ଭୁବନେଶ୍ୱର : ୧୦ ପ୍ରତିଶତ ଲୋକ କରୋନା କଟକଣା ମାନୁନାହାନ୍ତି। ନିଜ ପାଇଁ ବିପଦ ସୃଷ୍ଟି କରିବା ସହିତ ବାକି ୯୦ ପ୍ରତିଶତ ଲୋକଙ୍କ ପାଇଁ ବିପଦ ଡାକି ଆଣୁଛନ୍ତି। ସେମାନଙ୍କର ଏଭଳି ଅମାନିଆପଣକୁ ଆଉ ବରଦାସ୍ତ କରାଯିବ ନାହିଁ। ଆଜି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଅଗଷ୍ଟ ପହିଲାରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେବା ବେଳେ ଏ ସଂପର୍କରେ ରୋକ୍‌ଠୋକ୍ ଜଣାଇ ଦେଇଛନ୍ତି। ସ୍ପଷ୍ଟ କରିଛନ୍ତି ଯେ ଜୀବନ ସହିତ ଜୀବିକାକୁ ସମାନ ଗୁରୁତ୍ବ ଦେଇ ରାଜ୍ୟ ସରକାର ମାସକ ପାଇଁ ଅନେକ କ୍ଷେତ୍ରରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ସମସ୍ତେ ସହଯୋଗ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରିବେ, ସରକାରଙ୍କ ନିୟମ ମାନିବେନି, ମନମାନି କରିବେ, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରାଯିବ। କେବଳ ସେତିକି ନୁହେଁ, ଆର୍ଥିକ ଜରିମାନାରେ ମଧ୍ୟ ସରକାର ବୃଦ୍ଧି କରିଛନ୍ତି।

Advertisment

ଅଗଷ୍ଟ ପ୍ରଥମ ସପ୍ତାହ ଶନିବାର, ରବିବାର
ଦିନ ୧ଟା ରୁ ରାତି ୯ଟା ଯାଏ ସଟ୍‌ଡାଉନ୍‌
ସ୍କୁଲ, କଲେଜ, ଧାର୍ମିକ ଅନୁଷ୍ଠାନ,
ସିନେମା ହଲ୍‌, ସୁଇମିଂ ପୁଲ୍‌ ବନ୍ଦ
ଧାର୍ମିକ, ସାମାଜିକ, ସାଂସ୍କୃତିକ,
ରାଜନୈତିକ ସମାବେଶ ବି ବନ୍ଦ
ସର୍ତ୍ତମୂଳକ ଭାବେ ଖୋଲିବ ଯୋଗ କେନ୍ଦ୍ର ଓ ଜିମ୍‌
ଅବରୋଧ ଅଞ୍ଚଳରେ ଲକ୍‌ଡାଉନ୍ କଟକଣା ଜାରି
ମାସ୍କ ପିନ୍ଧି ନଥିଲେ ୧୦୦୦ ଟଙ୍କା ଜରିମାନା, ୨ରୁ ଅଧିକ ଥର ଧରାପଡ଼ିଲେ ତଣ୍ଡ ଗଣିବେ ୫ ହଜାର
ବିବାହ ଉତ୍ସବରେ ଅଧିକ ଲୋକ ସମବେତ ହେଲେ
୧୦ ହଜାର ଜରିମାନା, ସିଲ୍ ହେବ ଉତ୍ସବସ୍ଥଳ
ଦୋକାନରେ ସାମାଜିକ ଦୂରତା ନିୟମ ଭାଙ୍ଗିଲେ
୧୦ ହଜାର ଜରିମାନା ସହ ସପ୍ତାହେ ଦୋକାନ ସିଲ୍

publive-image

ମୁଖ୍ୟସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ମାସ୍କ, ସାମାଜିକ ଦୂରତା, ସର୍ବସାଧାରଣରେ ଛେପ ପକାଇବା ଓ ସମାବେଶ ଭଳି ଘଟଣାକୁ ସରକାର ଗମ୍ଭୀରତାର ସହିତ ବିଚାର କରୁଛନ୍ତି। ଏ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ବାଧ୍ୟ େହାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର ମାସକ ପାଇଁ ତାଙ୍କର ନିର୍ଦେଶାବଳୀ ଜାରି କରିଛନ୍ତି।

