ରାଉରକେଲା: ବାଲିଚୋରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ।  ବାଲି ଚୋରାଚାଲାଣ ରୋକିବାକୁ ନୂଆ ଆଇନ ଅଣାଯିବ। ନୂଆ ସରକାର ଆସିବାର ଆଠ ମାସ ଭିତରେ ବାଲିରୁ ଆସୁଥିବା ରାଜସ୍ୱରେ ବୃଦ୍ଧି ଘଟିଛି। ବାଲି ଚୋରାଚାଲାଣ ରୋକିବାକୁ ଏଭଳି ମନ୍ତବ୍ୟ ରଖିଛନ୍ତି ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ। କେନ୍ଦ୍ର ଓ ରାଜ୍ୟ ବଜେଟ୍‌କୁ ନେଇ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବା ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ।

Advertisment

ଏଥିରେ ରାଉରକେଲା ତଥା ସମଗ୍ର ରାଜ୍ୟରେ ଚାଲିଥିବା ବାଲି ଚୋରାଚାଲାଣ ଉପରେ ପ୍ରତିକ୍ରିୟା ରଖିଥିଲେ। କହିଲେ, ପୂର୍ବରୁ ବାଲିଘାଟଗୁଡ଼ିକ ରାଜସ୍ବ ବିଭାଗ ଅଧୀନରେ ଥିଲା। ପୂର୍ବ ସରକାର ଏହାକୁ ଖଣି ବିଭାଗକୁ ଆଣିଥିଲେ। ବର୍ତ୍ତମାନ ଖଣି ବିଭାଗରେ କର୍ମଚାରୀ ଅଭାବକୁ ଦୂର କରିବା ତଥା ଭିତ୍ତିଭୂମି ବିକାଶ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ହେବ। ବାଲିରୁ ଆସୁଥିବା ରାଜସ୍ୱରେ ବୃଦ୍ଧି ଘଟିଛି l ଆଗକୁ ବାଲି ଭଳି ଉତ୍ସରୁ ଆସୁଥିବା ରାଜସ୍ବର ଅଭିବୃଦ୍ଧି ଘଟିବ ବୋଲି ମନ୍ତ୍ରୀ କହିଛନ୍ତି।