ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ ଭଲ ନାହିଁ, ନୂତନ ଗୃହ ନିର୍ମାଣ ପାଇଁ ଦାବି

ବୈପାରିଗୁଡା: ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ ଭଲ ନାହିଁ। ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଆଜି ବିଜେଡିର ସକ୍ରିୟ ଯୁବ ବିଜେଡ଼ି ନେତା ବିଭୁପ୍ରସାଦ ପଣ୍ଡାଙ୍କ ନେତୃତ୍ଵରେ ବୈପାରିଗୁଡା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅଧିରାଜ ସାହୁ ଏବଂ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଗୃହରେ ରୋଗୀଙ୍କର କିପରି ଚିକିତ୍ସା ଚାଲିଛି, ତାହା ସହଜରେ ଅନୁମାନ କରାଯାଇପାରେ। ଏପରି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ଠାରେ। ଏଠାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ। ସ୍ବାସ୍ଥ୍ୟ କେନ୍ଦ୍ରର ଗୃହର ଅବସ୍ଥା ଅତି ଶୋଚନୀୟ। ବର୍ଷ ବର୍ଷ ଧରି ମରାମତି ନହେବା ଫଳରେ ସ୍ବାସ୍ଥ୍ୟ କେନ୍ଦ୍ରଟି ଜରାଜୀର୍ଣ୍ଣ ଅବସ୍ଥାରେ ପହଂଚି ସାରିଲାଣି।

ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ରାମଗିରି ପଞ୍ଚାୟତ ସମେତ ଦଣ୍ଡାବାଡି, ଗୁପ୍ତେଶ୍ୱର (ହଳଦିକୁଣ୍ଡ), ପେନ୍ଦାପଡା ପଞ୍ଚାୟତର ଗ୍ରାମବାସୀ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି। ଯେଉଁଠି ସ୍ବାସ୍ଥ୍ୟ କେନ୍ଦ୍ରର ଅବସ୍ଥା ଭଲ ନାହିଁ, ସେଠାରେ ରୋଗୀଙ୍କର କିପରି ଚିକିତ୍ସା କରାଯାଉଥିବ, ତାହା ସହଜରେ ଅନୁମେୟ। ଏହି ପାଞ୍ଚଟି ପଞ୍ଚାୟତ ସଂପୂର୍ଣ୍ଣ ଦୁର୍ଗମ ଅଞ୍ଚଳ ଏବଂ ଆଦିବାସୀ ଅଧ୍ୟୁଷିତ ହୋଇଥିବା ବେଳେ ରୋଗୀଙ୍କ ମୈଳିକ ଆବଶ୍ୟକତାର ଅଭାବ ଯୋଗୁଁ ଖର୍ଚ୍ଚାନ୍ତ ହୋଇ ବୈପାରିଗୁଡା କିମ୍ବା ଜୟପୁର ଯିବା ପାଇଁ ବାଧ୍ୟ ହୋଇଥାନ୍ତି। ସେହିପରି ସ୍ବାସ୍ଥ୍ୟ କେନ୍ଦ୍ରରେ ସୀମିତ ରୋଗୀ ଶଯ୍ୟା ରହିଥିବାରୁ ଅନେକ ସମୟରେ ଗୁରୁତର ଅବସ୍ଥା ଭୋଗୁଥିବା ରୋଗୀଙ୍କୁ ଶଯ୍ୟା ମିଳିନଥାଏ।

ଆଜି ଏହି ପାଞ୍ଚଟି ପଞ୍ଚାୟତର ଜନ ପ୍ରତିନିଧିଙ୍କ ସହ ବହୁ ଗ୍ରାମବାସୀ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଏବଂ ବୈପାରିଗୁଡା ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ପୃଥକ୍ ଭାବେ ଭେଟି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ନିର୍ମାଣ ସାଙ୍ଗକୁ ରୋଗୀ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ନେଇ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ଏବଂ ଜିଲ୍ଲା ବିଜେଡ଼ି ସଭାପତିଙ୍କୁ ଭେଟି ମନ୍ତ୍ରୀ ପ୍ରତିନିଧି ବିଶ୍ବଜିତ ନାୟକ ଜଣାଇଥିଲେ। ମନ୍ତ୍ରୀ ଏବଂ ଜିଲ୍ଲା ସଭାପତି ଅତି ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଦାବିପତ୍ର ପ୍ରଦାନ ବେଳେ ବ୍ଲକ ଆବାହକ ହେମନ୍ତ କୁମାର ମହାପାତ୍ର, ନବରଙ୍ଗପୁର ସାଂସଦ ପ୍ରତିନିଧି ସାଥିରାମ ନାୟକ,ପନ୍ଦ୍ମ ହନ୍ତାଳ, ମନ୍ତ୍ରୀ ପ୍ରତିନିଧି ବିଶ୍ବଜିତ ନାୟକ, ଜିଲ୍ଲା ପରିଷଦ ସଭ୍ୟ ରାଜେଶ୍ବର ମହୁରିଆ, ବିଜେଡ଼ି ବ୍ଲକ ସଭାପତି ରମେଶ ସ୍ୱାଇଁ, କୁନୁ ମହାପାତ୍ର,ସନସାଇ ହରିଜନ,ମଦନ ନାୟକ, ସନିଆ ଖରା,ମହୋନ ମାଛ, ଦିପୁ ପଣ୍ଡା, ବୈପାରିଗୁଡା ନାଏବ ସରପଞ୍ଚ ସୁଶାନ୍ତ ସାହୁ, ପ୍ରଦିପ ଗୈାଡ, ଧନ ଟାକ୍ରି, ଅଶୋକ ଦାସ, ସଦାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର