ଭୁବନେଶ୍ବର/ପୁରୀ: ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି ଆଜି ଓଡ଼ିଶାରେ ପହଞ୍ଚିଛନ୍ତି। ଆଜି ଭୁବନଶ୍ବେର ବିମାନବନ୍ଦରରେ ପହଞ୍ଚିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ତାଙ୍କୁ ସ୍ବାଗତ କରିଥିଲେ। ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୧୫ରେ ସେ ଶପଥ ଗ୍ରହଣ କରିବେ। ରାଜଭବନର ନୂଆ ଅଭିଷେକ ହଲ୍ରେ ଏଥି ପାଇଁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି।
ଆଜି ସନ୍ଧ୍ୟାରେ ଶ୍ରୀ କମ୍ଭମପତି ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ମା’ ବିମଳା, ମହାଲକ୍ଷ୍ମୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ପ୍ରାୟ ୪୫ ମିନିଟ୍ ଧରି ଶ୍ରୀମନ୍ଦିର ଭିତରେ ସେ ରହିଥିଲେ ଓ ମହାପ୍ରସାଦ ସେବନ କରି ଫେରିଥିଲେ। ସିଂହଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ଲାଗିଖଣ୍ଡୁଆ ଦେଇ ସ୍ବାଗତ କରାଯାଇଥିଲା। ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ସୋମନାଥ ଖୁଣ୍ଟିଆ ଓ ଅନ୍ୟମାନେ ଲାଗିଖଣ୍ଡୁଆ ପ୍ରଦାନ ପୂର୍ବକ ସ୍ବାଗତ ଜଣାଇଥିଲେ। ଦର୍ଶନ ସାରି ଫେରିବା ପରେ ଜୟ ଜଗନ୍ନାଥ କହି ଭାବବିହ୍ୱଳ ହୋଇ ପଡ଼ିଥିଲେ ନୂଆ ରାଜ୍ୟପାଳ। ଆସନ୍ତାକାଲି ଶପଥ ନେବା ପରେ ରାଜ୍ୟବାସୀଙ୍କ ପାଇଁ କ’ଣ ସବୁ କରାଯିବ ସେ ନେଇ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି। ସେବାୟତ ଶ୍ରୀ ଖୁଣ୍ଟିଆ କହିଛନ୍ତି, ପୂର୍ବରୁ ୨୦୧୫ ମସିହାରେ ନୂଆ ରାଜ୍ୟପାଳ ଶ୍ରୀମନ୍ଦିର ଗସ୍ତରେ ଆସିଥିଲେ। ସେତେବେଳେ ସେ ଗର୍ଭଗୃହ ଦର୍ଶନ କରିଥିଲେ। ଏବେ କାହିଁକି ଗର୍ଭଗୃହ ଦର୍ଶନ ହେଉନାହିଁ, ସଂପର୍କରେ ସେବାୟତଙ୍କଠାରୁ ପଚାରି ବୁଝିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/02/ZCRFUivOFy5OYCgShcnb.jpg)