ନାଁକୁ ମାତ୍ର କୁଷ୍ଠମୁକ୍ତ ଓଡ଼ିଶା; ଚିହ୍ନଟ ହେଉଛନ୍ତି ହଜାର ହଜାର ନୂଆ କୁଷ୍ଠରୋଗୀ

୪ କୁଷ୍ଠାଶ୍ରମ ଓ ୭୭ କୁଷ୍ଠ କଲୋନିର ସ୍ଥିତି ଶୋଚନୀୟ
ସ୍ବାସ୍ଥ୍ୟସେବା ଏବେ ବି ଅପହଞ୍ଚ, ଭଗବାନଙ୍କ ଭରସାରେ ରୋଗୀ

ଭୁବନେଶ୍ବର : ୨୦୦୫ ମସିହାରୁ ରାଜ୍ୟ ସରକାର ଓଡ଼ିଶାକୁ କୁଷ୍ଠମୁକ୍ତ ବୋଲି ଘୋଷଣା କରିଛନ୍ତି। ମାତ୍ର ବାସ୍ତବରେ ପ୍ରତିବର୍ଷ ହଜାର ହଜାର ନୂତନ କୁଷ୍ଠରୋଗୀ ଚିହ୍ନଟ ହେଉଛନ୍ତି। ଗତବର୍ଷ କରୋନା ଭୟରେ ସାମାଜିକ ଦୂରତ୍ବ ଏବଂ ସର୍ଭେ କାର୍ଯ୍ୟ ପ୍ରଭାବିତ ହେବା ସତ୍ତ୍ବେ ୬୧୪୮ ନୂତନ କୁଷ୍ଠରୋଗୀ ଚିହ୍ନଟ ହେବା ରାଜ୍ୟରେ କୁଷ୍ଠରୋଗର ଅସଲ ଚିତ୍ରକୁ ପଦାରେ ପକାଇ ଦେଇଛି। ପୁରସ୍କାର ପାଇଁ ରାଜ୍ୟ ସରକାର କୁଷ୍ଠମୁକ୍ତ ଘୋଷଣା କରିଦେଲେ ସିନା, କିନ୍ତୁ ଏଥିଯୋଗୁଁ କୁଷ୍ଠରୋଗୀଙ୍କ ଚିକିତ୍ସା ଏବଂ ଥଇଥାନ ଗୁରୁତର ପ୍ରଭାବିତ ହୋଇଛି। ସ୍ଥିତି ଏଭଳି ହୋଇଛି ଯେ ବର୍ତ୍ତମାନର କୁଷ୍ଠରୋଗୀଙ୍କୁ ଉଭୟ ସରକାର ଏବଂ ସମାଜ ଅଛୁଆଁ କରି ଦେଇଛି। ସେମାନଙ୍କ ନିକଟରେ ଏବେ ବି ସ୍ବାସ୍ଥ୍ୟସେବା ପହଞ୍ଚି ପାରୁ ନ ଥିବା ବେଳେ ଅଧିକାଂଶ କୁଷ୍ଠରୋଗୀ ଭଗବାନ ଭରସାରେ ରହିଛନ୍ତି।

The Guardian

ସରକାରୀ ତଥ୍ୟ ଅନୁସାରେ, ଗତ ୮ ବର୍ଷ ହେଲା ବର୍ଷକୁ ୮ରୁ ୧୦ ହଜାର ନୂତନ କୁଷ୍ଠରୋଗୀ ଚିହ୍ନଟ ହେଉଛନ୍ତି। ୨୦୧୩ ମସିହାରେ ୧୦,୬୪୫, ୨୦୧୪ରେ ୮୦୦୪, ୨୦୧୫ରେ ୧୦,୧୭୪, ୨୦୧୬ରେ ୧୦,୦୪୫, ୨୦୧୭ରେ ୯୫୭୬, ୨୦୧୮ରେ ୧୦ ,୭୮୬, ୨୦୧୯ରେ ୧୦,୦୭୭ ନୂତନ କୁଷ୍ଠରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରେ ପୁଣି ନୂଆ ଏବଂ ପୁରୁଣା ରୋଗୀଙ୍କୁ ମିଶାଇଲେ ସଂଖ୍ୟା କେତେ ହେବ ତାର ଆକଳନ କରାଯାଇ ପାରୁନାହିଁ।

