ପ୍ରକାଶ ପାଇଲା ଚଳିତ ବର୍ଷର ଅସଲି ଖଡୀରତ୍ନ ପଞ୍ଜିକା

ଭୁବନେଶ୍ବର: ୨୦୨୪-୨୫ ବର୍ଷ ଲାଗି ଉମାକାନ୍ତ ଖଡୀରତ୍ନଙ୍କ ଅସଲି ଖଡୀରତ୍ନ ପଞ୍ଜିକା ପ୍ରକାଶ ପ‌ାଇଛି। ୧୮୬୫ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି  ପାଞ୍ଜି ଓଡ଼ିଶାର ଅନ୍ୟତମ ପୁରାତନ ପାଞ୍ଜି ଭାବରେ ବେଶ୍ ଜଣାଶୁଣା। ସଂପ୍ରତି ଉମାକାନ୍ତ ଖଡ଼ୀରତ୍ନଙ୍କ ଦୁଇ ସୁପୁତ୍ର ଇଂ.ପ୍ରିୟଦର୍ଶୀ ଖଡ଼ୀରତ୍ନ ଓ ଇଂ. ଦେବଦର୍ଶୀ ଖଡ଼ୀରତ୍ନ ଏହାର ସଂପାଦନା କରୁଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଚଳିତ ଏବଂ ପୁରୀ ଗଜପତିଙ୍କଠାରୁ ଏକମାତ୍ର ‘ଖଡ଼ୀରତ୍ନ’ ଉପାଧି ପ୍ରାପ୍ତ ଏହି ପାଞ୍ଜିର ରହିଛି ଅନେକ ବିଶେଷତ୍ବ।

ଚଳିତ ବର୍ଷ ତିଥି ନକ୍ଷତ୍ର ଯୋଗ କରଣ ତଥା ବାର ଇତ୍ୟାଦି ପଞ୍ଚାଙ୍ଗ ଏବଂ ଜ୍ୟୋତିଷ ସମ୍ବନ୍ଧୀତ ତଥ୍ୟ ସହ ଦୈନିକ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ସହ ଚନ୍ଦ୍ରଦୃଶ୍ୟ ସମୟ ପ୍ରଦତ୍ତ ରହିଛି। ଚଳିତ ବର୍ଷ ବୃହସ୍ପତିଙ୍କର ମଇ ୧ ତାରିଖରେ ବୃଷ ରାଶିକୁ ସଂଚାର ସହ ଶୁଭାଶୁଭ ଏବଂ ଶନିଙ୍କର ୨୦୨୫ ମସିହା ମାର୍ଚ୍ଚ ୨୯ ତାରିଖରେ ମୀନ ରାଶିକୁ ସଂଚାର ସହ ଶୁଭାଶୁଭ ଓ ଅଶୁଭ ନିରାକରଣ ପ୍ରଦତ୍ତ ରହିଛି।

ଚଳିତ ବର୍ଷ ଭୂପୃଷ୍ଠରେ ଚାରିଗୋଟି ଗ୍ରହଣ (ଦୁଇଟି ସୂର୍ଯ୍ୟୋପରାଗ ଏବଂ ଦୁଇଟି ଚନ୍ଦ୍ରଗ୍ରହଣ) ସଂଘଟିତ ହେଉଥିଲେ ମଧ୍ୟ ଓଡ଼ିଶା ତଥା ଭାରତକୁ ଦୃଶ୍ୟ ହେଉନଥିବାରୁ ଏହା ପାଳନୀୟ ନୁହେଁ। ଏହା ସହିତ ଦୈନିକ ରାଶିଫଳ, ନାକ୍ଷେତ୍ରିକ ସତର୍କତା ଶୁଭବେଳା ଅଶୁଭବେଳା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ରହିଛି। ସେହିପରି ଶୁଭକର୍ମମାନ ଯଥା ବିବାହପାଣିଗ୍ରହଣ ବ୍ରତୋପୟନ ଗୃହାରମ୍ଭ ଗୃହପ୍ରବେଶ-ପ୍ରତିଷ୍ଠାଦି ସହିତ ଅନ୍ୟାନ୍ୟ ଶୁଭକର୍ମମାନଙ୍କର ଶୁଭଦିନ ନିର୍ଘଣ୍ଟ ପାଠକମାନଙ୍କ ସୁବୋଧଗମ୍ୟ ସୂଚୀ ମାଧ୍ୟମରେ ପ୍ରଦତ୍ତ ଅଛି।

ସନ୨୦୨୪-୨୫ ମସିହାର ରାଷ୍ଟ୍ରଫଳରେ ବିଶ୍ୱ କ୍ଷେତ୍ରରେ, ଭାରତ ପାଇଁ ଏବଂ ଆମ ରାଜ୍ୟ ଓଡ଼ିଶା ପାଇଁ ରାଜନୀତି ଠାରୁ ଆରମ୍ଭକରି ପାଣିପାଗ କୃଷି ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି ବିସ୍ତ୍ରୃତ ଭାବରେ ବର୍ଣ୍ଣିତ ଅଛି। ପ୍ରତ୍ୟେକ ମାସ ସଂକ୍ରାନ୍ତିରେ ଗ୍ରହତଥ୍ୟ ସହ ବାର ରାଶିର ମାସିକ ରାଶିଫଳ, ପାଣିପାଗ ବର୍ଷା ଇତ୍ୟାଦି ସହିତ ମାସର ଶୁଭାଶୁଭ ପ୍ରଦତ୍ତ ରହିଛି।

ସମ୍ବନ୍ଧିତ ଖବର