘଟିତ ହେଉଥିବା ଦେଖିବାକୁ ମିଳୁଛି। ଯୁଗ ସହିତ ତାଳ ଦେଇ ଏହି ୩ ନୂଆ ଆଇନ ପ୍ରଣୟନ କରାଯାଇଛି। ନୂଆ ଆଇନ ସମାଜର ଗରିବ, ଅବହେଳିତ ଓ ସମ୍ବେଦନଶୀଳ ବର୍ଗଙ୍କୁ ଅଧିକ ସୁରକ୍ଷା ଦେବ। ନୂଆ ଆଇନ ନାଗରିକ ଅଧିକାର ଓ ଦକ୍ଷ ନ୍ୟାୟ ଶାସନକୁ ଗୁରୁତ୍ବ ଦେଉଛି। ତ୍ବରିତ ନ୍ୟାୟ ପ୍ରଦାନକୁ ପ୍ରାଥମିକତା ଦିଆଯାଇଥିବା ଆଇନଜୀବୀ ମହଲରେ ଆଲୋଚନା ହେଉଛି।
ପ୍ରସ୍ତୁତି:ଚୌଧୁରୀ ଅଶ୍ବିନୀ ଦାସ
କ୍ଷିତୀଶ ରାୟ
ସଂସ୍କାରମୂଳକ ଓ ପ୍ରଗତିଶୀଳ ଆଇନ
ପୁରୁଣା ଆଇନରେ କୌଣସି ମାମଲାରେ ଏତଲା ଦେବାକୁ ହେଲେ ତାହାର ଏକ ନିର୍ଦ୍ଦିଷ୍ଟ ସୀମା ରହିଥିଲା। ମାତ୍ର ଏବେ ଏଫ୍ଆଇଆର୍ ପାଇଁ କୌଣସି ସୀମା ନାହିଁ। ଅପରାଧ ଯେଉଁଠି ହେଇଥାଉ ନା କାହିଁକି ଏତଲା ଦାୟର କରିହେବ। ବିଶେଷକରି ଅନ୍ଲାଇନ୍, ଟେଲିଫୋନ୍ କିମ୍ବା ମୌଖିକ ଆକାରରେ ଏତଲା ଦାୟର ହୋଇପାରିବ। ମହିଳାଙ୍କ ସଂପର୍କିତ କୌଣସି ମାମଲାର ତଦନ୍ତ ମହିଳା ପୁଲିସ ଅଧିକାରୀ କରିବେ। ପୂର୍ବରୁ ଦୁଷ୍କର୍ମ ମାମଲାରେ ଜଣେ ନାବାଳକ ସଂପୃକ୍ତ ଥିଲେ ବଡ଼ ଧରଣର ଦଣ୍ଡବିଧାନ ନ ଥିଲା। ମାତ୍ର ଏବେ ୨୦ବର୍ଷ କିମ୍ବା ଫାଶୀର ପ୍ରାବଧାନ ରହିଛି। ସେହିପରି କେଉଁ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ହ୍ୟାଣ୍ଡକପ୍ ପକାଯିବ ଓ କେଉଁଥିରେ ପକାଯିବ ନାହିଁ ତହିଁରେ ସ୍ପଷ୍ଟତା ରହିଛି। ତଦନ୍ତଠାରୁ ଆରମ୍ଭ କରି ଶୁଣାଣିର କୌଣସି ଧାର୍ଯ୍ୟ ସମୟ ସୀମା ନ ଥିଲା। ମାତ୍ର ନୂଆ ଆଇନରେ ଏଥିରେ ବ୍ୟବସ୍ଥା କରାଯାଇଛି। ଗୁରୁତ୍ବପୂର୍ଣ୍ଣ ହେଉଛି ଛୋଟ ଛୋଟ ଅପରାଧରେ କମ୍ୟୁନିଟି ସର୍ଭିସ୍ ଉପରେ ଗୁରୁତ୍ବ ଦିଆଯାଇଛି। ଯାହାକି ଏକ ସଂସ୍କାରମୂଳକ ଓ ପ୍ରଗତିଶୀଳ ପଦକ୍ଷେପ। ସେହିପରି ଛିନ୍ତାଇ ଘଟଣାରେ କୌଣସି ଧାରା ନ ଥିଲା ବେଳେ ଏହାକୁ ଚୋରିରେ ସାମିଲ କରାଯାଉଥିଲା। ନୂଆ ଆଇନରେ ଏକ ସ୍ବତନ୍ତ୍ର ଧାରା ରଖାଯାଇଛି। ବିଳମ୍ବିତ ନ୍ୟାୟକୁ ବିଡ଼ମ୍ବିତ ନ୍ୟାୟ ବୋଲି କୁହାଯାଏ। ଏବେ କୌଣସି ଲୋକ ଯେପରି ନ୍ୟାୟରୁ ବଞ୍ଚିତ ହେବେ ନାହିଁ ତାହାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ୩ ନୂଆ ଆଇନ କେବଳ ଦୋଷୀକୁ ଦଣ୍ଡ ଦେବା ଉଦ୍ଦେଶ୍ୟରେ ନୁହେଁ ବରଂ ନ୍ୟାୟ ଦେବା ପାଇଁ ଉଦ୍ଦିଷ୍ଟ।
ସୀତାଂଶୁ ମୋହନ ଦ୍ବିବେଦୀ
ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ
ଛୋଟ ଅପରାଧ ପାଇଁ ଗୋଷ୍ଠୀସେବା ଦଣ୍ଡ ବ୍ୟବସ୍ଥା
ଆଇନର ଆମୂଳଚୁଳ ପରିବର୍ତ୍ତନ ନ ହୋଇଥିଲେ ମଧ୍ୟ ବର୍ତ୍ତମାନର ଯୁଗ, ନୂଆ ଧରଣର ଅପରାଧରେ କାର୍ଯ୍ୟାନୁଷ୍ଠାନ, ଅପରାଧ ନିୟନ୍ତ୍ରଣ, ନାଗରିକଙ୍କ ଅଧିକାର ସୁରକ୍ଷା, ପୁଲିସ କ୍ଷମତାର ଅପବ୍ୟବହାରକୁ ବନ୍ଦ କରିବା ପାଇଁ ତିନି ନୂଆ ଆଇନରେ ବ୍ୟବସ୍ଥା କରାଯାଇଛି। ଛୋଟ ମୋଟ ଅପରାଧରେ ଜେଲ ଦଣ୍ଡ ବ୍ୟତୀତ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟରେ ଦୋଷୀକୁ ନିୟୋଜିତ କରିବା ପ୍ରସଂଗରେ ଉଲ୍ଲେଖ କରାଯାଇଛି। ଏଭଳି ମାମଲାରେ ଦୋଷୀକୁ ଜୀବନର ମୂଳସ୍ରୋତକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି। ଜେଲ ଦଣ୍ଡ ବ୍ୟତୀତ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟରେ ଦୋଷୀକୁ ନିୟୋଜିତ କରିବା ଭଳି ଦଣ୍ଡ ବ୍ୟବସ୍ଥା କରାଯାଇଛି। ୬ଟି ଅପରାଧରେ ଦୋଷୀ ପାଇଁ ଏଭଳି କମ୍ୟୁନିଟି ସର୍ଭିସ ବା ଗୋଷ୍ଠୀସେବା ଭଳି ଦଣ୍ଡ ବ୍ୟବସ୍ଥା ରହିଛି। ୩୩ଟି ଅପରାଧରେ ଦଣ୍ଡ ବୃଦ୍ଧି କରାଯାଇଛି। ସେହିଭଳି ଭାବେ ୮୩ଟି ଅପରାଧରେ ଅର୍ଥ ଦଣ୍ଡ/ଜରିମାନା ପରିମାଣ ବୃଦ୍ଧି କରାଯାଇଛି। ୬ଟି ଅପରାଧରେ ଦୋଷୀ ପାଇଁ କମ୍ୟୁନିଟି ସର୍ଭିସ ବା ଗୋଷ୍ଠୀସେବା ଭଳି ଦଣ୍ଡ ବ୍ୟବସ୍ଥା ରହିଛି। ବରିଷ୍ଠ ନାଗରିକ, ମହିଳା, ଶିଶୁଙ୍କୁ ନ୍ୟାୟ ପ୍ରଦାନ ପାଇଁ ନୂଆ ଆଇନରେ ଗୁରୁତ୍ବ ଦିଆଯାଇଛି।
