ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସୁସ୍ଥ ହୋଇ ଫେରିଛନ୍ତି। ବିଧାନସଭାର ବଜେଟ୍ ଅଧିବେଶନ ପରେପରେ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇଥିବା ଜୟନାରାୟଣ ମୌସୁମୀ ଅଧିବେଶନ ପୂର୍ବରୁ ଓଡ଼ିଶା ଫେରିଛନ୍ତି। ଓଡ଼ିଶାରେ ପହଞ୍ଚିବା ପରେ ଜୟନାରାୟଣ ପୁଣି ସରକାରଙ୍କ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି। ଆଗକୁ ଲଢ଼େଇ ଜୋରଦାର ହେବ, ଲିଜ୍ରେ ଚାଲିଥିବା ନବୀନ ପଟ୍ଟନାୟକ ସରକାର ଗାଦିଚ୍ୟୁତ ହେବ ବୋଲି କହିଛନ୍ତି।
ଗତ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନଙ୍କୁ ପ୍ରଶ୍ନ ବାଣରେ ଘନଘନ ଆକ୍ରମଣ କରିଥିବା ଜୟନାରାୟଣଙ୍କ କଡ଼ା ଆଭିମୁଖ୍ୟ ଏବେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ବିଜେପି ଗତ କିଛି ମାସ ହେଲା ପାଣ୍ଡିଆନଙ୍କ ଜିଲ୍ଲା ଭ୍ରମଣ ଓ ହେଲିକପ୍ଟର ବ୍ୟବହାରକୁ ନେଇ ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ ଜୟ ନାରାୟଣ କହିଛନ୍ତି ଯେ ନବୀନ ବାବୁ ପାଣ୍ଡିଆନଙ୍କୁ ଲିଜ୍ ଦେଇ ସରକାର ଚଲାଇଛନ୍ତି। ଏହି ଲିଜ୍ ସରକାରର ଅନ୍ତ ହେବ। ଏହି ଦୁଇ ଜଣ ରାଜ୍ୟରେ ବହୁ ଅନ୍ୟାୟ, ଅତ୍ୟାଚାର ଓ ବ୍ୟଭିଚାର କରିଛନ୍ତି। ଗୋଟେ ସାଧାରଣ ସରକାରୀ କର୍ମଚାରୀ ଯେମିତି ଓଡ଼ିଶାର ସର୍ବେସର୍ବା ହୋଇଛି, ଓଡ଼ିଶାର ମାଲିକ ହୋଇଛି ଏବଂ ନବୀନ ବାବୁ ତାଙ୍କୁ ସରକାର ଚଲାଇବାକୁ ଲିଜ୍ରେ ଦେଇଛନ୍ତି ତାହା ଏବେ ସବୁ ସୀମା ପାର କରିଛି। ନବୀନ ପଟ୍ଟନାୟକ ଗାଦିଚ୍ୟୁତ ହେବେ। ଏଥର ବିଜେପି ସରକାର ଆସିବ। ବିଜେପି ସରକାର ଓ କେନ୍ଦ୍ର ସରକାର ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଜେଲ୍ରେ ପୂରେଇବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଜୟନାରାୟଣ ସୁସ୍ଥ ହୋଇ ଫେରିବା ପରେ ଆଜି ଦଳର କୋର୍ କମିଟି ବୈଠକରେ ଯୋଗଦେଇଥିଲେ। ଏଥିରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳର ରଣନୀତି ପ୍ରସ୍ତୁତ ହୋଇଥିଲା। ଆସନ୍ତା ବିଧାନସଭା ଅଧିବେଶନରେ ବିଜେପି ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଆକ୍ରମଣ କରିବ ବୋଲି ଜୟନାରାୟଣ କହିଛନ୍ତି। ସୂଚନାଯୋଗ୍ୟ ଯେ କିଡ୍ନି ଜନିତ ରୋଗ ଯୋଗୁ ଜୟନାରାୟଣ କିଛି ମାସ ହେଲା ପ୍ରତ୍ୟକ୍ଷ ରାଜନୀତିରୁ ଦୂରରେ ଥିଲେ। ଏପରିକି ଝାରସୁଗୁଡ଼ା ଉପନିର୍ବାଚନରେ ବି ପ୍ରଚାର ମଇଦାନକୁ ଓହ୍ଲାଇ ନଥିଲେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଟାର୍ଗେଟ୍ କଲା ପରେ ତାହାର ଜବାବ ଦେଇଛି ବିଜେଡି। ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର ଟ୍ବିଟ୍ କରି କହିଛନ୍ତି, ଆମେ ଶୁଣୁଥିଲୁ ଜୟନାରାୟଣ ମିଶ୍ର ମାନସିକ ଚିକିତ୍ସା ପାଇଁ ଯାଇଛନ୍ତି। ଏବେ ଜଣାପଡ଼ୁଛି ଚିକିତ୍ସା ସମ୍ପୂର୍ଣ୍ଣ ହେବା ପୂର୍ବରୁ ସେ ପଳାଇ ଆସିଛନ୍ତି। ତେଣୁ ସେ ଜଲ୍ଦି ସୁସ୍ଥ ହୋଇଯା’ନ୍ତୁ ବୋଲି ଆମେ ପ୍ରାର୍ଥନା କରୁଛୁ। ଗଣମାଧ୍ୟମ ଓ ବିଜେପି ନେତା ତାଙ୍କ ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।