ଭୁବନେଶ୍ୱର : ରାଜ୍ୟରେ ଦୀର୍ଘ ୭୮ ବର୍ଷ ପରେ ନୂଆ ଜେଲ୍ ମାନୁଆଲ ଲାଗୁ ହୋଇଛି। ନୂଆ ମାନୁଆଲରେ ମୋଟ ୩୨ଟି ଚାପ୍ଟର ଥିବା ବେଳେ ୧୯୪୨ ମସିହାର ଜେଲ ମାନୁଆଲରୁ ୧୬ଟି ଚାପ୍ଟର ଯୋଡ଼ା ଯାଇଛି। ଜେଲ ବିଭାଗରେ ଅଧିକ ସଂସ୍କାର ଆଣିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ପରେ ଏ ନେଇ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ପରେ ଜେଲ ବିଭାଗରେ ଆହୁରି ଅଧିକ ସଂସ୍କାର ଆସି ପାରିବ ବୋଲି କୁହାଯାଉଛି।
ନୂଆ ଜେଲ୍ ମାନୁଆଲ୍ ଅନୁଯାୟୀ, କଏଦୀଙ୍କ ଅଧିକାରକୁ ଜେଲ୍ କର୍ତ୍ତୃପକ୍ଷ ସମ୍ମାନ ଜଣାଇବେ। ଜେଲରେ ସିଭିଲ୍ ମାମଲାର କଏଦୀ, ବିଚାରାଧୀନ, ମହିଳା, ଦୋଷୀ ସାବ୍ୟସ୍ତ, ଯୁବ, ପ୍ରଥମ ଥର ପାଇଁ ଅପରାଧ ଘଟାଇଥିବା, ପେସାଦାର ଅପରାଧୀ, ହାଇ ସିକ୍ୟୁରିଟି କଏଦୀଙ୍କୁ ଅଲଗା ଭାବେ ରଖାଯିବ। ମଣ୍ଡଳ କାରଗାର, ଜିଲ୍ଲା ଓ ସବ୍ ଜେଲକୁ ତିନୋଟି ସ୍ତରରେ ବିଭକ୍ତ କରାଯାଇଛି। ଏହାସହ ସର୍କଲ ଜେଲରେ ଏକ ହଜାର, ଜିଲ୍ଲା ଜେଲରେ ୫ ଶହ ଓ ସବଜେଲରେ ୩ଶହ କଏଦୀ ରହିବେ। ପ୍ରତି ୬ ଜଣଙ୍କ ପାଇଁ ଜଣେ ସୁରକ୍ଷାକର୍ମୀ ରହିବା ବାଧ୍ୟତାମୂଳକ। ଟାଇପ୍ ଏ ଏବଂ ବି ଭାବେ ଦୁଇଟି ହସ୍ପିଟାଲ ରହିବ। ନିଶାଗ୍ରସ୍ତ କଏଦୀଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ରଖାଯିବ। ରାଜ୍ୟ ବାହାରେ ମଧ୍ୟ କଏଦୀଙ୍କର ଚିକିତ୍ସା ବ୍ୟବସ୍ଥା କରାଯିବ। ଜେଲରୁ ଫେରାର, ଭାଙ୍ଗିବା, ଗଣ୍ଡଗୋଳ, ଗ୍ୟାଙ୍ଗଵାର, ଆନ୍ଦୋଳନ, ମହାମାରୀ ଭଳି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସ୍ବତନ୍ତ୍ର ଏସ୍ଓପି ମଧ୍ୟ ଜାରି କରାଯାଇଛି। କଏଦୀଙ୍କ ପାଇଁ ଶିକ୍ଷାନୀତି ଓ ଲାଇବ୍ରେରି ବ୍ୟବସ୍ଥା, ଶିଳ୍ପ ତାଲିମ, ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ରହିବ। ପ୍ରତି ଜେଲରେ ଆଇନ ସହାୟତା କ୍ଲିନିକ୍ ମଧ୍ୟ ଖୋଲାଯିବ। କଏଦୀ କଲ୍ୟାଣ କାର୍ଯ୍ୟକ୍ରମ ସହ କାଉନସେଲିଂ, ଫିଜିଓଥେରାପି, ଯୋଗ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ସହ କ୍ୟାଣ୍ଟିନ ଖୋଲାଯିବ। କାରାଗାର ଶୃଙ୍ଖଳା, ନିଷିଦ୍ଧ ସାମଗ୍ରୀର ତାଲିକା, କଏଦୀଙ୍କ ଡ୍ୟୁଟି ଓ ଦଣ୍ଡବିଧାନ ସମ୍ପର୍କରେ ବିସ୍ତୃତ ଭାବେ ତାଲିକା ରଖାଯିବ। ମୁକ୍ତାକାଶ ଆଶ୍ରମରେ କେଉଁ କଏଦୀ ରହିପାରିବେ, ସେ ନେଇ କଏଦୀ ସିଲେକ୍ସନ କମିଟି ନିଷ୍ପତ୍ତି ନେବ। ହାଇ ସିକ୍ୟୁରିଟି କଏଦୀଙ୍କର ଶ୍ରେଣୀ ବିଭକ୍ତ, ରହିବା, ସୁରକ୍ଷା ବନ୍ଦୋବସ୍ତ, ଅନ୍ୟ ବ୍ୟବସ୍ଥା ଓ କୋର୍ଟରେ ଶୁଣାଣି ସମ୍ପର୍କରେ ସମସ୍ତ ବ୍ୟବସ୍ଥା କରାଯିବ। ଜେଲରେ ଜନ୍ମ ନେଉଥିବା ପିଲାଙ୍କ ପାଇଁ ଉପଯୁକ୍ତ ଦେଖାଶୁଣା ସହ ପ୍ଲେ’ ସ୍କୁଲ ଓ ନର୍ସରିରେ ପଢ଼ିବା ଲାଗି ବ୍ୟବସ୍ଥା କରାଯିବ। କଏଦୀଙ୍କ ସମ୍ପର୍କିତ ସମସ୍ତ କାଗଜପତ୍ରର କମ୍ପ୍ୟୁଟରୀକୃତ ହେବ। ଜେଲ ଉନ୍ନତୀକରଣ ଯୋଜନା ଉପରେ ରାଜ୍ୟ ଉପଦେଷ୍ଟାମଣ୍ଡଳୀ ନିଜର ଉପଦେଶ ଦେଇପାରିବେ।
ସୂଚନାଯୋଗ୍ୟ, ଜେଲ ବିଭାଗରେ ସଂସ୍କାର ଆଣିବା ଲାଗି ସୁପ୍ରିମକୋର୍ଟଙ୍କ ବିଭିନ୍ନ ନିଷ୍ପତ୍ତି ଏବଂ ଜାତୀୟ ମାନବାଧିକାର କମିସନ(ଏନଏଚଆରସି)ଙ୍କ ଗାଇଡ୍ଲାଇନକୁ ଆଧାର କରି ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଏବଂ ଡେଭଲପମେଣ୍ଟ(ବିପିଆରଡି) ପକ୍ଷରୁ ୨୦୧୬ରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା। ସେହି ଆଧାରରେ ଜେଲମାନଙ୍କରେ ସଂସ୍କାର ଆଣିବା ନୂଆ ମାନୁଆଲ୍ ପ୍ରସ୍ତୁତ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/jail2_9.jpg)