ବିଜୟ କୁମାର ଦାଶ
ସଭାପତି, ହାଇକୋର୍ଟ ବାର୍ ଆସୋସିଏସନ୍
୩୦୨ ଆଉ ରହିବ ନାହିଁ, ଧାରା ବଦଳିଲା
ଭାରତୀୟ ନ୍ୟାୟ ସଂହିତାରେ ୨୦ଟି ଅଧ୍ୟାୟ ରହିଛି। ୩୫୮ ଧାରା ସ୍ଥାନ ପାଇଛି। ପୂର୍ବର ଆଇପିସିରେ ୨୩ଟି ଅଧ୍ୟାୟ ଓ ୫୧୧ ଦଫା ରହିଥିଲା। ଆଉ ହତ୍ୟା ପାଇଁ ଦଫା ୩୦୨ରେ ମୃତ୍ୟୁଦଣ୍ଡ ପ୍ରଦାନ କରାଯିବ ନାହିଁ। ହତ୍ୟା ପାଇଁ ନୂଆ ଆଇନର ଧାରା ୧୦୩(୧)ରେ ମୃତ୍ୟୁଦଣ୍ଡ ପ୍ରଦାନ କରାଯାଇ ପାରିବ। ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ ପାଇଁ ମଧ୍ୟ ମୃତ୍ୟୁଦଣ୍ଡ ପ୍ରଦାନ କରାଯାଇ ପାରିବ। ସେହିଭଳି ଭାବେ ସେନାରେ ବିଦ୍ରୋହ ପାଇଁ ପ୍ରବର୍ତ୍ତାଇବା ଘଟଣାରେ ମଧ୍ୟ ମୃତ୍ୟୁଦଣ୍ଡ ଭଳି କଠୋର ବ୍ୟବସ୍ଥା ରହିଛି। ନୂଆ ଆଇନରେ ମହିଳା, ଶିଶୁ, ରାଷ୍ଟ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଶିଶୁ ଭାବେ ଗ୍ରହଣ କରାଯାଇଛି। ପୁଲିସକୁ ଅଧିକ କ୍ଷମତା ଦିଆଯାଇଛି। ବିନା ଗିରଫ ପରୱାନାରେ ପୁଲିସ ବହୁ ମାମଲାରେ ଗିରଫ କରି ପାରିବ। ଭାରତୀୟ ସାକ୍ଷ୍ୟ ଅଧିନିୟମରେ ଟେଲିଗ୍ରାମ ଶବ୍ଦକୁ ଉଚ୍ଛେଦ କରାଯାଇଛି।
ପୁରୁଷୋତ୍ତମ ଚୁଳି, ଆଇନଜୀବୀ, ହାଇକୋର୍ଟ
ସନ୍ତ୍ରାସବାଦ କାର୍ଯ୍ୟକଳାପ ପାଇଁ କଠୋର ଦଣ୍ଡ
ଭାରତୀୟ ନ୍ୟାୟ ସଂହିତାରେ ବିଭିନ୍ନ ଅପରାଧର ସଂଜ୍ଞାରେ ପରିବର୍ତ୍ତନ କରାଯାଇଛି। ମୁଦାଲାଙ୍କ ବ୍ୟକ୍ତିଗତ ସ୍ବାଧୀନତାକୁ ସୁରକ୍ଷା ପାଇଁ ଜାମିନ ଅଧିକାର, ମାମଲାର ତ୍ବରିତ ଶୁଣାଣି ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଏଥିରେ ଅନେକ ନୂଆ ଅପରାଧର ସଂଜ୍ଞା ଦିଆଯିବା ସହିତ, ଆତଙ୍କବାଦ, ସଂଗଠିତ ଅପରାଧ, ମବ୍ ଲିଞ୍ଚିଂ(ସାମୂହିକ ଅପରାଧ, ହିଂସାକାଣ୍ଡ) ଅପରାଧ ଭଳି ଅନେକ ନୂତନ ଅପରାଧ ପ୍ରସଂଗ ଉଲ୍ଲେଖ କରାଯାଇଛି। ରାଷ୍ଟ୍ର