ଭୁବନେଶ୍ବର: ଶ୍ରୀଜୀଉଙ୍କୁ ଦର୍ଶନ କଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ମହାପ୍ରଭୁଙ୍କ ଦର୍ଶନ କରିବା ସହ ସେଠାରେ ଉପସ୍ଥିତ ଥିବା ଭକ୍ତମାନଙ୍କୁ ସେ ଅଭବାଦନ ଜଣାଇଛନ୍ତି। ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ସହିତ ତାଙ୍କ ପତ୍ନୀ ବି ଜଗନ୍ନାଥ ମନ୍ଦିରକୁ ଯାଇ ଶ୍ରୀଜୀଉ ଓ ଅନ୍ୟ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିଛନ୍ତି। ଏହାପରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମକୁ କହିଛନ୍ତି, ଓଡ଼ିଶାର ଦାୟିତ୍ବ ନେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲି। ଗରିବ, ନିଷ୍ପେଷିତଙ୍କ ସେବା ପାଇଁ ମୋତେ ମହାପ୍ରଭୁ ଏଠାକୁ ଆଣିଛନ୍ତି। ମୋ ପାଇଁ ଓଡ଼ିଶାର ବିକାଶ ସର୍ବାଗ୍ରେ ରହିବ। ସମ୍ବିଧାିନର ନିୟମ ଅନୁଯାୟୀ କାର୍ଯ୍ୟ କରିବି।ରାଜ୍ୟପାଳଙ୍କ ରାଜଭବନର ଦ୍ବାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୂଳ ମନ୍ତ୍ର ଦେଶ ସହ ରାଜ୍ୟକୁ ଆଗକୁ ନେବା ଲାଗି ପ୍ରୟାସ କରିବି। କେନ୍ଦ୍ର ସରକାରଙ୍କ ବିକାଶର ଯୋଜନା କିପରି ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ ସେନେଇ ଗୁରୁତ୍ୱ ରହିବ। ଓଡ଼ିଶାର ପ୍ରଗତି ଦେଶର ପ୍ରଗତି ତେଣୁ ଓଡ଼ିଶାରେ ଏକପାଖିଆ ନହୋଇ ସୁଶାସନ ହୋଇପାରିବ ସେଦିଗରେ ଧ୍ୟାନ ରହିବ। ଲୋକଙ୍କ ସମସ୍ୟା ଶୁଣିବା ପାଇଁ ୨୪ ଘଣ୍ଟା ରାଜଭବନର ଦ୍ୱାର ଖୋଲା ରହିବ ବୋଲି ଦମ୍ଭ‌ୋକ୍ତି କରିଛନ୍ତି ଶ୍ରୀ ଦାସ। ଓଡ଼ିଶାର ଗରିବୀ ହଟେଇବା ମୁଖ୍ୟ ଲକ୍ଷ୍ୟ ରହିବ। ସେପଟେ ବିଶାଖପାଟଣା ମୃତାହାତଙ୍କ ପାଇଁ ଦୁଃଖପ୍ରକାଶ କରିବା ସହ ସେମାନଙ୍କ ପରିବାର ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିବା କଥା ସେ କହିଛନ୍ତି । ସେଇଭଳି ଧର୍ମ ପରମ୍ପରା ବଞ୍ଚି ରହିବା ଦ୍ୱାରା ଭାରତ ଖୁବଶୀଘ୍ର ବିଶ୍ୱଗୁରୁ ହୋଇପାରିବ ସେ କହିଛନ୍ତି ।ସେପଟେ ସେବାୟତଙ୍କ ସାଙ୍ଗରେ ଶ୍ରୀମନ୍ଦିର ଶୃଙ୍ଖଳା ଓ ଭକ୍ତଙ୍କ ସୁରୁଖୁରୁ ଦର୍ଶନ ଉପରେ ଆଲୋଚନା କରିଛନ୍ତି । ଅନ୍ୟପଟରେ ସିଂହଦ୍ୱାରରେ ଜଗାଦର୍ଶନ ପାଇଁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କୁ ହାତ ହଲେଇ ଅଭିବାଦନ ଦେବା ସହ ଜୟ ଜଗନ୍ନାଥ କହି ଅଭିବାଦନ ଦେଇଥିଲେ।

Advertisment

publive-image

ଏହା ତାଙ୍କର ତୃତୀୟ ଶ୍ରୀମନ୍ଦିର ଗସ୍ତ ବୋଲି କହିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ ତୃଣମୂଳ ସ୍ତରରୁ ଆସିଛନ୍ତି ତେଣୁ ସବୁର ଉର୍ଦ୍ଧ୍ୱର୍ରେ ରହି ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ରାଜ୍ୟ ପାଇଁ କାମ ନିଶ୍ଚୟ କରିବେ ବୋଲି କହିଛନ୍ତି ଶ୍ରୀ ସାମଲ। ରାଜନୀତିରୁ ଓହରିଥିଲେ ମଧ୍ୟ ସେ ଯେହେତୁ ଲୋକଙ୍କ ସେବା କରି ଆସିଛନ୍ତି, ତେଣୁ ଏବେ ମଧ୍ୟ ସେବା କରିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ମନମୋହନ ସାମଲ ।

ପ୍ରାୟ ୧୧ ଟା ସମୟରେ ଶ୍ରୀମନ୍ଦିର। ସିଂହଦ୍ୱାରରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ ସ୍ୱାଗତ କରିଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ଗତ ଥରର ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

publive-image

ଉଲ୍ଲେଖଯୋଗ୍ୟ, ପୁରୁଷୋତ୍ତମ ଏକ୍ସପ୍ରେସରେ ଆସି ଭୋରରେ ପୁରୀରେ ପହଞ୍ଚିଥିଲେ। ଆସନ୍ତା ୩୧ ତାରିଖରେ (ମଙ୍ଗଳବାର) ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ସେଠାରୁ ପୁଣି ପୁରୀ ରାଜଭବନ ଅଭିମୁଖେ ଯାଇଥିଲେ। ସେଠାରୁ ୧୨ଟା ୧୫ରେ ଭୁବନେଶ୍ବରସ୍ଥିତ ରାଜଭବନ ଅଭିମୁଖେ ବାହାରିଛନ୍ତି। ଏଠାରେ ସୋମବାର ରାତ୍ରିଯାପନ କରିବେ। ମଙ୍ଗଳବାର ସକାଳ ୮ଟା ୪୫ରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯିବେ। ସେଠାରେ ବି ପ୍ରାୟ ୧ଘଣ୍ଟା କାଳ ପୂଜାର୍ଚ୍ଚନା କରିବା ପରେ ରାଜଭବନ ଅଭିମୁଖେ ଫେରିବେ। ଏହାପରେ ପୂର୍ବାହ୍ନ ୧୧ଟା ୪୫ରେ ରାଜଭବନର ନୂଆ ହଲରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ।