ଗଞ୍ଜେଇ ମାଫିଆଙ୍କ ନୂଆ ଫର୍ମୁଲା : ଭିଆଇପି କାରରେ ନିଶା କାରବାର

ଦୁଇ ବର୍ଷରେ ଧରା ପଡିଲାଣି ୨୩ ମାମଲା

କଟକ : ଅବକାରୀ ମାଫିଆ ଆଉ ପୂର୍ବ ଭଳି ଆଉ ଟ୍ରେନରେ ଗଞ୍ଜେଇ ଚାଲାଣ କରୁନାହାନ୍ତି। ଏବେ ସୁରକ୍ଷିତ ଢ˚ଗରେ ଗଞ୍ଜେଇ ଚାଲାଣରେ ବ୍ୟବହାର କରୁଛନ୍ତି ଦାମୀ ସ୍ପିଡ୍‌ କାର୍। ଭିଆଇପି କାର‌୍‌ଗୁଡ଼ିକ ଗଞ୍ଜେଇ ଚାଲାଣରେ ବ୍ୟବହାର ହେଉଥିବାରୁ ଅବକାରୀ ବିଭାଗର ସ୍କାନରରେ ଆସିବା କଷ୍ଟକର ହେଉଛି। କଟକ ସହର ଦେଇ ୨୦୨୦ ଜାନୁଆରିରୁ ଆଜି ସୁଦ୍ଧା ୨୩ ଜଣ ଗଞ୍ଜେଇ ମାଫିଆ କେବଳ ଦାମୀ କାର‌୍‌ରେ ଗଞ୍ଜେଇ ଚାଲାଣ କରି ଧରାପଡ଼ିଛନ୍ତି। ଏମାନଙ୍କ ନିକଟରୁ ମୋଟ ୭୩ ଲକ୍ଷ ୩୦ ହଜାର ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଅବକାରୀ ବିଭାଗ ଚଢ଼ଉରେ ଯେଉଁ ବୋଲେରୋ ଗାଡ଼ି ବ୍ୟବହାର କରୁଛି, ସେହି ଗାଡ଼ିଗୁଡ଼ିକ ମାଫିଆଙ୍କ ଦାମୀ ସ୍ପିଡ୍‌ କାର‌୍‌କୁ ପିଛା କରିବାରେ ଫେଲ୍‌ ମାରୁଥିବାରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ବର୍ଷରେ ୨୩ଟି ମାମଲାରେ ଏଭଳି କାର୍ ବ୍ୟବହାର ହୋଇଥିବାରୁ ବିଭାଗ ମାଫିଆଙ୍କୁ ଧରିବାରେ ଅଡ଼ୁଆ ହେଲାଣି।