ବିରୋଧରେ ଅପରାଧ, ଦୁଷ୍କର୍ମର ସଂଜ୍ଞାକୁ ଅଧିକ ସଂପ୍ରସାରିତ କରାଯାଇଛି। ଆତଙ୍କବାଦ ଅପରାଧର ସଂଜ୍ଞା ଭିତରେ ସନ୍ତ୍ରାସବାଦୀଙ୍କୁ ଅର୍ଥ ଯୋଗାଣ ଓ ଏଭଳି ବିଭିନ୍ନ ସଂଗଠନକୁ ସହଯୋଗ କାର୍ଯ୍ୟକୁ ଗୁରୁତର ଅପରାଧ ଭାବେ ଗ୍ରହଣ କରାଯାଇଛି। ପୁରୁଣା ପେନାଲ କୋଡରେ ଥିବା ସେଡିସନ୍ ବା ରାଷ୍ଟ୍ରଦ୍ରୋହ ଭଳି ଅପରାଧକୁ ବାଦ ଦିଆଯାଇଥିବା ବେଳେ ଦେଶର ସାର୍ବଭୌମତ୍ବ, ସଂହତି ଓ ଏକତା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟକ୍ରମକୁ ଗୁରୁତର ଅପରାଧ ବିବେଚନା କରାଯାଇଛି। ସଂଗଠିତ ଅପରାଧର ମୂଳ ଉତ୍ପାଟନ ପାଇଁ ଅନେକ ସ୍ବତନ୍ତ୍ର କଠୋର ବ୍ୟବସ୍ଥା ହୋଇଛି। ସେହିଭଳି ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ଗିରଫ, ପ୍ରସିକ୍ୟୁସନ, ଜାମିନ ଓ ବିଚାର ପ୍ରକ୍ରିୟା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କାର୍ଯ୍ୟବିଧି ଆଇନରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ପରିବର୍ତ୍ତନ ମଧ୍ୟରେ ଗିରଫ ସମୟରେ ଅଭିଯୁକ୍ତ ଓକିଲଙ୍କ ପରାମର୍ଶ ନେଇ ପାରିବେ। ଅଭିଯୁକ୍ତକୁ ପୁଲିସ ହେପାଜତରେ ନେବା ସମୟସୀମା ୧୦ ଦିନରୁ ୧୫ ଦିନକୁ ବୃଦ୍ଧି କରାଯିବା ସହିତ ପୁଲିସ କେତେକ ଅପରାଧରେ ହାତକଡ଼ି ବ୍ୟବହାର କରିବ ବୋଲି ସ୍ପଷ୍ଟ କରାଯାଇଛି। ମାଜିଷ୍ଟ୍ରେଟ କୌଣସି ବ୍ୟକ୍ତିବିଶେଷଙ୍କୁ ଆଙ୍ଗୁଠି ଛାପ ଓ କଣ୍ଠ ନମୁନା ଦେବା ପାଇଁ ନିର୍ଦ୍ଦେଶ ଦେଇ ପାରିବେ। ସମସ୍ତ ବିଚାର, ତଦନ୍ତ, ଶୁଣାଣି ଇଲେକ୍ଟ୍ରୋନିକ ମୋଡ୍ରେ ହେବାର ବ୍ୟବସ୍ଥା ରହିଛି। ତଦନ୍ତ ଓ ବିଚାର ପ୍ରକ୍ରିୟାରେ ବୈଷୟିକ ଜ୍ଞନକୌଶଳ ପ୍ରଚଳନ ଉପରେ ଗୁରୁତ୍ବ ଦିଆଯିବା ସହିତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଚାରପ୍ରକ୍ରିୟା ଶେଷ ପାଇଁ ବ୍ୟବସ୍ଥା ହୋଇଛି। କୌଣସି