ଭୁବ‌ନେଶ୍ବର: ବିନା ବିରୋଧୀରେ ଆଜି ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବା ସହ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆଲୋଚନାର ଉତ୍ତର ରଖିବାବେଳେ କହିଛନ୍ତି, ବୋଧହୁଏ ଆମ ରାଜନୀତି ଇତିହାସରେ ଏହା ପ୍ରଥମ ଘଟଣା ଯେଉଁଠି ବିରୋଧୀ ଗୃହ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଲେନି। ଗୋଟିଏ ସରକାରର ଭାବମୂର୍ତ୍ତି, ବିକାଶର ଚିତ୍ର ଗୃହ ବିଭାଗର ଆଲୋଚନାରୁ ଜଣାପଡ଼ିଥାଏ। ବିରୋଧୀ ଦଳ ଭାବେ ସରକାରକୁ ସମାଲୋଚନା କରିବାର ଆଜି ଥିଲା ବଡ଼ ସୁଯୋଗ। ହେଲେ ଏହି ସୁଯୋଗ ଛାଡ଼ି ବିରୋଧୀ କୁଆଡ଼େ ଗଲେ? ଯେଉଁମାନେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି କହୁଥିଲେ ବୋଧହୁଏ ସେମାନେ ଗୃହ ବିଭାଗର ସଫଳ ପରିଚାଳନା ଦେଖି କ’ଣ ପଦକ୍ଷେପ ନେବେ ଜାଣି ନ ପାରି ଗୃହ ବାହାରକୁ ପଳାଇଛନ୍ତି। ସେଥିପାଇଁ ଗୃହ କମିଟି କଥା ଉଠାଉଛନ୍ତି। ଆଲୋଚନାବେଳେ ବିଜେଡି ନେତାମାନେ ବି କହିଛନ୍ତି ଯେ ଏମିତି କ’ଣ ଘଟିଛି ଯେ ଗୃହ କମିଟି ଗଠନ ହେବ? ଯଦି ବିରୋଧୀ ଦଳ ଆଲୋଚନାରେ ଭାଗ ନେଇଥାନ୍ତେ, ଆଇନଶୃଙ୍ଖଳା ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରାଯିବ, ଶାନ୍ତିପୂର୍ଣ୍ଣ ଓଡ଼ିଶା କିପରି ଆଗକୁ ବଢ଼ିବ ସେ ନେଇ ପ୍ରସ୍ତାବ ଦେଇଥାନ୍ତେ ତେବେ ଭଲ ହୋଇଥାନ୍ତା। ଏଇଠି କହିବାର ବଡ଼ ପ୍ଲାଟ୍‌ଫର୍ମ ଥିଲା। କିନ୍ତୁ ଦୁଇ ବିରୋଧୀ ଦଳ ଗୃହରେ ନାହାନ୍ତି।