ମାସ୍କ ନ ପିନ୍ଧିଲେ ବା ଅଧାପନ୍ତରିଆ ଭାବେ କେବଳ ଥୋଡିରେ ଲଟକାଇ ରଖିଲେ, ଏଣିକି ପ୍ରଥମ ଦୁଇଥର ଉଲ୍ଲଂଘନ ପାଇଁ ୧୦୦୦ ଟଙ୍କା ଲେଖାଏଁ ତଣ୍ଡ ଗଣିବାକୁ ହେବ। ପରବର୍ତୀ ଉଲ୍ଲଂଘନ ପାଇଁ ଏହି ପରିମାଣ ୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। କୌଣସି ବି ସ୍ଥାନରେ ୧୦ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଯଦି କୌଣସି ବିବାହ, ବ୍ରତ ଆଦି ସାମାଜିକ ଉତ୍ସବରେ ଏହାର ଉଲ୍ଲଂଘନ ହୁଏ, ସେ କ୍ଷେତ୍ରରେ ସଂପୃକ୍ତ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯିବା ସହିତ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରାଯିବ। ଏହି ପରିମାଣ ପରବର୍ତୀ ସମୟରେ ବୃଦ୍ଧି ହେବ। ତେବେ କେତେ ବୃଦ୍ଧି ହେବ, ସେ ନେଇ ସରକାର ପରେ ବିଜ୍ଞପ୍ତି ପ୍ରକାଶ କରିବେ। ସେହିଭଳି ସରକାରୀ ନିୟମ ଭାଙ୍ଗିଥିବା ମଣ୍ଡପ, ହୋଟେଲ ଆଦିକୁ ପ୍ରଥମେ ୭ ଦିନ ପାଇଁ ସିଲ୍ କରିଦିଆଯିବ। ସେହିଭଳି ଦୋକାନରେ ସାମାଜିକ ଦୂରତା ନିୟମ ଭାଙ୍ଗିଲେ ୧୦ ହଜାର ଟଙ୍କା ଦେବାକୁ ହେବ। ଏକ ସପ୍ତାହ ସିଲ୍ ହେବ ଦୋକାନ ଓ ଦ୍ୱିତୀୟ ଥର ନିୟମ ଉଲଂଘନ କଲେ ଜରିମାନା ସହିତ ଏକ ମାସ ପାଇଁ ଅନୁଷ୍ଠାନ ସିଲ୍ ହେବ।

publive-image

ରାତ୍ରିକାଳୀନ କର୍ଫ୍ୟୁ ସମଗ୍ର ରାଜ୍ୟରେ ଜାରି ରହିବ। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜରୁରୀ ଓ ଅତ୍ୟାବଶ୍ୟକ ସେବାରେ ଥିବା ବ୍ୟକ୍ତି ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ଆତଯାତ କରିପାରିବେ ନାହିଁ। ଏହା ସହିତ ୬୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବା ୧୦ବର୍ଷରୁ କମ୍ ବୟସର ପିଲା, ଗର୍ଭବତୀ ମହିଳା, ଏକାଧିକ ରୋଗରେ ପୀଡିତ ବ୍ୟକ୍ତି ବାହାରକୁ ବାହାରିପାରିବେ ନାହିଁ।

ବିଶେଷକରି କରୋନା ହଟସ୍ପଟ୍ ଜିଲ୍ଲା ଭାବେ ପରିଚିତ ଗଞ୍ଜାମ, ଖୋର୍ଧା, ଗଜପତି, କଟକ ଏବଂ ରାଉରକେଲା ମହାନଗର ନିଗମରେ ସପ୍ତାହିକ ଶେଷ ଦୁଇଦିନ ସଟ୍‌ଡାଉନ୍ ରହିବ। ତେବେ ଆସନ୍ତାକାଲି ଓ ପରଦିନ ଅର୍ଥାତ୍ ଅଗଷ୍ଟ ୧ ଓ ୨ ତାରିଖ ଅପରାହ୍ନ ୧ଟା ପରଠାରୁ ରାତି ୯ଟା ଯାଏ ସଟ୍‌ଡାଉନ୍ ରହିବ। ଏସବୁ ସ୍ଥାନରେ ଖବରକାଗଜ ହକରମାନେ ସକାଳ ପାଞ୍ଚଟାରୁ ୮ଟା ମଧ୍ୟରେ ବିତରଣ କରିପାରିବେ।

ତେବେ ଆସନ୍ତା ୫ ତାରିଖରୁ ଯୋଗ ଓ ଜିମ୍ନାସିୟମ୍ ଖୋଲିବ। ଏଥିପାଇଁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଜାରି କରିଥିବା ନିର୍ଦେଶାବଳୀ ଆଧାରରେ ଖୋଲିବାକୁ ଅନୁମତି ମିଳିବ।

publive-image

ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଏଣିକି ଅବରୋଧ ଅଞ୍ଚଳ ଭିତରେ ହିଁ ଲକ୍‌ ଡାଉନ୍ ସୀମିତ ରହିବ। ତାହାକୁ କଡ଼ାକଡ଼ି ପାଳନ କରାଯିବ। ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀ ଓ ରୋଷ୍ଟର ଡ୍ୟୁଟିରେ ଚାଲିବ। ପ୍ରତି ଶନିବାର ସରକାରୀ ଅଫିସ ବନ୍ଦ ରହିବ। ବ୍ୟାଙ୍କ ସଂପର୍କରେ ଅର୍ଥ ବିଭାଗ ନିର୍ଦେଶନାମା ଜାରି କରିବେ। ତେବେ ଘରୋଇ ସଂସ୍ଥାମାନେ ଘରେ ରହି କାମ କରିବା ଉପରେ ଗୁରୁତ୍ବ ଦେବେ ଓ ସର୍ବନିମ୍ନ କର୍ମଚାରୀରେ କାର୍ଯ୍ୟ କରିବେ। ଏହାର ଉଲ୍ଲଂଘନ ହେଲେ ସଂସ୍ଥାର ମୁଖ୍ୟଙ୍କ ବିରୋଧରେ ୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏସ୍‌ଆର୍‌ସି କହିଛନ୍ତି ଯେ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ,ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକ ଖୋଲାରହିବ। କିନ୍ତୁ ସେମାନେ ସାମାଜିକ ଦୂରତା ପାଳନ କରିବେ ଓ ନିୟମିତ ବିଶୋଧନ କରିବେ। ଏହାବ୍ୟତୀତ କର୍ମଚାରୀଙ୍କ ହାତ ଧୋଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବେ। ଅଫିସରେ ଯେଭଳି ଅଧିକ ସଂଖ୍ୟକ କର୍ମଚାରୀ ନ ହେବେ, ତାହାର ଅଡିଟ୍ କରାଯିବ।

ସେଲୁନ୍, ସ୍ପା, ବ୍ୟୁଟି ପାର୍ଲର, ଭଣ୍ଡାରୀ ଦୋକାନ ସବୁ ପ୍ରକାର କୋଭିଡ୍ ନିୟମ ପାଳନ କରି ଦୋକାନ ଖୋଲିପାରିବେ। ସର୍ବସାଧାରଣରେ ପାନ, ଗୁଟ୍‌ଖା, ତମାଖୁ ଚୋବାଇବା ମନା। ମଦ୍ୟପାନକୁ ମଧ୍ୟ ନିଷେଧ କରାଯାଇଛି।

ସଟ୍‌ଡାଉନରେ ବି ଅତ୍ୟାବଶ୍ୟକ ସାମଗ୍ରୀ, ଗ୍ୟାସ ପରିବହନ, ଚାଷ କାର୍ଯ୍ୟ, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ସଂପଦ, ଦୁଗ୍ଧ ଉତ୍ପାଦନ, ଖଣି ଉତ୍ତୋଳନ, ନିର୍ମାଣ କାର୍ଯ୍ୟ, ସେବା କ୍ଷେତ୍ର ପାଇଁ ବାରଣ ନାହିଁ।

ଏଠାରେ ଉଲ୍ଲେଖଥାଉକି ପୂର୍ବ ନିର୍ଦେଶ ଅନୁଯାୟୀ, ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର, ଧାର୍ମିକ ଅନୁଷ୍ଠାନ ଗୁଡିକ ବନ୍ଦ ରହିବ। ସୁଇମିଂ ପୁଲ୍, ପାର୍କ, ସିେନମା ହଲ, ଆମୋଦ ପ୍ରମୋଦ ଉଦ୍ୟାନ, ଥିଏଟର, ସମ୍ମେଳନ କକ୍ଷ, ରାଜନୈତିକ ସଭା,ଶିକ୍ଷା ସମାବେଶ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅଗଷ୍ଟ ୩୧ ତାରିଖ ଯାଏ ବନ୍ଦ ରହିବ।