ତଦନ୍ତ ସମୟରେ ତଦନ୍ତକାରୀ ଅଧିକାରୀଙ୍କ ଦ୍ବାରା କରାଯାଉଥିବା ଖାନ୍ତଲାସ୍ ଓ ସାମଗ୍ରୀ ଜବତ ପ୍ରକ୍ରିୟାର ଭିଡିଓଗ୍ରାଫି ବାଧ୍ୟତାମୂଳକ କରାଯାଇଛି। ଫଳରେ ତଦନ୍ତ ଅଧିକ ସ୍ବଚ୍ଛ ଓ ନିରପେକ୍ଷ ହେବ। ଭାରତୀୟ ସାକ୍ଷ୍ୟ ଅଧିନିୟମ ଅନୁସାରେ ମୁଦାଲାଙ୍କ ତଦନ୍ତ ସମୟରେ ନିରବତା ଅବଲମ୍ବନ କରିବାର ଅଧିକାର ଅଧିକ ବଳବତ୍ତର କରାଯିବ। ମହିଳା ଓ ଶିଶୁଙ୍କ ଉପରେ ହୋଇଥିବା ଅପରାଧକୁ ଅଧିକ ଗୁରୁତ୍ବ ଦିଆଯିବା ସହିତ ଦୁଷ୍କର୍ମ ମାମଲାରେ ଡାକ୍ତରୀ ମାଇନା ରିପୋର୍ଟ ଡାକ୍ତର ୭ ଦିନ ଭିତରେ ତଦନ୍ତକାରୀ ଅଧିକାରୀଙ୍କ ପାଖରେ ଦାଖଲ ପାଇଁ ନିୟମ କରାଯାଇଛି।
ଦେବସ୍ନାନ ଦାସ, ଆଇନଜୀବୀ, ଓଡ଼ିଶା ହାଇକୋର୍ଟ
ଯୁକ୍ତି ଉପସ୍ଥାପନ ଶେଷ ହେବାର ୩୦ ଦିନ ଭିତରେ ରାୟ
ପୂର୍ବରୁ ଆଇପିସିରେ ୫୧୧ ଦଫା ଥିଲା। ଭାରତୀୟ ନ୍ୟାୟ ସଂହିତାରେ ଧାରା ସଂଖ୍ୟା ୩୫୮କୁ ହ୍ରାସ ପାଇଛି। କେତେକ ଅପରାଧ ସୁପ୍ରିମକୋର୍ଟ ଦ୍ବାରା ଅସିଦ୍ଧ ଘୋଷଣା କରାଯାଇଥିଲା। ଏଭଳି ଦଫା ଯଥା ଆଇପିସିର ଦଫା ୩୦୩, ସରକାରୀ ଅଧିକାରୀଙ୍କ ଦୁର୍ନୀତି ସଂପର୍କିତ ଦଫାକୁ ବାଦ୍ ଦିଆଯାଇଛି। ଦୁର୍ନୀତି ନିବାରଣ ଆଇନରେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଦଣ୍ଡ ବ୍ୟବସ୍ଥା ରହିଥିବାରୁ ଏପରି କରାଯାଇଛି। ଗୋଷ୍ଠୀ ହିଂସା, ସଂଗଠିତ ଅପରାଧ, ସୁପାରି କିଲର, ଅର୍ଥନୈତିକ ଅପରାଧ, ସାଇବର ଅପରାଧ, ମାନବ ଓ ଡ୍ରଗ୍ସ ଚାଲାଣ ପାଇଁ ଉଚିତ ଦଣ୍ଡ ବ୍ୟବସ୍ଥା ହୋଇଛି। ଆତଙ୍କବାଦ କାର୍ଯ୍ୟକାଳାପ, ହିଟ୍ ଆଣ୍ଡ ରନ୍ ପାଇଁ ଦଣ୍ଡ ବ୍ୟବସ୍ଥା କରାଯାଇଛି। ଚୋରି ଅପରାଧର ପରିସର ବ୍ୟାପକ କରାଯାଇଛି। ଏଥି ମଧ୍ୟରେ ଡାଟା ଚୋରି, ପରିଚୟ ଚୋରି, କୌଶଳ ଚୋରିକୁ ସାମିଲ କରାଯାଇଛି।