Advertisment

ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ବି ବିରୋଧୀ ଦଳରେ ଥିବାବେଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ପ୍ରଶ୍ନ କରୁଥିଲୁ। ନବ ଦାସ ହତ୍ୟାକାଣ୍ଡ, ମାହାଙ୍ଗା ଡବଲ୍ ମର୍ଡର, ପରୀ, ସ୍ମିତାରାଣୀ, ମମତା ହତ୍ୟାକାଣ୍ଡ ଭଳି ଘଟଣାରେ ଆମେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ (ନବୀନ ପଟ୍ଟନାୟକ) ଉତ୍ତର ମାଗିଥିଲୁ। ସେତେବେଳେ ସେ ଦେଖା ଦେଇନଥିଲେ। ଆମେ ବି ଲଣ୍ଠନ ଧରି ଖୋଜିଥିଲୁ। ଏବେ ସେ ବିରୋଧୀ ଦଳର ନେତା ଅଛନ୍ତି। ଏବେ ମଧ୍ୟ ଖୋଜିଲେ ମିଳୁନାହାନ୍ତି। ଗତକାଲିର ଘଟଣାକୁ ନେଇ ଶ୍ରୀ ମାଝୀ କହିଛନ୍ତି, ଗୃହ ମୁଲତବୀ ପରେ ତ ସବୁ ବିଧାୟକ ଘରକୁ ପଳାଇଥିଲେ। କଂଗ୍ରେସ ବିଧାୟକଙ୍କୁ କିଏ ମାରିଲା? ସୁରକ୍ଷାକର୍ମୀ ବାଡ଼େଇଲେ ବୋଲି କହୁଛନ୍ତି। ବିଧାନସଭାର ସୁରକ୍ଷାକର୍ମୀମାନେ ଯେଉଁ ସ୍ତରର ସେମାନେ ଜଣେ ବିଧାୟକଙ୍କୁ ମାଡ଼ ମାରିପାରିବେ ବୋଲି ଆପଣ ବିଶ୍ବାସ କରିପାରୁଛନ୍ତି? କଂଗ୍ରେସ ବିଧାୟକମାନେ ଗୃହରେ ପଖାଳ, ମଟନ୍, ଚିକେନ୍ ଖାଇଲେ, ଭିଡିଓ କରି ଛାଡ଼ିଲେ। ତାଙ୍କୁ ପୁଣି କିଏ ବାଡ଼େଇଲା? କଂଗ୍ରେସ ବିଧାୟକମାନେ ଯେପରି ଲମ୍ବା ସମୟ ଧରି ଗୃହକୁ ଚଳାଇ ଦେଲେନି, ଏହା ଓଡ଼ିଶା ରାଜନୀତି କ୍ଷେତ୍ରରେ ନୂଆ ଘଟଣା। କଂଗ୍ରେସ ବିଧାୟକମାନେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇ ଗୃହରେ ଘଣ୍ଟ, ତୂରୀ ବଜାଉଛନ୍ତି। ହେଲେ ଯେତେବେଳେ ବିଲୁଆଘାଇ ନଦୀପଠାରେ ଘଟଣା ଘଟିଥିଲା, ନନ୍ଦନକାନନ ରୋଡ୍‌ରେ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଥିଲା ସେ‌ତେବେଳେ ଏ ତୂରୀ, ଘଣ୍ଟ କୁଆଡ଼େ ଥିଲା? ସେମାନେ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ। ଆମେ ତ ମନା କରିନୁ। କଂଗ୍ରେସ ସଭାପତି ନୂଆ କରି ଦାୟିତ୍ବ ନେଇଛନ୍ତି ତ, କଂଗ୍ରେସକୁ ପୁନର୍ଜୀବିତ କରିବାକୁ ସେ ଏହିଭଳି କିଛି କରିବାକୁ ଚାହୁଛନ୍ତି। 

ସେହିପରି ବିଜେଡି ସରକାରର ୨୪ ବର୍ଷକୁ ଟାର୍ଗେଟ୍‌ କରି କହିଥି‌ଲେ, ଏବେ ତ ସେହି ବ୍ୟବସ୍ଥା, ସେହି ପୁଲିସ କାର୍ଯ୍ୟ କରୁଛନ୍ତି। ସବୁ କେମିତି ଠିକ୍‌ଠାକ୍ ଅଛି? କାରଣ ପୂର୍ବରୁ ପୁଲିସ ଅପରାଧୀଙ୍କୁ ଗିରଫ କରିବାବେଳେ ତୃତୀୟ ମହଲାରୁ ଜଣେ ବାବୁଙ୍କଠାରୁ ଅନୁମତି ଆଣୁଥିଲା। ହେଲେ ଏବେ ପୁଲିସ ଅପରାଧୀଙ୍କ ଉପରେ ଆଗୁଆ କାର୍ଯ୍ୟାନୁଷ୍ଠାନ ନେଉଛି। ଅପରାଧୀଙ୍କୁ ଗୋଟିଏ ବାର୍ତ୍ତା-ଓଡ଼ିଶାରେ ଅପରାଧୀଙ୍କ ପାଇଁ ଗୋଟିଏ ସ୍ଥାନ, ତାହା ହେଉଛି ଜେଲ୍‌। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଅଛି। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବ ବୃଦ୍ଧି ପାଇଛି। ସମୟୋପଯୋଗୀ ଗୁଇନ୍ଦା ତଥ୍ୟ, ପୁଲିସର ଆଗୁଆ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଫଳରେ କୌଣସି ଗୁରୁତ୍ବପୂର୍ଣ୍ଣ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ। ଏହା ସହ ଶ୍ବେତପତ୍ରରେ କିପରି ଓଡ଼ିଶାରେ ଅପରାଧ ହାର କମିଛି, ସେ ନେଇ ସୂଚନା ଦେଇଥିଲେ।

ଏହାସହ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରୁ ଗଞ୍ଜେଇ ଚାଷର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ହେବ। ଏଥିପାଇଁ ପୁଲିସ ସ୍ବତନ୍ତ୍ର ଅଭିଯାନ ଜାରି ରଖିଛି। ଚଳିତବର୍ଷ ମାର୍ଚ୍ଚ ୧୯ ସୁଦ୍ଧା ୨୭୭୨୧ ଏକର ଗଞ୍ଜେଇ ଚାଷକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି। ପୂର୍ବ ସରକାରଙ୍କ ପୃଷ୍ଠପୋଷକତାରେ ବାଲି, ମୋରମ ଚୋରାଚାଲାଣ ଚାଲିଥିଲା। ହେଲେ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାର୍ଚ୍ଚ ୭ରୁ ୨୨ ମଧ୍ୟରେ ସାରା ରାଜ୍ୟରେ ବାଲି ମାଫିଆଙ୍କ ବିରୋଧରେ  ୧୨୫୨ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୫୦୦ଟି ବାଲି ବୋଝେଇ ଟ୍ରକ, ଟ୍ରାକ୍ଟର, ଟିପ୍ପର ଓ ହାଇୱା ଜବତ କରାଯାଇଛି। ଏହାସହ ୬୯୧ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ୮୧୯ ଜଣଙ୍କୁ ନୋଟିସ୍‌ ଦିଆଯାଇଛି। ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ଏବଂ ଅପରାଧ ନିୟନ୍ତ୍ରଣ କରିବା ହେଉଛି ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ସାମୂହିକ ପ୍ରୟାସ, ଜ୍ଞାନକୌଶଳ ଏବଂ ଦୂରଦୃଷ୍ଟି ଦ୍ବାରା ରାଜ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ।

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଦୁର୍ନୀତି ହେଉଛି ସମାଜ ପାଇଁ ଏକ କ୍ୟାନ୍‌ସର। ଏହା ଏକପ୍ରକାର ଉଇ ପରି, ଘର ମୂଳଦୁଆକୁ ଖାଇ ଖାଇ ଫମ୍ପା କରିଦିଏ। ଓଡ଼ିଶା ପରି ଏକ ବିକାଶଶୀଳ ରାଜ୍ୟକୁ ବିକଶିତ ରାଜ୍ୟ କରିବା ପାଇଁ ଏହି କ୍ୟାନ୍‌ସରର ସମୂଳେ ଉତ୍ପାଟନ କରିବା ଆବଶ୍ୟକ। ତେଣୁ ଆମ ସରକାର ପ୍ରଥମ ଦିନରୁ ହିଁ ଦୁର୍ନୀତି ବିରୋଧରେ ଯୁଦ୍ଧ ଘୋଷଣା କରିଛି। ଗତ ପ୍ରାୟ ଅଢେଇ ଦଶନ୍ଧିରେ ଦୁର୍ନୀତିର ଛାତ୍ରଛାୟା ତଳେ ପରିସ୍ଫୁଟ ହେଉଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଗତ ୯ମାସ ମଧ୍ୟରେ ଭୂକମ୍ପନ ସୃଷ୍ଟି ହୋଇଛି। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳ ନୀତି କେବଳ କଥାରେ ନୁହେଁ, କାର୍ଯ୍ୟରେ କରି ଦେଖାଉଛୁ। ଜୁନ୍ ୨୦୨୪ରୁ ଅଦ୍ୟାବଧି ମୋଟ୍ ୩୧୨ ଜଣଙ୍କ ବିରୋଧରେ ୧୭୩ଟି  ମାମଲା ରୁଜୁ କରାଯାଇଛି। ୧୫୬ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ମକଦ୍ଦମାରେ ଗିରଫ କରାଯାଇଛି। ଏହି ସମୟ ମଧ୍ୟରେ ୨୯୭ଟି ମାମଲା ତଦନ୍ତ ଶେଷ କରାଯାଇଛି। ଏହାପରେ ବେଆଇନ ଭାବେ ସୁନା ବିସ୍କୁଟ, ପ୍ଲଟ୍, ଫ୍ଲାଟ୍ କରିଥିବା ଲୋକ ଏବେ ଭୟାତୁର। ଆମ ଉଦ୍ଦେଶ୍ୟ ଦୁର୍ନୀତିଗ୍ରସ୍ତଙ୍କ ମନରେ ଭୟ ସୃଷ୍ଟି କରିବା। କାରଣ ‘ୟେ ଡର୍‌ ଆଚ୍ଛା ହୈ ’। ଶାସକ ଦଳ ପକ୍ଷରୁ ଇରାଶିଷ ଆଚାର୍ଯ୍ୟ, ରଘୁନାଥ ଜଗଦଲା, ଦୁଷ୍ମନ୍ତ ସ୍ବାଇଁ, ପ୍ରଦ୍ୟୁମ୍ନ କୁମାର ନାୟକ, ଗୌରୀଶଙ୍କର ମାଝୀ, ମନୋରଞ୍ଜନ ଦ୍ୟାନସାମନ୍ତରାୟ, ସନ୍ତୋଷ ଖଟୁଆ, ପ୍ରକାଶ ସେଠୀ ପ୍ରମୁଖ ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ସରକାରଙ୍କ ସଫଳତା ଓ ବିଭିନ୍ନ ଯୋଜନା ବିଷୟରେ କହିଥିଲେ।