୫ ସହରର ଘରୋଇ ହସ୍ପିଟାଲ ପାଇଁ ସରକାରଙ୍କ ନୂଆ ନିୟମ : କରୋନା ରୋଗୀଙ୍କ ପାଇଁ ୫୦% ଶଯ୍ୟା, ୮୦% ଆଇସିୟୁ ସଂରକ୍ଷିତ ରହିବ

ଭୁବନେଶ୍ୱର : ରାଜ୍ୟର ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ସମ୍ପର୍କରେ ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ୩୦ ଓ ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲ ଏଣିକି ନିଜର ୫୦ ପ୍ରତିଶତ ଶଯ୍ୟା ଓ ୮୦ ପ୍ରତିଶତ ଆଇସିୟୁକୁ କୋଭିଡ୍‌ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଭୁବନେଶ୍ବର ସମେତ କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ମ୍ୟୁନିସିପାଲିଟିରେ ଏହି ନିୟମ ଲାଗୁ‌ ହେବ। ଏପରିକି ଆବଶ୍ୟକ ପଡ଼ିଲେ ସଂପୂର୍ଣ୍ଣ ହସ୍ପିଟାଲକୁ ମଧ୍ୟ କୋଭିଡ୍‌ ହସ୍ପିଟାଲରେ ପରିଣତ କରିବା ଲାଗି ନିଷ୍ପତ୍ତି ନିଆଯାଇପାରେ। ତେବେ ଘରୋଇ ହସ୍ପିଟାଲରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ପୂର୍ବରୁ ଧାର୍ଯ୍ୟ କରିଥିବା ଦର ଲାଗୁହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ପୂର୍ବରୁ ଘରୋଇ ହସ୍ପିଟାଲରେ ମାତ୍ର ୧୦ ପ୍ରତିଶତ ଶଯ୍ୟା କୋଭିଡ୍‌ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବା ଲାଗି ନିର୍ଦେଶ ଦିଆଯାଇଥିଲା।

ଗତମାସ ୨୮ ତାରିଖରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲରେ କୋଭିଡ୍‌ ଚିକିତ୍ସା ପାଇଁ ଦର ଧାର୍ଯ୍ୟ କରିଥିଲେ। ତଦନୁଯାୟୀ ସାଧାରଣ ଶଯ୍ୟା ପାଇଁ ଦୈନିକ ୨୯୫୦-୪୭୫୦, ଆଇସିୟୁ ୧୦-୧୭ହଜାର ଓ ଆଇସିୟୁ ସହିତ ଭେଣ୍ଟିଲେଟର ୧୨-୧୮ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ସାଧାରଣ ଶଯ୍ୟା ପାଇଁ ନ୍ୟାସନାଲ ଆକ୍ରିଡେସନ ବୋର୍ଡ ଫର ହସ୍ପିଟାଲ୍‌ସ ଆଣ୍ଡ ହେଲ୍‌ଥ କେୟାର ପ୍ରୋଭାଇଡର୍ସ (ଏନ୍‌ଏବିଏଚ୍‌) ଅଣ-ସ୍ବୀକୃତିପ୍ରାପ୍ତ ହସ୍ପିଟାଲରେ ୧୨ଶହ ଟଙ୍କା ଥିବା ବେଳେ ଏନ୍‌ଏବିଏଚ୍ ପାଇଁ ୩ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ମାତ୍ର ଉଭୟ ହସ୍ପିଟାଲ ପାଇଁ ଅନ୍ୟାନ୍ୟ ଖର୍ଚ ଦୈନିକ ୧୭୫୦ ଟଙ୍କା ସ୍ଥିର ହୋଇଛି। ଅନ୍ୟାନ୍ୟ ଖର୍ଚ ଭିତରେ ଲଣ୍ଡ୍ରି, ସାନିଟାଇଜର, ଖାଦ୍ୟ, ଔଷଧ, ପିପିଇ, ନମୁନା ପରୀକ୍ଷା ଓ ଅନ୍ୟାନ୍ୟ ଦର ସାମିଲ ରହିଛି। ସେହିପରି ଆଇସିୟୁ ଦର ଅଣ-ଏନ୍‌ଏବିଏଚ୍ ପାଇଁ ଶଯ୍ୟା ୨ହଜାର ଓ ଏନ୍‌ଏବିଏଚ୍‌ ପାଇଁ ୫ହଜାର ଧାର୍ଯ୍ୟ ଥିବା ବେ‌ଳେ ଅଣ ଏନ୍‌ଏବିଏଚ୍‌ ପାଇଁ ଅନ୍ୟାନ୍ୟ ଖର୍ଚ ୮ହଜାର ଓ ଏନ୍‌ଏବିଏଚ୍‌ ପାଇଁ ୧୨ହଜାର ଟଙ୍କା ସ୍ଥିର ହୋଇଛି। ଏହାସହ ଆଇସିୟୁ ସହିତ ଭେଣ୍ଟିଲେଟର ଦର ଅଣ-ଏନ୍‌ଏବିଏଚ୍‌ ଓ ଏନ୍‌ଏବିଏଚ୍‌ ପାଇଁ ୨-୫ହଜାର ଥିଲେ ହେଁ, ଅନ୍ୟାନ୍ୟ ଖର୍ଚ ଅଣ-ଏନ୍‌ଏବିଏଚ୍ ପାଇଁ ୧୦ହଜାର ଓ ଏନ୍‌ଏବିଏଚ୍‌ ପାଇଁ ୧୩ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।

ଅପରପକ୍ଷରେ ସଂକ୍ରମଣ ଚିକିତ୍ସା ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ଜରୁରୀକାଳୀନ ଚିକିତ୍ସାର ଆବଶ୍ୟକତା ପଡ଼େ ତା’ହେଲେ ସଂପୃକ୍ତ ରୋଗୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରୁ ଚିକିତ୍ସା କରାଯିବ। ସେହିପରି ହସ୍ପିଟାଲରେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ନମୁନା ଦର ଅନୁଯାୟୀ ରୋଗୀଙ୍କଠାରୁ ଅର୍ଥ ସଂଗ୍ରହ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶନାମାରେ କୁହାଯାଇଥିଲା।

ସମ୍ବନ୍ଧିତ ଖବର