ସିଆରପିସିରେ ପୂର୍ବରୁ ୪୮୪ ଧାରା ଥିବା ବେଳେ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ଧାରା ସଂଖ୍ୟା ୫୩୧ ରହିଛି। ଅଭିଯୁକ୍ତର ଅଧିକାର ପ୍ରସଂଗରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଅଭିଯୁକ୍ତ ତାଙ୍କ ବିରୋଧରେ ତଦନ୍ତ ବେଳେ ଆଇନଗତ ପରାମର୍ଶ ନେଇ ପାରିବେ ଏବଂ ଚୁପ୍ ମଧ୍ୟ ରହି ପାରିବେ। ଇଲେକ୍ଟ୍ରୋନିକ୍ସ ବ୍ୟବସ୍ଥାରେ ସାକ୍ଷ୍ୟ ସଂଗ୍ରହ କରାଯାଇ ପାରିବ। ମାମଲାରେ ଯୁକ୍ତି ଉପସ୍ଥାପନ ଶେଷ ହେବାର ୩୦ ଦିନ ଭିତରେ ଅଦାଲତ ରାୟ ପ୍ରକାଶ କରିବେ। ପୀଡ଼ିତାଙ୍କୁ ତଦନ୍ତ ସଂକ୍ରାନ୍ତରେ ତଦନ୍ତକାରୀ ଅଧିକାରୀ ଅବଗତ କରିବେ। ବରିଷ୍ଠ ପୁଲିସ ଅଧିକାରୀଙ୍କ ବିନା ଅନୁମତିରେ ବରିଷ୍ଠ ନାଗରିକଙ୍କୁ ତଦନ୍ତକାରୀ ଅଧିକାରୀ ଗିରଫ କରି ପାରିବେ ନାହିଁ। ବରିଷ୍ଠ ନାଗରିକ ଘରେ ରହି ସାକ୍ଷ୍ୟ ପ୍ରଦାନ କରି ପାରିବେ। ତଦନ୍ତକାରୀ ଅଧିକାରୀଙ୍କ ଦ୍ବାରା ତଲାସି ଓ ଜବତ ପ୍ରକ୍ରିୟାର ମୋବାଇଲ ଫୋନ୍ ମାଧ୍ୟମରେ ଭିଡିଓଗ୍ରାଫି କରାଯାଇପାରିବ। ଏପରି ଭିଡିଓକୁ ତୁରନ୍ତ ମାଜିଷ୍ଟ୍ରେଟଙ୍କ ନିକଟକୁ ତଦନ୍ତକାରୀ ଅଧିକାରୀ ପଠାଇବେ।
ଇଣ୍ଡିଆନ୍ ଏଭିଡେନ୍ସ ଆଇନରେ ୧୬୭ ଧାରା ଆଗରୁ ଥିଲା। ଏବେ ଭାରତୀୟ ସାକ୍ଷ୍ୟ ଅଧିନିୟମରେ ଧାରା ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ଇଲେକ୍ଟ୍ରୋନିକ ରେକର୍ଡ ଯଥା ଇ-ମେଲ, କମ୍ପ୍ୟୁଟରରେ ଥିବା ଡକ୍ୟୁମେଣ୍ଟ, ଅନ୍ୟ ଡିଜିଟାଲ ଡିଭାଇସକୁ ପଠାଯାଇଥିବା ଡକ୍ୟୁମେଣ୍ଟ ଗ୍ରହଣୀୟ ହେବ। ଇଲେକ୍ଟ୍ରୋନିକ ପ୍ରମାଣକୁ ପ୍ରାଥମିକ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ। ଲୁନାଟିକ୍ ଶବ୍ଦ ଉଠାଇ ଦିଆଯାଇ ମାନସିକସ୍ତରରେ ‘ଅସୁସ୍ଥ’ ଯୋଡ଼ା ଯାଇଛି। ନୂଆ ଆଇନରେ ୬୩(୪)(ସି) ଅନୁସାରେ ଇଲେକ୍ଟ୍ରୋନିକ ଏଭିଡେନ୍ସର ପ୍ରମାଣ ପାଇଁ କମ୍ପ୍ୟୁଟର ଡିଭାଇସ ଯାହା ପାଖରେ ଥିବା ସେ ଏକ ସାର୍ଟିଫିକେଟ ଦେବେ। ଇଲେକ୍ଟ୍ରୋନିକ ପ୍ରମାଣ ସାର୍ଟିଫିକେଟ ସଂପର୍କିତ ନିର୍ଦ୍ଦିଷ୍ଟ ଫର୍ମାଟ ନୂଆ ଆଇନରେ ଉପଲବ୍ଧ। ତେଣୁ କୌଣସି ଦ୍ବନ୍ଦ୍ବ ରହିବ ନାହିଁ।
