ଭୁବନେଶ୍ବର : ରାଜ୍ୟ ସରକାର ନୂଆ ଶିଳ୍ପ ନୀତି ଓ ପର୍ଯ୍ୟଟନ ନୀତି ଆଣିବାକୁ ଯାଉଛନ୍ତି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ଦୁଇଟି ନୂଆ ନୀତିରେ ମୋହର ବାଜିଛି। ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣକୁ ଆହୁରି ସୁସଂଗଠିତ କରିବା ସହ ପର୍ଯ୍ୟଟନର ସମ୍ଭାବନାକୁ ସଦୁପଯୋଗ କରିବା ପାଇଁ ଏହି ଦୁଇ ନୀତିରେ ବ୍ୟବସ୍ଥା ରହିଛି। ଆସନ୍ତାକାଲି ଠାରୁ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ଆରମ୍ଭ ହେଉଥିବା‌ ବେଳେ ଏହି ଦୁଇ ନୀତି ବେଶ୍‌ ଗୁରୁତ୍ବ ବହନ କରୁଛି। ଏହା ବାଦ୍ ଆଜି କ୍ୟାବିନେଟ୍‌ରେ ୧୫ରୁ ଅଧିକ ପ୍ରସ୍ତାବ ପାରିତ ହୋଇଛି। ଏବେ ବିଧାନସଭା ଅଧିବେଶନ ଚାଲିଥିବାରୁ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇ ନାହିଁ। ଆସନ୍ତାକାଲି ବିଧାନସଭା ଗୃହରେ ବିଧିବଦ୍ଧ ଭାବେ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।