ଘରୋଇ ହସପିଟାଲ ପାଇଁ ସରକାରଙ୍କ ନୂଆ ନିୟମ, ସାଧାରଣ ଶଯ୍ୟାର ଅଧା ଓ ଆଇସିୟୁ ଶଯ୍ୟାର ୮୦% କରୋନା ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ ରହିବ

ଭୁବନେଶ୍ବର : ଘରୋଇ ହସପିଟାଲରେ ହେଉଥିବା କରୋନା ଚିକିତ୍ସା ବାବଦରେ ଓଡ଼ିଶା ସରକାର କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଭୁବନେଶ୍ବର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରେକଲାରେ ଥିବା ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲମାନେ ନିଜ ସାଧାରଣ ଶଯ୍ୟା ବା ଜେନେରାଲ ବେଡର ଅଧା ଓ ଆଇସିୟୁ ଶଯ୍ୟାର ୮୦ ପ୍ରତିଶତ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବା ବାଧ୍ୟତାମୂଳକ ହେବ । ଏହା ସହିତ ଜରୁରୀ ପରିସ୍ଥିତିରେ ସମଗ୍ର ହସପିଟାଲକୁ କୋଭିଡ ହସପିଟାଲରେ ପରିବର୍ତ୍ତନ କରିବାର ବିକଳ୍ପ ଖୋଲା ରହିବ ।

ଓଡିଶା ସରକାର ଗତ ଅଗଷ୍ଟ ୨୮ରେ ଏକ ବିଜ୍ଞପ୍ତି ଜାରି କରି ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲଗୁଡ଼ିକରେ କରୋନା ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହା ସହିତ ସରକାର ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ଲାଗି ଦର ଧାର୍ଯ୍ୟ କରିଥିଲେ । ସାଧାରଣ ଶଯ୍ୟା ପାଇଁ ଦୈନିକ ୨୯୫୦ରୁ ୪୭୫୦, ଆଇସିୟୁ ୧୦ରୁ ୧୭ ହଜାର ଓ ଆଇସିୟୁ ସହ ଭେଣ୍ଟିଲେଟର୍ ପାଇଁ ୧୨ରୁ ୧୮ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏହି ଦର ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲ ପାଇଁ ଲାଗୁ ହେଉଛି ।

ସମ୍ବନ୍ଧିତ ଖବର