ଅଜିତ କୁମାର, ପଟ୍ଟନାୟକ, ପ୍ରସିକ୍ୟୁସନ୍ ଉପନିର୍ଦ୍ଦେଶକ
ମାମଲା କେତେଦିନ ଭିତରେ ସରିବ ତାହାର ସମୟସୀମା ନାହିଁ
ବହୁତ ବର୍ଷର ବ୍ରିଟିସ ଆଇନ ବଦଳିବା ପାଇଁ ପୂର୍ବରୁ ଦାବି ହେଉଥିଲା। ଏଥିରେ ନ୍ୟାୟ ପ୍ରକ୍ରିୟା ବିଳମ୍ବିତ ହେଉଥିଲା। ବିଳମ୍ବିତ ନୁହେଁ, ବିଡ଼ମ୍ବିତ ନ୍ୟାୟ ବୋଲି ସର୍ବସାଧାରଣରେ ଆଲୋଚନା ହେଲା। ଯାହାକୁ ନେଇ ସର୍ବସାଧାରଣରେ ବିଚାର ବିଭାଗ ପ୍ରତି ଅଙ୍ଗୁଳି ଉଠିଥିଲା। ହେଲେ ନୂଆ ଆଇନ ବିଚାର ବିଭାଗର ସମ୍ମାନ ରକ୍ଷା କରିବ। ନୂଆ ଆଇନ ଦ୍ବାରା ସାଧାରଣ ଲୋକ ଉପକୃତ ହେବେ। ଯାହା ତ୍ରୁଟି ରହିଛି, ସେଗୁଡ଼ିକ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ସଂଶୋଧନ କରାଯାଇପାରିବ। ନୂଆ ଆଇନରେ ଡାକ୍ତରଙ୍କୁ ସୁରକ୍ଷା ଦିଆଯାଇଛି। ଅଦାଲତରେ ମାମଲାରେ ପକ୍ଷଭୁକ୍ତମାନଙ୍କ ପାଇଁ ସୁବିଧା କରାଯାଇଛି। ପ୍ରଚଳିତ ଆଇନରେ ମାମଲା ତ୍ବରିତ ଫଇସଲା ପାଇଁ ବ୍ୟବସ୍ଥା କରାଯାଇଛି। ସମସ୍ତେ ଏହି ଆଇନକୁ ପ୍ରଶଂସା କରିବାକୁ ଆରମ୍ଭ କରିଛନ୍ତି। ଅନୁସନ୍ଧାନ ସମୟରେ ପୁଲିସ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାକ୍ଷୀ ଓ ଅନ୍ୟମାନଙ୍କ ବୟାନ ରେକର୍ଡ ସହ ସାମଗ୍ରୀ ଜବତ ମଧ୍ୟ ହୋଇପାରିବ। ସାଧାରଣ ମାମଲାରେ ଅନୁସନ୍ଧାନ ପାଇଁ ପୁଲିସକୁ ପୂର୍ବରୁ ୬୦ଦିନ ଥିବା ବେଳେ ଏବେ ତାହାକୁ ୪୦ଦିନକୁ କମାଇ ଦିଆଯାଇଛି। ଗୁରୁତର ମାମଲାରେ ଏହା ୧୨୦ରୁ ୬୦ ଦିନକୁ କମାଇ ଦିଆଯାଇଛି। ଏଥିରେ ପୀଡ଼ିତମାନେ ଉପକୃତ ହେବେ।
