ସ୍ଥାନ ଚିହ୍ନଟରେ ଅଟକିଗଲା ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର

ଭୁବନେଶ୍ୱର : ଖୋର୍ଦ୍ଧା ନିକଟସ୍ଥ ଅରାଙ୍ଗ, ନିଆଳ, ଟାଙ୍ଗିଆପଡ଼ାରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସବୁଜ ସଂକେତ ଦେଇଛି। ଏହି ବିମାନବନ୍ଦର ନିର୍ମାଣରେ ଥିବା ସମସ୍ୟାର ସମାଧାନ କରିବା ସହ ଜମି ଅଧିଗ୍ରହଣ କରିବାକୁ ମନ୍ତ୍ରଣାଳୟ ଗତ ମେ ମାସରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲାଣି। ହେଲେ ରାଜ୍ୟ ସରକାର ଏଥିପ୍ରତି ଆଗ୍ରହ ଦେଖାଉନାହାନ୍ତି। ଫଳରେ ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇପାରିନି।

ଭବିଷ୍ୟତରେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ହେବା ପରେ ଖୋର୍ଧା ଜିଲ୍ଲାପାଳଙ୍କୁ ଜମି ନିରୂପଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଖୋର୍ଧା ଜିଲ୍ଲାପାଳଙ୍କ ସୁପାରିସ ଅନୁଯାୟୀ ରାଜ୍ୟ ସରକାର ତିନିଟିି ସ୍ଥାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପଠାଇଥିଲେ। ଏହାପରେ ବିଶେଷଜ୍ଞ କମିଟି ଏହାକୁ ଯାଞ୍ଚ କରି ରାଜ୍ୟ ସରକାରଙ୍କ ଦ୍ୱିତୀୟ ପସନ୍ଦ ସ୍ଥାନକୁ ବାଛିଥିଲେ। ଏଥିରେ ଅରାଙ୍ଗ, ନିଆଳ, ଟାଙ୍ଗିଆପଡ଼ାରେ ଥିବା ମୋଟ୍‌ ୧୪୯୮.୮୩୨ଏକର ଜମିରେ ବିମାନବନ୍ଦର ହେବ ବୋଲି ନିଷ୍ପତ୍ତି ହୋଇଛି। ଏଠାରେ ବିମାନବନ୍ଦର ନିର୍ମାଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଗତ ତିନି ମାସ ହେଲା କୁହାଯାଇଥିଲେ ହେଁ ଜିଲ୍ଲା ପ୍ରଶାସନ ଏ ଦିଗରେ କିଛି ବି ପଦକ୍ଷେପ ନନେବା ସମସ୍ତଙ୍କୁ ଚକିତ କରିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ବିମାନବନ୍ଦର ହେଲେ ଦୁଇଟି ସମାନ୍ତରାଳ ରନେଓ୍ଵ ନିର୍ମାଣ ହେବ। ଏ କ୍ଷେତ୍ରରେ ଦୁଇଟି ପାହାଡ଼ ବାଧକ ସାଜୁଛି। ରନେଓ୍ଵର ଉତ୍ତର ପାର୍ଶ୍ୱରେ ଥିବା ପାହାଡ଼ର ୩୦୦ରୁ ୩୫୦ଫୁଟ ଏବଂ ଦକ୍ଷିଣ ପାର୍ଶ୍ୱରେ ଥିବା ପାହାଡ଼ର ୪୦୦ରୁ ୪୫୦ଫୁଟ ପାହାଡ଼ କାଟିବାକୁ କୁହାଯାଇଛି। ଏହାସହ ଚାରିଟି ଗ୍ରାମର ୪,୧୦୬ଜଣ ପ୍ରଭାବିତ ହେବାକୁ ଥିବାବେଳେ ସେମାନଙ୍କୁ ସ୍ଥାନାନ୍ତର କରିବା ଏବଂ ଜମି ଅଧିଗ୍ରହଣ କରିବାକୁ କୁହାଯାଇଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନବନ୍ଦର ପାଇଁ କରିଥିବା ସର୍ଭେ ରିପୋର୍ଟରେ ଦର୍ଶାଇଛି ଯେ, ମୋଟ୍‌ ୧୪୯୮.୮୩୨ ଏକର ଜମିରୁ ପ୍ରାୟ ୮୦ ଭାଗ ଅଞ୍ଚଳ ଟାଙ୍ଗିଆପଡ଼ା ପଞ୍ଚାୟତର ହୋଇଥିବା ବେଳେ ଅବଶିଷ୍ଟ ୨୦ ଭାଗ ମଲ୍ଲୀପୁର ପଞ୍ଚାୟତର। ଏଥିରେ ଟାଙ୍ଗିଆପଡ଼ା ପଞ୍ଚାୟତର ଅରାଙ୍ଗ ଓ ଟାଙ୍ଗିଆପଡ଼ା ଏବଂ ମଲ୍ଲୀପୁର ପଞ୍ଚାୟତର ନିଆଳ ଓ ମଲ୍ଲୀପୁର ରାଜସ୍ୱ ଗ୍ରାମ ଅଛି। ଏହି ଗ୍ରାମରେ ରହିଥିବା ଜମିରୁ ଅଧିକାଂଶ ସରକାରୀ, ଗୋଚର, ଅନାବାଦୀ ରହିଥିବା ବେଳେ ଅଳ୍ପ କିଛି ଚାଷ ଜମି ରହିଛି। ସେହିପରି ୧୦୮.୭୪୮ ଏକର ଜମି ଜଙ୍ଗଲ କିସମର ବୋଲି ଜଣାପଡ଼ିଛି। ଏହିି ଜଙ୍ଗଲ କିସମ ଜମିର କେତେକ ସ୍ଥାନରେ କାଜୁ ନିଗମ ପକ୍ଷରୁ କାଜୁ ଜଙ୍ଗଲ କରାଯାଇଛି। ବହୁତ କମ୍‌ ଘରୋଇ ଜମି ଥିବାରୁ ଏଠାରେ ବିମାନବନ୍ଦର କରିବାରେ ବିଶେଷ ସମସ୍ୟା ନାହିଁ। ତେଣୁ ଆବଶ୍ୟକୀୟ ଜମିକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଖୁବ୍‌ ଶୀଘ୍ର ହସ୍ତାନ୍ତର କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର