କରୋନା କଟକଣା ଭିତରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡିକୁ ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜିଠାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କରୋନା କଟକଣା ଭିତରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ଆୟୋଜିତ ହୋଇପାରିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଏନେଇ ନୂତନ ଗାଇଡଲାଇନ୍ ଜାରି କରାଯାଇଛି। ଏସବୁ ଲାଗି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ପୌର କମିସନରଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଖୋଲା ଜାଗାରେ ୨ ହଜାର ଲୋକଙ୍କୁ ନେଇ  ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ଆୟୋଜିତ ହୋଇପାରିବ।

ଏହିସମୟରେ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ଅନଲାଇନ୍ ବା ଅଧିକସଂଖ୍ୟକ କାଉଣ୍ଟରରେ ଟିକେଟ୍ ବୁକିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଚାଲିପାରିବ ବୋଲି କୁହାଯାଇଛି। ହଲ୍ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଗଲେ ସେଠାରେ ମଧ୍ୟ କରୋନା କଟକଣା ମାନିବାକୁ ପଡ଼ିବ। ଆବଶ୍ୟକସ୍ଥଳେ ସ୍ଥାନୀୟ ପ୍ରଶାସନ ଦର୍ଶକଙ୍କ ସଂଖ୍ୟାରେ ପରିବର୍ତ୍ତନ କରିପାରିବେ ବୋଲି ଏହି ନୂଆ ମାର୍ଗଦର୍ଶିକାରେ କୁହାଯାଇଛି।

ଏହି ନୂଆ ମାର୍ଗଦର୍ଶିକାରେ ଆହୁରି ବି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ ଯେଉଁମାନେ ଡବଲ୍ ଡୋଜ୍ କୋଭିଡ୍ ଟିକା ନେଇଥିବେ ବା ୭୨ ଘଣ୍ଟା ପୂର୍ବରୁ ଆଣ୍ଟିଜେନ୍ ବା ଆରଟିପିସିଆର୍ ଟେଷ୍ଟ କରାଇଥିବେ କେବଳ ସେହିମାନଙ୍କୁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମମାନଙ୍କରେ ଯୋଗ ଦେବା ଲାଗି ଅନୁମତି ମିଳିବ। ତେବେ ଏଥିରେ ୬୫ ବର୍ଷରୁ ଅଧିକ ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କୁ ଯୋଗ ଦେବା ଲାଗି ବାରଣ କରାଯାଇଛି। ମେଲୋଡି, ଯାତ୍ରା ଆଦି କାର୍ଯ୍ୟକ୍ରମରେ ଗୁଟୁଖା ଖାଇବାକୁ ମଧ୍ୟ ମନା କରାଯାଇଛି।

ସୂଚନାଯୋଗ୍ୟ ଯେ, କୋଭିଡ୍ କାରଣରୁ ଦୀର୍ଘ ଦିନ ହେଲା ରାଜ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇ ରହିଥିଲା । ଏହି କାରଣରୁ ଯାତ୍ରା କଳାକାର ମଧ୍ୟ ରାସ୍ତାକୁ ଓହ୍ଲାଇଥିଲେ। ସରକାର କଳାକାରଙ୍କ ଦୁଃଖ ବୁଝିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦେବାକୁ ସେମାନେ ଦାବି କରିଥିଲେ। ଏହାପରେ ରାଜ୍ୟ ସରକାର ଯାତ୍ରା, ଅପେରା, ମେଲୋଡି ଆଦି କାର୍ଯ୍ୟକ୍ରମକୁ ଅନୁମତି ଦେଇଛନ୍ତି ।

ସମ୍ବନ୍ଧିତ ଖବର