ପାଟଣାଗଡ଼ ଓ କୁଚିଣ୍ଡାରେ ଖୋଲିବ ନୂଆ ସରକାରୀ ଆଇଟିଆଇ

ଭୁବନେଶ୍ବର : ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ଼ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହାଦ୍ବାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୁଚିଣ୍ଡାରେ ନୂଆ ସରକାରୀ ଆଇଟିଆଇ ପ୍ରତିଷ୍ଠା ଦ୍ବାରା କୁଚିଣ୍ଡା ବାମରା ଓ ଜମନକିରା ବ୍ଲକର ଯୁବ ସମାଜ ଉପକାର ପାଇବେ। ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ଚାରିଟି ଟ୍ରେଡ୍‌ରେ ଏଠାରେ ୨୪୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯିବ। ସମ୍ବଲପୁର ଆଖପାଖରେ ଅନେକ ଶିଳ୍ପାନୁଷ୍ଠାନ ଗଢ଼ି ଉଠୁଥିବାରୁ ଏହା ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ସେହିପରି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଠାରେ ପ୍ରତିଷ୍ଠା ହେବାକୁ ଥିବା ଆଇଟିଆଇରେ ମଧ୍ୟ ୪ଟି ଟ୍ରେଡ୍‌ରେ ୨୪୦ଜଣ ପିଲା ଶିଳ୍ପ ତାଲିମ୍ ପାଇବେ। ବୃତ୍ତିଗତ ତାଲିମ ବ୍ୟବସ୍ଥା ଦ୍ବାରା ବ୍ଲକର ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ହେବା ସହ ନିଯୁକ୍ତି/ଆତ୍ମ ନିଯୁକ୍ତିର ସୁଯୋଗ ସୃଷ୍ଟିରେ ସହାୟକ ହେବ।

ସୂଚନାଯୋଗ୍ୟ ଯେ ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରୁ ୨୫୧ଟି ବ୍ଲକରେ ସରକାରୀ/ବେସରକାରୀ ଆଇଟିଆଇ ରହିଛି। ସେହିପରି ୫୮ଟି ସବ୍‌ଡିଭିଜନ ମଧ୍ୟରୁ ୪୮ଟିରେ ଆଇଟିଆଇ ରହିଛି। ପାଟଣାଗଡ଼ ଓ କୁଚିଣ୍ଡାରେ ଆଇଟିଆଇ ପ୍ରତିଷ୍ଠା ହେବା ପରେ ଏହି ସଂଖ୍ୟା ୫୦କୁ ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର