ଯେ କୌଣସି ଡୋଜ୍‌ ନେବାର ୧୪ ଦିନ ପରେ କରିପାରିବେ ରକ୍ତଦାନ

ରକ୍ତଦାନ ଓ ଟିକାକରଣକୁ ନେଇ ଆସିଲା ନୂଆ ଗାଇଡଲାଇନ୍‌

କଟକ : ସା‌ର୍ବଜନୀନ ଟିକାକରଣ ଏବଂ ରକ୍ତଦାନକୁ ନେଇ ଜାରି ହୋଇଛି ନୂଆ ଗାଇଡ୍‌ଲାଇନ୍‌। ଏହି ନୂଆ ନିୟମ ଦ୍ବାରା ସମଗ୍ର ଦେଶରେ ରକ୍ତଦାନ ଅଭିଯାନ ଆଉ ବିଶେଷ ପ୍ରଭାବିତ ଆଶଙ୍କା ଦୂର ହୋଇଛି। ପୂର୍ବରୁ ଯେଉଁ ଆଶଙ୍କାରେ ଟିକାକରଣ ଓ ରକ୍ତଦାନକୁ ନେଇ ନିୟମାବଳୀ ଜାରି କରାଯାଇଥିଲା, ବିଶେଷଜ୍ଞମାନଙ୍କ ସମୀକ୍ଷା ପରେ ସେଥିରେ ପରିବର୍ତ୍ତନ କରାଯାଇଛି। ଏଣିକି କରୋନା ‌ଟିକାର ଯେ କୌଣସି ଡୋଜ୍ ନେଇଥିବା ବ୍ୟକ୍ତି ୧୪ ଦିନ ପରେ ରକ୍ତଦାନ କରିପାରିବେ।

ଏ ସଂପର୍କରେ ଏସ୍‌ସିବି ଟ୍ରାନ୍ସଫ୍ୟୁଜନ୍‌ ମେଡିସିନ୍‌ ବିଭାଗ ମୁଖ୍ୟ ତଥା ଏସ୍‌ସିବି ରକ୍ତଭଣ୍ଡାର ଅଧିକାରୀ ପ୍ରଫେସର ଡାକ୍ତର ପଙ୍କଜ ପରିଡ଼ା କହିଛନ୍ତି ଯେ ଆଇସିଏମ୍‌ଆର ପକ୍ଷରୁ ଏଭଳି ନୂଆ ଗାଇଡ୍‌ଲାଇନ୍‌ ଜାରି ପରେ ରକ୍ତଦାନ କ୍ଷେତ୍ରରେ ପୁଣି ନୂଆ ଉତ୍ସାହ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ପ୍ରଫେସର ପରିଡ଼ାଙ୍କ କହିବା ଅନୁଯାୟୀ ପୂର୍ବରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ ଜଣେ ପ୍ରଥମ ଡୋଜ୍ ଟିକା ଓ ୨ୟ ଡୋଜ୍‌ ଟିକା ନେବା ଭିତରେ ରକ୍ତଦାନ କରିବା ବାରଣ ଥିଲା। ଏମିତିକି ଦ୍ବିତୀୟ ଡୋଜ୍ ନେବାର ୨୮ ଦିନ ପରେ ଜଣେ ଯାଇ ରକ୍ତଦାନ କରି ପାରିବ ବୋଲି କୁହାଯାଇଥିଲା। ଏଭଳି ପ୍ରକ୍ରିୟାରେ ପ୍ରଥମ ଡୋଜ ନେବାର ପାଖାପାଖି ୨ରୁ ୩ ମାସ ପର୍ଯ୍ୟନ୍ତ ଜଣେ ରକ୍ତଦାତା ରକ୍ତଦାନ କରିବା ଉପରେ ଅଙ୍କୁଶ ଥିଲା। କିନ୍ତୁ ବିଶେଷଜ୍ଞ ମାନଙ୍କ ସମୀକ୍ଷା ପରେ ଏବେ ପ୍ରଥମ ଡୋଜ୍ ନେବାର ୧୪ ଦିନ ପରେ ଜଣେ ରକ୍ତଦାନ କରିପାରିବେ। ସେହିଭଳି ଦ୍ବିତୀୟ ଡୋଜ୍ ଯେଉଁମାନେ ନେଇଥିବେ ସେମାନେ ବି ଟିକା ନେବାର ୧୪ ଦିନ ପରେ ରକ୍ତଦାନ କରିପାରିବେ। ଏହା ଦ୍ବାରା ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନ ବିଶେଷ ପ୍ରଭାବିତ ହେବ ନାହିଁ ବୋଲି ଆଶା କରାଯାଉଛି।

ମେ ୧ ତାରିଖରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୧୮ ବର୍ଷରୁ ଅଧିକ ବର୍ଷର ଯୁବକଙ୍କ ଟିକାକରଣ କରାଯାଇଥିଲା। କିନ୍ତୁ ପୂରୁଣା ନିୟମ ଦ୍ବାରା ଯୁବବର୍ଗ ରକ୍ତଦାନକୁ ନେଇ ଚିନ୍ତାରେ ପଡିଥିଲେ। ଗୋଟିଏ ପଟେ ଦେଶରେ ରକ୍ତ ଅଭାବ ସମସ୍ୟା ରହିଥିବାବେଳେ କରୋନା ଏବଂ ଖରାଦିନେ ରକ୍ତର ଅଧିକ ଆବଶ୍ୟକତା ଅନୁଭବ ସ୍ଥିତି ସୃଷ୍ଟି ହୋଇଛି। ତେଣୁ ଏହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଇଥିବା ବେଳେ ଏଭଳି ନୂଆ ନିୟମ ଆଶା ସଂଚାର କରିଛି। କଟକ ହେଉଛି ରାଜ୍ୟର ସ୍ବାସ୍ଥ୍ୟ ରାଜଧାନୀ। କଟକ ବଡ଼ଡାକ୍ତରଖାନାଠାରୁ ଆରମ୍ଭ କରି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଶିଶୁଭବନ ସହ ଶତାଧିକ ଘରୋଇ ହସ୍ପିଟାଲ ରହିଛି କଟକରେ। ରକ୍ତ କର୍କଟ ରୋଗୀ ନିୟମିତ ରକ୍ତ ଆବଶ୍ୟକ କରନ୍ତି। ଅନେକ ସ୍ବେଚ୍ଛାସେବୀ ସଂଗଠନ ଏ ଦିଗରେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି। ଜଣେ ରକ୍ତଦାନ କଲେ ସେଥିରେ ୩ ଜଣଙ୍କ ଜୀବନ ବଂଚିବା ସହାୟକ ହୋଇଥାଏ। ତେଣୁ କୌଣସି ପ୍ରକାର ଦ୍ବନ୍ଦ୍ବ ଏବଂ ଆଶଙ୍କାରେ ନ ରହି ସ୍ବେଚ୍ଛାକୃତ ରକ୍ତଦାନ ଅଭି‌ଯାନରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି।

ସମ୍ବନ୍ଧିତ ଖବର