୧୯୫୪ ମସିହାରେ କାର୍ଯ୍ୟକାରୀ ହୋଇଥିଲା ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ। ୧୯୮୧ ମସିହାରେ ଏଡିଟି ଔଷଧ ବାହାରିବା ପରେ ୨୦୦୦ ସୁଦ୍ଧା ଦେଶକୁ କୁଷ୍ଠମୁକ୍ତ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଏହା ସମ୍ଭବ ହୋଇ ପାରିଲା ନାହିଁ। ୨୦୦୫ ମସିହାରେ ପୁନର୍ବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ନେଇ ଘୋଷଣା କରାଗଲା। ଏହାର ପରିଣାମ ସ୍ବରୂପ କୁଷ୍ଠରୋଗୀଙ୍କ ଚିକିତ୍ସା ଏବଂ ହେପାଜତ ପାଇଁ ନିଯୁକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ କାଢ଼ି ଦିଆଗଲା କିମ୍ବା ସେହି ପଦ ଉଚ୍ଛେଦ କରାଗଲା। ୧୯୮୩ ମସିହାରେ ରାଜ୍ୟରେ ୨୨୫୦ କୁଷ୍ଠ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ହ୍ରାସ କରାଯାଇ ୧୨୫୦ ରଖାଯାଇଥିଲା। ୨୦୦୩ ମସିହାରେ ୩୮ ହଜାର ୩୪୯ ନୂତନ ଏବଂ ପୁରୁଣା କୁଷ୍ଠ ରୋଗୀ ଚିକିତ୍ସାଧୀନ ଥିବା ସତ୍ତ୍ବେ ୧୨୫୦ରୁ ୮୪୫ ପଦକୁ ଉଚ୍ଛେଦ କରାଯାଇ ସମୁଦାୟ ୪୦୪ ପଦ ରଖାଗଲା। ବର୍ତ୍ତମାନ ରାଜ୍ୟରେ କେବଳ ୪୦ କୁଷ୍ଠ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି। ସାଧାରଣ ସ୍ବାସ୍ଥ୍ୟ ସେବାରେ ନିଯୁକ୍ତ କର୍ମଚାରୀଙ୍କୁ ସେମାନଙ୍କ ଦାୟିତ୍ବ ଦିଆଯାଇଛି। ଏଥିଯୋଗୁଁ କୁଷ୍ଠାଶ୍ରମର ଅବସ୍ଥା ବିକଟ ହେଲାଣି। ଆଶାକର୍ମୀ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କଲେ ମଧ୍ୟ ସ୍କ୍ରିନିଂ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ପୁରୁଷ ସ୍ବାସ୍ଥ୍ୟ କର୍ମୀ ଅନ୍ୟ କାର୍ଯ୍ୟର ବୋଝରେ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି।

Toronto Star

ପୂର୍ବରୁ ରାଜ୍ୟରେ ୯୨ଟି କୁଷ୍ଠ କଲୋନି, ୧୦ଟି କୁଷ୍ଠାଶ୍ରମ ଏବଂ ୧୨ଟି ବାଳକୁଷ୍ଠାଶ୍ରମ ରହିଥିଲା। ବର୍ତ୍ତମାନ କେବଳ ୪ଟି କୁଷ୍ଠାଶ୍ରମ ରହିଛି। ୩୩ ଅନ୍ତେବାସୀ ରହୁଥିବା ବାଲେଶ୍ବର ସ୍ଥିତ କୁଷ୍ଠାଶ୍ରମ ଏକ ପ୍ରକାର ଭଗବାନ ଭରସାରେ ଚାଲିଛି। ଏଠାରେ ଡାକ୍ତର, ନର୍ସ କିମ୍ବା ଆଟେଣ୍ଡାଣ୍ଟ ନାହାନ୍ତି। ନର୍ଦ୍ଦମା ପାଣି ଘେରରେ ଅତି ପରିତ୍ୟକ୍ତ ସ୍ଥିତିରେ ଅନ୍ତେବାସୀମାନେ ରହୁଛନ୍ତି। ରାଜ୍ୟର ସର୍ବପ୍ରଥମ ତଥା ଦେଶର ପୁରାତନ କୁଷ୍ଠାଶ୍ରମ ମଧ୍ୟରୁ ଅନ୍ୟତମ ସମ୍ବଲପୁର ସ୍ଥିତ ସାର୍‌ ଆଇଜାକ ସାନ୍ତ୍ରା କୁଷ୍ଠାଶ୍ରମରେ ୧୮୦ ଶଯ୍ୟା ରହିଛି। ଏଠାରେ ଅନେକ ଅଧିକ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଅବସରପ୍ରାପ୍ତ ଜଣେ ଡାକ୍ତର ସ୍ବଇଚ୍ଛାରେ ସେଠାରେ ଚିକିତ୍ସା କରୁଛନ୍ତି। ସରକାରଙ୍କ ପକ୍ଷରୁ ଡାକ୍ତର, ସଫେଇ ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କୁ ଏଠାରେ କାର୍ଯ୍ୟ କରିବାକୁ କୁହାଯାଉଛି। ଜଣେ ନର୍ସ ସପ୍ତାହରେ ଥରେ ଔଷଧ ଦେଇ ଚାଲିଯାଆନ୍ତି। ଏହାର ଅନ୍ତେବାସୀ ବିଭିନ୍ନ ସମୟରେ ଖାଦ୍ୟ ପାଉନଥିବା ନେଇ ଅଭିଯୋଗ କରନ୍ତି। ଘର ମଧ୍ୟ ଭାଙ୍ଗି ଯାଇଛି। ଗଜପତି ସ୍ଥିତ ୧୧ ଶଯ୍ୟା ବିଶିଷ୍ଟ ଏମକେସିଜି କୁଷ୍ଠାଶ୍ରମ ନିକଟସ୍ଥ ଏମକେସିଜି ଡାକ୍ତରଖାନାର ଡାକ୍ତରଙ୍କ ଉପରେ ନିର୍ଭରଶୀଳ। ଫନି ବାତ୍ୟାରେ ଅନ୍ତେବାସୀଙ୍କ ଘର ଆଜବେଷ୍ଟସ ଉଡ଼ିଯାଇଥିଲା। ଯାହାର ଦୀର୍ଘ ଦିନ ଧରି ମରାମତି ହୋଇନଥିଲା। ଆଜି ପର୍ଯ୍ୟନ୍ତ ସେମାନଙ୍କୁ ବାତ୍ୟାର ଟଙ୍କା ମିଳି ନାହିଁ। ଅନ୍ୟପକ୍ଷରେ ୨୦୫ ଶଯ୍ୟା ବିଶିଷ୍ଟ କଟକ ସ୍ଥିତ ଗାନ୍ଧୀ କୁଷ୍ଠାଶ୍ରମରେ ଆବଶ୍ୟକ ଡାକ୍ତର, ନର୍ସ ଅଛନ୍ତି। ୪୧ ବର୍ଷ ହେଲା ସେମାନଙ୍କ ଘର ମରାମତି ହୋଇ ନାହିଁ। ୧୫୦ ଶଯ୍ୟା ବିଶିଷ୍ଟ ଭୁବନେଶ୍ବର ସ୍ଥିତ ମଦର ଟେରେସା ମିସନାରି ଅଫ୍‌ ଚେରିଟି କୁଷ୍ଠରୋଗୀଙ୍କ ଘର ମଦର ଟେରେସା ବଞ୍ଚିଥିବା ବେଳେ ତାଙ୍କ ତତ୍ବାବଧାନରେ ନିର୍ମାଣ ହୋଇଥିଲା। ହେଲେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇନଥିବା ରିପୋର୍ଟରେ କୁହାଯାଇଛି।

ରାଜ୍ୟରେ ଥିବା ୭୭ କୁଷ୍ଠ କଲୋନିର ସ୍ଥିତି ମଧ୍ୟ ଅତ୍ୟନ୍ତ ଶୋଚନୀୟ। ଜଟଣୀ ସ୍ଥିତ ବାପୁଜୀ କୁଷ୍ଠ କଲୋନି, ଧାରାବତୀ କୁଷ୍ଠ କଲୋନି ଅଧିବାସୀଙ୍କ ଘର ନାହିଁ। ପୁରୀ ସ୍ଥିତ ସଂଯୋଜୀ କୁଷ୍ଠ କଲୋନିରେ ବିଜୁଳି, ପିଇବା ପାଣି ସୁବିଧା ନାହିଁ। ଭଦ୍ରକ କୁଷ୍ଠ କଲୋନିରେ ଗାଧୋଇବା ସୁବିଧା ନାହିଁ ଏବଂ ବିଜୁଳି ମଧ୍ୟ ଯାଇନାହିଁ। ଅନ୍ୟମାନଙ୍କ ଅବସ୍ଥା ଆହୁରି ଶୋଚନୀୟ। ବାତ୍ୟାରେ ସବୁ କ୍ଷତିଗ୍ରସ୍ତଙ୍କୁ ଘର ଭଙ୍ଗା ଟଙ୍କା ମିଳିଛି। କିନ୍ତୁ କୁଷ୍ଠ କଲୋନିର ଅଧିବାସୀ ଏଥିରେ ବାଦ୍‌ ପଡ଼ିଛନ୍ତି। ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ ସମସ୍ତ କୁଷ୍ଠ ରୋଗୀ ଏବଂ କୁଷ୍ଠମୁକ୍ତଙ୍କୁ ଅନ୍ତୋଦୟ ଅନ୍ନ ଯୋଜନାରେ ସାମିଲ ପାଇଁ ନିର୍ଦେଶ ଦେଇଛନ୍ତି। ପ୍ରଶାସନିକ ରିପୋର୍ଟ ଅନୁସାରେ ପ୍ରାୟ କଲୋନିର ଅନ୍ତେବାସୀ ଏଥିରୁ ବଞ୍ଚିତ। କୁଷ୍ଠରୋଗୀଙ୍କ ଗୋଡ଼ ଛୋଟ ହୋଇଯାଇଥିବାରୁ ତାଙ୍କ ପାଇଁ ଥିବା ସ୍ବତନ୍ତ୍ର ଜୋତା ବର୍ଷକୁ ଦୁଇ ଥର ଦେବାକୁ ନିର୍ଦେଶ ହୋଇଛି। ଏହାର ମଧ୍ୟ ପାଳନ ହେଉନଥିବା ଅଭିଯୋଗ ହୁଏ। ଯେଉଁ ଗୋଟିଏ ସଂସ୍ଥାକୁ ସରକାର ସେମାନଙ୍କୁ ଜୋତା ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି; ଅଧିକାଂଶ ସମୟରେ ଏହି ସଂସ୍ଥା ଗୋଟିଏ ସାଇଜର ଜୋତା ଦେଇଥାଏ। କାଗଜପତ୍ରରେ କୁଷ୍ଠ ରୋଗୀ, କୁଷ୍ଠ ମୁକ୍ତ ଏବଂ ପରିବାର ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ ହୋଇଛି। ଋଣ ଦେଇ ବ୍ୟବସାୟ ପାଇଁ ନିର୍ଦେଶ ରହିଛି। ମାତ୍ର ସେମାନଙ୍କ ମଧ୍ୟରୁ ହାତଗଣତି କେତେଜଣଙ୍କୁ ଏହାର ଲାଭ ମିଳିଛି। ଯେଉଁଠି କୁଷ୍ଠ ରୋଗୀଙ୍କ ଚିକିତ୍ସା ସୁବିଧା ସରକାର କରି ପାରୁନାହାନ୍ତି, ସେଠି କୁଷ୍ଠମୁକ୍ତଙ୍କୁ କେତେ ସହାୟତା ଦେଉଛନ୍ତି ତାହା ଅନୁମାନ କରାଯାଇପାରେ।

ସମ୍ବନ୍ଧିତ ଖବର