ଅବକାରୀ ବିଭାଗର ଅନୁସନ୍ଧାନ ଅନୁଯାୟୀ ୨୦୨୦ରୁ ଏଭଳି ନୂତନ କୌଶଳ ଆରମ୍ଭ ହୋଇଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୨୦୨୦ ଫେବ୍ରୁଆରି ୯ ତାରିଖରେ ୫୦ କେଜି ଗଞ୍ଜେଇ ଏକ ଟଏଟା କ୍ବାଲିସ୍‌ ଗାଡ଼ିରେ ଚାଲାଣ ହେଉଥିବା ବେଳେ ଧରିଥିଲା। ମଙ୍ଗୁଳି ଛକରେ ଏହି ଗାଡ଼ି ଧରାପଡ଼ିଥିଲା। ସେହି ମାସ ୧୦ ତାରିଖରେ ମଙ୍ଗୁଳି ଛକରେ ପୁଣି ୧୦୫ କେଜି ଗଞ୍ଜେଇ ଏକ ମାରୁତି କାରରେ ଚାଲାଣ ବେଳେ ଧରାପଡ଼ିଥିଲା। ୨୨ ତାରିଖରେ ୨୫ କେଜି ଗଞ୍ଜେଇ ମାରୁତି ଏଟିକାରେ ଚାଲାଣ ବେଳେ ଜଗତପୁର ଛକରେ ଧରାପଡ଼ିଥିଲା। ସମାନ ତାରିଖରେ ୧୦୬ କେଜି ଗଞ୍ଜେଇ ନିର୍ଗୁଣ୍ତିରୁ ଏକ ବୋଲେରୋରୁ ଜବତ ହୋଇଥିଲା। ମେ ୨୩ ତାରିଖରେ ୪୨ କେଜି ଗଞ୍ଜେଇ ବାଲେଶ୍ବରରୁ ଟାଟା ସୁମୋ ଗାଡ଼ିରେ ଚାଲାଣ ବେଳେ ଧରାପଡ଼ିଥିଲା। ଜୁଲାଇ ୨୮ ତାରିଖରେ ୩୨ କେଜି ଗଞ୍ଜେଇ ନିର୍ଗୁଣ୍ତିରୁ ମାରୁତି ଅଲ୍‌ଟୋରେ ଚାଲାଣ ବେଳେ ଧରାପଡ଼ିଥିଲା। ଅଗଷ୍ଟ ୧୬ ତାରିଖରେ ୪୦ କେଜି ଗଞ୍ଜେଇ ଗୋପାଳପୁର ଛକ ନିକଟରୁ ରେନଲ୍‌ଟ ଡଷ୍ଟର ଗାଡ଼ିରେ ଚାଲାଣ ବେଳେ ଧରାପଡ଼ିଥିଲା। ଅକ୍ଟୋବର ୮ ତାରିଖରେ ମଙ୍ଗୁଳି ଛକ ନିକଟରେ ୩୬ କେଜି ଗଞ୍ଜେଇ ହୋଣ୍ତା ଆମାଜି ଗାଡ଼ିରୁ ଜବତ ହୋଇଥିଲା। ଡିସେମ୍ବର ୧୧ ତାରିଖରେ ନିର୍ଗୁଣ୍ତି ଟୋଲ୍‌ ଗେଟରେ ୧୫୫ କେଜି ଗଞ୍ଜେଇ ସୁଇପ୍ଟ ଡିଜାୟାର‌୍‌ ଗାଡ଼ିରେ ଚାଲାଣ ହେଉଥିଲା। ଚଳିତ ବର୍ଷ ଜାନୁଆରି ୩ ତାରିଖରେ ନିର୍ଗୁଣ୍ତି ଟୋଲଗେଟ୍‌ ନିକଟରେ ମାରୁତି ଡିଜାୟାର‌୍‌ ଗାଡ଼ିରେ ୩୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଜାନୁଆରି ୫ ତାରିଖରେ ରାଜ୍ୟ ଅବକାରୀ ଫ୍ଲାଇ˚ ସ୍କ୍ବାଡ୍‌ ତ୍ରିଶୂଳିଆ ପେଟ୍ରୋଲ ପମ୍ପ ନିକଟରେ ଏକ ଵାଗନର‌୍‌ ଗାଡ଼ିରୁ ୩୬ କେଜି ଗଞ୍ଜେଇ ଜବତ କରିଥିଲା। ଜାନୁଆରି ୧୮ ତାରିଖରେ ନିର୍ଗୁଣ୍ତି ଟୋଲ୍‌ ଗେଟ୍‌ ନିକଟରେ ୫୪ କେଜି ଗଞ୍ଜେଇ ହୁଣ୍ତାଇ ଭେନୁ ଗାଡ଼ିରେ ଚାଲାଣ ବେଳେ ଧରାପଡ଼ିଥିଲା। ଜାନୁଆରି ୧୮ ତାରିଖରେ ରାଜ୍ୟ ଅବକାରୀ ଫ୍ଲାଇ˚ ସ୍କ୍ବାଡ୍‌ ଗୋପାଳପୁର ଛକରେ ମାରୁତି ଅଲଟୋ ଗାଡ଼ିରୁ ୨୨ କେଜି ଗଞ୍ଜେଇ ଜବତ କରିଥିଲା। ଏହି ଗଞ୍ଜେଇ ମୁଖ୍ୟତଃ ଫୁଲବାଣୀ ଜିଲ୍ଲାରୁ ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀକୁ ଚାଲାଣ କରାଯାଉଛି। ଦାମୀ ଗାଡ଼ିରେ ଚାଲାଣ ପଛରେ ମୁଖ୍ୟ ଉଦ୍ଦେଶ୍ୟ- ଅବକାରୀ ବିଭାଗର ସନ୍ଦେହ ନହେବା। ହୋଣ୍ତା ସିଟି, ଭେନୁ, ଏଟିକା, ରିନଲ୍ଟ ଭଳି ଦାମି ଆରାମଦାୟକ ଗାଡ଼ି ସମ୍ଭ୍ରାନ୍ତ ଶ୍ରେଣୀର ଲୋକ ବ୍ୟବହାର କରୁଥିବାରୁ ଏଥିରେ ଗଞ୍ଜେଇ ଚାଲାଣ ହେଲେ ସହଜରେ ଅବକାରୀ ବିଭାଗର ସନ୍ଦେହ ହେବନାହିଁ। ଅନ୍ୟପଟେ ଡିକିର ସାଇଜ୍‌ ବଡ଼ ଥିବାରୁ ଅଧିକ ପରିମାଣର ଗଞ୍ଜେଇ ଜାଗା ଧରିପାରୁଛି।

ଜଣେ ଅବକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ଗୋଟିଏ ଚାରି ଚକିଆ ଗାଡ଼ିରେ ଏକକାଳୀନ ଦେଢ଼ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ହୋଇଥାଏ। ଗଞ୍ଜେଇ ଯେଭଳି ଅଳ୍ପ ସ୍ଥାନରେ ଅଧିକ ରହିପାରିବ, ସେଥିପାଇଁ ଏକ ମେସିନରେ ଗଞ୍ଜେଇକୁ ଚାପି ଆକାର ଛୋଟ କରି ଦିଆଯାଉଛି। ଏଭଳି କରିବା ଦ୍ବାରା ଗୋଟିଏ ଗାଡ଼ି ଡିକିରେ ୨ କୁଇଣ୍ଟାଲ୍‌ ପର୍ଯ୍ୟନ୍ତ ବି ଗଞ୍ଜେଇ ଯାଇପାରୁଛି। ମାଫିଆଙ୍କୁ ପିଛା କରିବାରେ ବୋଲେରୋ ଗାଡ଼ି ସମକକ୍ଷ ହୋଇପାରୁ ନଥିବା ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି। କଟକ ଦେଇ କନ୍ଧମାଳରୁ କଲିକତା ଏକ ଗଞ୍ଜେଇ ମାଫିଆ ଗ୍ୟାଙ୍ଗ ହୁଣ୍ତାଇ ଭେନୁ ଗାଡ଼ିରେ ଗଲା ସପ୍ତାହରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ନିର୍ଗୁଣ୍ତି ଚେକ୍‌ ଗେଟ୍‌ ନିକଟରେ ଅଧିକାରୀମାନେ ବ୍ୟାରିକେଡ୍‌ ରଖି ଗାଡ଼ି ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ମାଫିଆ ଦଳ ବ୍ୟାରିକେଡ୍‌ ଭାଙ୍ଗି ଯାଜପୁର ଜିଲ୍ଲା ପାଣିକୋଇଲି ଆଡ଼କୁ ଦ୍ରୁତ ଗତିରେ ଖସିଯାଇଥିଲେ। ବିଭାଗକୁ ଯେଉଁ ବୋଲେରୋ ଗାଡ଼ି ମିଳିଥିଲା ସେହି ଗାଡ଼ିରେ ପାଣିକୋଇଲି ଯାଏ ପିଛା କରିଥିଲା। କିନ୍ତୁ ଗଞ୍ଜେଇ ମାଫିଆଙ୍କୁ କାବୁ କରିବା ସମ୍ଭବପର ହୋଇନଥିଲା।

ସମ୍ବନ୍ଧିତ ଖବର