ହେଲେ ମାମଲା କେତେଦିନ ଭିତରେ ସରିବ ତାହାର କୌଣସି ସମୟସୀମା ନାହିଁ। ତଦନ୍ତକାରୀ ଅଧିକାରୀ ବଦଳି ହେଲେ ତାଙ୍କ ସ୍ଥାନରେ ନୂଆ ଅଧିକାରୀଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ଠିକ୍ ନୁହେଁ। କୌଣସି ମାମଲା କୋର୍ଟରେ ଦାୟର ହେବା ପରେ ଚାର୍ଜଫ୍ରେମ ପୂର୍ବରୁ ଜଣେ ଡିସ୍ଚାର୍ଜ ପିଟିସନ୍ ଦାଖଲ କରିବାର ବ୍ୟବସ୍ଥା ଥିଲା। ନୂଆ ଆଇନରେ ଚାର୍ଜଫ୍ରେମ୍ ପରେ ଡିସ୍ଚାର୍ଜ ପାଇଁ ପିଟିସନ୍ ଦାଖଲ ହୋଇପାରିବ। ଏହାକୁ ନେଇ ବଡ଼ ଦ୍ବନ୍ଦ୍ବ ସୃଷ୍ଟି ହେବ।
ମଧୁମାଧବ ଜେନା, ବରିଷ୍ଠ ଆଇନଜୀବୀ
ଜିରୋ ଏଫ୍ଆଇଆର୍
ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୭୩(୧) ଅନୁସାରେ ‘ଜିରୋ ଏଫ୍ଆଇଆର୍’ ବ୍ୟବସ୍ଥା ନୂଆକରି ଦେଖିବାକୁ ମିଳିବ। ଗୋଟିଏ ସ୍ଥାନରେ ହୋଇଥିବା ଅପରାଧ ଘଟଣା ସଂକ୍ରାନ୍ତରେ ଜଣେ ଅନ୍ୟ ସ୍ଥାନରେ ରହି ଏତଲା ଦେଇ ପାରିବେ। ମୌଖିକ ଭାବେ ବା ଲିଖିତ ଭାବେ ବା ଇ-ମେଲ ଭଳି ଇଲେକ୍ଟ୍ରୋନିକ ମାଧ୍ୟମରେ ଏତଲା ଗ୍ରହଣୀୟ ହେବ। ଏତଲା ପଞ୍ଜୀକରଣ ପରେ କ’ଣ ତଦନ୍ତ ହେଉଥିଲା ସେ ନେଇ ପୀଡ଼ିତ ଜାଣିପାରୁ ନ ଥିଲେ। ନୂଆ ଆଇନ ଅନୁସାରେ ପୀଡ଼ିତଙ୍କୁ ତଦନ୍ତ ସଂକ୍ରାନ୍ତରେ ତଦନ୍ତକାରୀ ଅଧିକାରୀ ଅବଗତ କରିବେ। ପୂର୍ବରୁ ଦୁଷ୍କର୍ମ ଭଳି ଗୁରୁତର ଅପରାଧଠାରୁ ଆରମ୍ଭ କରି ଅନ୍ୟ ଘଟଣାରେ ଜଣେ ପଞ୍ଜୀକୃତ ଡାକ୍ତରଙ୍କ ଦ୍ବାରା ପରୀକ୍ଷା-ମାଇନା ପାଇଁ ସବ୍ ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କ ଅନୁରୋଧ ଆବଶ୍ୟକ ହେଉଥିଲା। ଏବେ ଯେ କୌଣସି ପାହ୍ୟାର ଅଧିକାରୀ ଡାକ୍ତରୀ ପରୀକ୍ଷା ପାଇଁ ଅନୁରୋଧ କରି ପାରିବେ। ଯେଉଁ ଅପରାଧରେ ୭ ବର୍ଷ ବା ତା ଠାରୁ ଅଧିକ ଦଣ୍ଡ ରହିଥିବ ସେଭଳି ଘଟଣାର ଫରେନ୍ସିକ୍ ତଦନ୍ତ କରାଯିବ। ଧାରା ୧୭୬ ଅନୁସାରେ ଫରେନ୍ସିକ୍ ବିଶେଷଜ୍ଞ ଘଟଣାସ୍ଥଳକୁ ଯାଇ ପ୍ରମାଣ ସଂଗ୍ରହ କରିବେ।
ଚନ୍ଦ୍ରକାନ୍ତ ପ୍ରଧାନ, କେନ୍ଦ୍ର ସରକାରଙ୍କ
ସିନିୟର ପ୍ୟାନେଲ କାଉନ୍ସିଲ, ଓଡ଼ିଶା ହାଇକୋର୍ଟ