ସାଇବର୍‌ ଠକଙ୍କ ନୂଆ ଫର୍ମୁଲା: ବୁଷ୍ଟର ଡୋଜ୍‌ ନାଁରେ କରାଯାଉଛି ଲୁଟ୍‌ ଉଦ୍ୟମ

ସମ୍ବଲପୁର : କରୋନା ସଂକ୍ରମଣ ସାରା ଦେଶରେ ଏବେ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ୨ଟି ଲେଖାଏ ଡୋଜ୍‌ ନେବା ପରେ ମଧ୍ୟ ଅନେକ ଲୋକ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି। ଯେଉଁ କାରଣରୁ ଏବେ ବୁଷ୍ଟର୍‌ ଡୋଜ୍‌ ଦେବା ଆରମ୍ଭ କରାଯାଇଛି। ଲୋକଙ୍କୁ ଠକିବା ପାଇଁ ସବୁବେଳେ ନୂଆ ନୂଆ ଜାଲ ବିଛାଉଥିବା ସାଇବର୍‌ ଠକମାନେ ଏବେ ଏହି ବୁଷ୍ଟର ଫର୍ମୁଲା ପକାଇ ଲୁଟିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ସେଥିପାଇଁ ଲୋକଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ସାଇବର୍‌ ଏକ୍‌ପର୍ଟ ମତ ଦେଇଛନ୍ତି।

କିଭଳି କରୁଛନ୍ତି ଲୁଟ୍‌
ଆପଣଙ୍କୁ ପ୍ରଥମେ ଏକ ଅଜଣା ନମ୍ବରରୁ କଲ୍‌ ଆସିବ। ନିଜକୁ ସରକାରୀ କର୍ମଚାରୀ ବୋଲି ସାଇବର୍‌ ଠକ ଜଣକ ପରିଚୟ ଦେବ ଏବଂ ବୁଷ୍ଟର ଡୋଜ୍‌ ପାଇଁ କହିବ ଏବଂ ଓଟିପି ମାଗିବ। ଓଟିପି ଦେବା ମାତ୍ରେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବାର ସମ୍ଭାବନା ରହିଛି। ଅନେକ ଲୋକ ଟିକା ନେବା ପରେ ଟିକାକରଣ ପ୍ରମାଣପତ୍ରକୁ ସାମାଜିକ ଗଣମାଧ୍ୟମରେ ଛାଡ଼ୁଛନ୍ତି। ସାଇବର୍‌ ଠକମାନ ସେହିମାନଙ୍କୁ ହିଁ ଏହି ବୁଷ୍ଟର ଡୋଜ୍‌ ନାଁରେ ଟାର୍ଗେଟ୍‌ କରୁଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଛଡ଼ା ଯାଇଥିବା ପ୍ରମାଣପତ୍ରରୁ ତଥ୍ୟ ସଂଗ୍ରହ କରିବା ପରେ ଆପଣଙ୍କର ବିଶ୍ୱାସ ପାଇଁ, ସାଇବର୍‌ ଠକ ଆପଣ ପ୍ରଥମ ଓ ଦ୍ୱିତୀୟ ଡୋଜ୍ କେବେ ନେଲେ ସବୁ କହିବା ପରେ ଆପଣଙ୍କୁ ରେକର୍ଡ ଅନୁଯାୟୀ ବୁଷ୍ଟର୍ ଡୋଜ ନେବାକୁ ସମ୍ପୂର୍ଣ୍ଣ ଯୋଗ୍ୟ ବୋଲି କହିବ। ଏହା ସହିତ ବୁଷ୍ଟର ଡୋଜ୍‌ ପାଇଁ ପଞ୍ଜୀକରଣ କରାଯାଉଛି ବୋଲି କହି ପଞ୍ଜୀକରଣ ପାଇଁ ଆପଣଙ୍କ ପାଖକୁ ଏକ ଓଟିପି ଆସିବ କହିବ। କିଛି ସମୟ ଭିତରେ ଏକ ଓଟିପି ଆପଣଙ୍କ ପାଖକୁ ଆସିବ ଏବଂ ପଞ୍ଜିକରଣ ପାଇଁ ଓଟିପି ସେୟାର କରନ୍ତୁ ବୋଲି ସାଇବର୍‌ ଠକ ଜଣକ ଆପଣଙ୍କୁ କହିବ। ଓଟିପି ସେୟାର କରିଲେ ଆପଣଙ୍କ ଆକାଉଣ୍ଟରୁ ଖୁବ୍‌ ସହଜରେ ସାଇବର୍‌ ଠକ ଜଣକ ଟଙ୍କା ଲୁଟି ନେଇଯାଇପାରିବ।

ଓଟିପି ବ୍ୟତୀତ ପଞ୍ଜୀକରଣ ପାଇଁ ସାଇବର୍‌ ଠକ ଜଣକ ଆପଣଙ୍କୁ ଏକ ଲିଙ୍କ ମଧ୍ୟ ପଠାଇବାର ସମ୍ଭାବନା ରହିଛି। ଉକ୍ତ ଲିଙ୍କ ଉପରେ କ୍ଲିକ୍‌ କରିବା ପରେ ସାଇବର୍‌ ଠକ ଜଣକ ଆପଣଙ୍କ ମୋବାଇଲ୍‌ ଫୋନ୍‌ରେ ମାଲୱେୟାର ଭାଇରସ୍‌ ପୂରାଇ ଯାହା ଇଚ୍ଛା ତାହା କରିପାରିବ। କରୋନା ଟିକା ନେବା ପରେ ଅନେକ ଲୋକ ଖୁସିରେ ସେମାନଙ୍କର ଟିକାକରଣ ପ୍ରମାଣପତ୍ରର ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ମୋବାଇଲ୍ ନମ୍ବର ମଧ୍ୟ ରହିଛି। ଏହା ସହିତ ଟିକାକରଣ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି। ଯାହାର ଫାଇଦା ସାଇବର୍‌ ଠକମାନେ ଉଠାଉଛନ୍ତି। ତେଣୁ ଯଦି ଆପଣ ସାମାଜିକ ଗଣମାଧ୍ୟମରେ ଆପଣଙ୍କ କୋଭିଡ୍‌ ଟିକା ନେବାର ପ୍ରମାଣ ପତ୍ର ଛାଡ଼ିଛନ୍ତି ତେବେ ସାବଧାନତା ଅବଲମ୍ବନ କରିବାକୁ ସାଇବର ବିଶେଷଜ୍ଞମାନେ ​ମତ ଦେଇଛନ୍ତି

ସମ୍ବନ୍ଧିତ ଖବର