ସମ୍ବଲପୁର: ନୂଆଁଖାଇ ଅବ୍ୟବହିତ ପୂର୍ବରୁ ଆଜି ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ପୀଠରେ ପହଂଚିଛି ନୂଆ ଧାନ। ମା ସମଲେଶ୍ବରୀଙ୍କ ଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ଧାନ ବଲବସପୁର ଅଂଚଳର ଚାଷୀ ସୁବାସ ବେହେରା ନିଜ ପରିବାର ସଦସ୍ୟଙ୍କ ସହିତ ମନ୍ଦିରରେ ପହଂଚି ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କୁ ପ୍ରଦାନ କରିଛନ୍ତି। ଏହି ନୂଆ ଧାନକୁ ଗଣେଶ ପୂଜା ଦିନ ପୂଜକଙ୍କ ପରିବାର ଯତ୍ନ ସହକାରେ ସଫା କରିବା ସହ ପରେ କେଣ୍ଡାରୁ ଧାନ ଅଲଗା କରିବେ। ଆଉ ଏହାକୁ ଭାଜି ଚାଉଳ ବାହାର କରିବେ। ପରେ ଗୁଡ଼ ଓ ଘିଅ ଦେଇ ନବାନ୍ନ ପ୍ରସ୍ତୁତ ହେବ। ଏହି ଧାନ ୬୦ ଦିନରେ ଉତ୍ପାଦିତ ହୋଇଥାଏ। ଦୀର୍ଘ ୬ ବର୍ଷ ହେଲା ସୁବାସଙ୍କ ପରିବାର ଏହି ଧାନ ଯୋଗାଇ ଆସୁଛନ୍ତି। ଏହି ଧାନ ଚାଷ ପାଇଁ ସୁବାସଙ୍କ ପରିବାର ବେଶ୍ ଉତ୍ସାହର ସହିତ ଲାଗି ପଡ଼ିଥାନ୍ତି।

Advertisment

ଉଲ୍ଲେଖଯୋଗ୍ୟ ଯେ, ସମଲେଇ ପ୍ରକଳ୍ପ ନିମନ୍ତେ ସରକାରଙ୍କ ପକ୍ଷରୁ ମନ୍ଦିର ପରିସରରେ ଥିବା ପୂଜକଙ୍କ ଘରଗୁଡ଼ିକୁ ଭାଂଗି ଦିଆଯାଇଛି। ସରକାରଙ୍କ ଦ୍ବାରା ପ୍ରଦତ୍ତ ଅର୍ଥରାଶିରେ ପୂଜକମାନେ ଏବେ ଘର ତିଆରି କରୁଥିବା ବେଳେ ସେମାନେ ଏବେ ଭଡ଼ାଘରେ ରହୁଛନ୍ତି। ଭଡ଼ାଘରୁ ନବାନ୍ନ ଭୋଗ ଆସିବା ବିଧି ନଥିବାରୁ ମୁଖ୍ୟ ପୂଜକ ଅମ୍ବିକା ପ୍ରସାୟ ରାୟ ଯୁଦ୍ଧକାଳୀନ ଭିତ୍ତିରେ ତାଙ୍କ ଘର ନିର୍ମାଣ କାମ ସାରିଛନ୍ତି। ଏଥର ଅମ୍ବିକାଙ୍କ ନୂଆଘରୁ ପ୍ରଥମ ଥର ପାଇଁ ନୂଆଁଖାଇରେ ନବାନ୍ନ ଭୋଗ ପ୍ରସ୍ତୁତ ହୋଇଆସିବ ବୋଲି ଜଣାପଡ଼ିଛି।